Latest Odisha News

ଦାଦନ ଯନ୍ତ୍ରଣା: ଅଜାଙ୍କୁ ହତ୍ୟା ଓ ନାତିକୁ ଶାରୀରିକ ନିର୍ଯାତନା ଅଭିଯୋଗ

ନୂଆପଡ଼ା: ପୁଣି ନୂଆପଡ଼ା ଜିଲ୍ଲାରୁ ଦାଦନ ଯନ୍ତ୍ରଣାର କରୁଣ କାହାଣୀ ସାମ୍ନାକୁ ଆସିଛି । ପେଟପାଟଣା ପାଇଁ ଯାଇଥିବା ଶ୍ରମିକଙ୍କୁ ହତ୍ୟା କରିଥିବା ବେଳେ ଅନ୍ୟ ଶ୍ରମିକ ମାନଙ୍କୁ ବନ୍ଧକ ରଖି ଅକଥନୀୟ ନିର୍ଯାତନା ଦେଇଥିବା ଭଳି ସଙ୍ଗୀନ ଅଭିଯୋଗ ଆସିଛି ଖଡ଼ିଆଳ ବ୍ଲକ ଗୋଡଧୁଆପଦର୍ ଗାଁରୁ। ଏହାକୁ ନେଇ ଆଜି ପରିବାର ଲୋକେ ଖଡ଼ିଆଳ ଥାନାର ଦ୍ବାରସ୍ଥ ହୋଇ ସମ୍ପୃକ୍ତ ଦାଦନ ଦଲାଲ ଓ ସର୍ଦ୍ଧାରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି।

ସୂଚନା ଅନୁସାରେ ଗତ ନଭେମ୍ବର ମାସରେ ଗୋଡଧୁଆପଦର୍ ଗାଁର ତେୟାସୁ ପାନ ତାଙ୍କ ନାତି ଓ ବୋହୂ ନରୋତ୍ତମ ଓ କବିତା ପାନ ସିନାପାଲି ଦାଦନ ଦଲାଲ ଦୀନବନ୍ଧୁ ସୁନାନୀଙ୍କ କଥାରେ ପଡି ହାଇଦ୍ରାବାଦସ୍ଥିତ ପଇଦାପାଲିର ସେଠ୍ ଝାଫର ଖାନଙ୍କ ପାଖକୁ ଯାଇ କାମ କରିଥିଲେ। ଚଳିତ ବର୍ଷ ଜାନୁଆରୀ ମାସରେ ହଠାତ୍ ଝାଫର୍ ଖାନ୍ ତିୟାସି ଓ ତାଙ୍କ ନାତିକୁ କାମ କରୁନଥିବା ଅଭିଯୋଗ କରି ମାଡ ମାରି ଅକଥନୀୟ ନିର୍ଯାତନା ଦେଇଥିଲା। ଏହାର ପ୍ରତିବାଦ କରିବାରୁ ଆଉ କିଛି ଲୋକଙ୍କୁ ଡାକିଥିଲା ଝାଫର ଓ ସେମାନେ ଆସି ଟାଙ୍ଗିଆ ଓ ଠେଙ୍ଗାରେ ମାଡ ମାରି ତେୟାସୁଙ୍କୁ ମାରିଦେଇଥିବା ମୃତକଙ୍କ ନାତି ନରୋତ୍ତମ ପ୍ରକାଶ କରିଛି।

ପରେ ସେଠ୍ ଝାଫର୍ ଖାନ୍ ଓ ସହଯୋଗୀମାନେ ଆସି ନରୋତ୍ତମ ଓ ତାଙ୍କ ସ୍ତ୍ରୀ କବିତାଙ୍କୁ ଗୋଟିଏ ଘରେ ଭର୍ତ୍ତି କରି ବନ୍ଧକ ରଖି ଏହି ଘଟଣା କାହାକୁ କହିଲେ ମାରିବାକୁ ଧମକ ଦେଇ ଶବ ନେଇ ଚାଲିଗଲେ। ଅପରପକ୍ଷରେ ନରୋତ୍ତମଙ୍କୁ ଶାରୀରିକ ନିର୍ଯାତନା ଦେଇ ଏକଥା କାହାକୁ କହିଲେ ଜୀବନରେ ମାରିଦେବାର ଧମକ ଦେଇ ଦୀର୍ଘ ଛଅ ମାସ କାଳ ନିର୍ଯାତନା ଦେଇ ବନ୍ଧ ରଖୁଥିଲେ। କିଛିଦିନ ତଳେ ସେମାନଙ୍କୁ ଚେତାବନୀ ଦେଇ ଛାଡି ଦେବା ପରେ ଘରେ ପହଞ୍ଚି ସବୁ କଥା ପରିବାରକୁ ଜଣାଇଥିଲେ ନରୋତ୍ତମ। ଖବର ଜାଣିବା ପରେ ତାଙ୍କ ପୁଅ ତ୍ରିନାଥ ପାନ ଦାଦନ ଦଲାଲକୁ ଯୋଗାଯୋଗ କରିବାରୁ ତୋ ବାପାଙ୍କୁ ମାରି ଦିଆଯାଇଛି ବୋଲି ଧମକ ଦେଇଥିଲେ ବୋଲି ଅଭିଯୋଗ ହୋଇଛି। ଏନେଇ ପରିବାର ଲୋକେ ଖଡ଼ିଆଳ ଥାନାରେ ଆସି ଅଭିଯୋଗ କରିବା ସହ ଦାଦନ ଦଲାଲ, ଇଟା ଭାଟି ମାଲିକ ଓ ଦୋଷୀ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଅନୁରୋଧ କରିଛନ୍ତି।

ଏ ବାବଦରେ ଆମେ ଖଡ଼ିଆଳ ଏଡିପିଓଙ୍କୁ ପଚାରିବାରୁ ଆଜି ଏକ ଲିଖିତ ଅଭିଯୋଗ ହୋଇଛି, ଘଟଣାକୁ ଦୀର୍ଘ ଛଅ ସାତ ମାସ ହେଲାଣି ଆମେ ଏହାର ତଦନ୍ତ କରି ସତ୍ୟାସତ୍ୟ ଜାଣିଲା ପରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି। ନୂଆପଡ଼ା ଜିଲ୍ଲାରେ ଏଭଳି ଘଟଣା ନୂଆ ହୋଇନଥିଲେ ହେଁ ଏହାର ପୁନରାବୃତ୍ତି ସମସ୍ତଙ୍କୁ ଚକିତ କରୁଛି। ଏଥିରେ ଜିଲ୍ଲା ପ୍ରଶାସନ ସହ ଜିଲ୍ଲା ଶ୍ରମ ବିଭାଗ ଓ ପୋଲିସ ପ୍ରଶାସନର ଦାଦନ ଦଲାଲ ପ୍ରୀତି ଓ ସଚେତନତାର ଅଭାବ ହିଁ ଏକ ମୁଖ୍ୟ କାରଣ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି । ଗୋଡ଼ ଧୁଆପଦର୍ ଦାଦନ ହତ୍ୟା ଅଭିଯୋଗର ସତ୍ୟତାର ଗୁମର କେବେ ଖୋଲି ଦୋଷୀଙ୍କ ବିରୁଦ୍ଧରେ କିଭଳି କାର୍ଯ୍ୟାନୁଷ୍ଠାନ ନିଆଯାଉଛି ତାହା ଦେଖିବାର ବାକି ରହିଲା।

Comments are closed.