ଭୁବନେଶ୍ୱର: ଭିଜିଲାନ୍ସ ସ୍ୱତନ୍ତ୍ର କୋର୍ଟରେ ବଲାଙ୍ଗୀରର ପୂର୍ବତନ ଆରଟିଓ ମନୋଜ କୁମାର ମହାନ୍ତି ଦୋଷୀ ସାବ୍ୟସ୍ତ। ଆୟ ବହିର୍ଭୂତ ସମ୍ପତ୍ତି ମାମଲାରେ ମନୋଜ କୁମାର ମହାନ୍ତିଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ଭିଜିଲାନ୍ସ ସ୍ୱତନ୍ତ୍ର କୋର୍ଟ। ଅବସରପ୍ରାପ୍ତ ଆରଟିଓ ମନୋଜ କୁମାର ମହାନ୍ତିଙ୍କୁ ୩ ବର୍ଷ ସଶ୍ରମ କାରାଦଣ୍ଡ ସହ ୧ ଲକ୍ଷ ଟଙ୍କା ଜରିମାନା କରାଯାଇଛି।
ଆୟର ଜଣାଶୁଣା ଉତ୍ସଠାରୁ ଅଧିକ ସମ୍ପତ୍ତି ରଖିବା ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ମନୋଜ କୁମାର ମହାନ୍ତିଙ୍କ ବିରୋଧରେ ଦୁର୍ନୀତି ନିବାରଣ ଆଇନର ବିଭିନ୍ନ ଧାରା ଅନୁଯାୟୀ ମାମଲା କରି ଚାର୍ଜସିଟ୍ ଦାଖଲ କରିଥିଲା। ଆଜି ଶୁଣାଣି କରି ଭୁବନେଶ୍ୱରସ୍ଥିତ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ୩ ବର୍ଷ ସଶ୍ରମ କାରାଦଣ୍ଡ ଶୁଣାଇଛନ୍ତି।
ଏହାସହ ୧ ଲକ୍ଷ ଟଙ୍କା ଜରିମାନା ମଧ୍ୟ କରାଯାଇଛି। ଏହି ରାୟ ପରେ ମନୋଜ କୁମାର ମହାନ୍ତିଙ୍କ ପେନସନ୍ ବନ୍ଦ କରିବା ପାଇଁ ସକ୍ଷମ କର୍ତ୍ତୃପକ୍ଷଙ୍କ ନିକଟକୁ ଯିବ ଓଡ଼ିଶା ଭିଜିଲାନ୍ସ। ତାଙ୍କ ପେନସନ୍ ବନ୍ଦ ପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି।

