Latest Odisha News

ରଥଯାତ୍ରା ବେଳେ ଅଘଟଣ: ଜଣେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ, ଅନେକ ଆହତ

ପୁରୀ: ରଥଯାତ୍ରାରେ ଅଘଟଣ। ଭଗବାନ ବଳଭଦ୍ରଙ୍କ ତାଳଧ୍ୱଜ ରଥ ଟାଣିବା ବେଳେ ଜଣେ ଭକ୍ତଙ୍କ ମୃତ୍ୟୁ ଘଟିଛି। ଆହତ ହେବା ପରେ ତାଙ୍କୁ ତୁରନ୍ତ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ନନ୍ଦିଘୋଷ ରଥ ଟାଣିବା ବେଳେ ଠେଲାପେଲାରୁ ଅନେକ ଆହତ ହୋଇଥିବା ଜଣାପଡିଛି। ସମସ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ମୃତକ ଜଣକ ଜଣେ ଅଣଓଡ଼ିଆ ହୋଇଥିବା ବେଳେ ଶ୍ୱାସରୁଦ୍ଧ ହୋଇ ତାଙ୍କର ମୃତ୍ୟୁ ଘଟିଛି। ତେବେ ଭକ୍ତଙ୍କ ପରିଚୟ ମିଳିପାରିନାହିଁ।

“ସଂପୃକ୍ତ ବ୍ୟକ୍ତିଙ୍କର ହୃଦଘାତ ହୋଇନଥିଲା ଏବଂ ବରଂ ତାଙ୍କ ନାଡି ସକ୍ରିୟ ଥିଲା। ତାଙ୍କୁ ତୁରନ୍ତ ଆମ୍ବୁଲାନ୍ସରେ ଡାକ୍ତରଖାନା ନେଇଥିଲୁ ଏବଂ ତାଙ୍କୁ ସିପିଆର ଦେଇଥିଲୁ। ଏହାପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କ ଆତ୍ମାକୁ ଶାନ୍ତି ମିଳୁ” ବୋଲି ସେଣ୍ଟ ଜନ୍ ଆମ୍ବୁଲାନ୍ସ ସେବାର ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ସୁଶାନ୍ତ କୁମାର ପଟ୍ଟନାୟକ କହିଛନ୍ତି।

ଏହି ଘଟଣାକୁ ନେଇ ସ୍ଥିତି ଅନୁଧ୍ୟାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ। ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବାକୁ ସେ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପଟେ ବିଜେଡି ନେତା ତଥା ପୁରୀ ବିଧାୟକ ସୁନୀଲ ମହାନ୍ତି ଏବଂ ଦଳର ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ ମଧ୍ୟ ହସ୍ପିଟାଲ ଯାଇ ସ୍ଥିତିର ଅନୁଧ୍ୟାନ କରିଛନ୍ତି। ଏବଂ ଆହତଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି।

ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାର ବର୍ଗଙ୍କୁ ନବୀନ ପଟ୍ଟନାୟକ ଗଭୀର ସମବେଦନା ଜଣାଇବା ସହ ଦୁର୍ଘଟଣାରେ ଆହତ ହୋଇଥିବା ବ୍ୟକ୍ତି ମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି।

Comments are closed.