Latest Odisha News

BREAKING NEWS

ଜାମ୍ମୁ-କାଶ୍ମୀରର କଠୁଆରେ ବଡ଼ ଅଘଟଣ :ଯବାନଙ୍କ ଗୁଳିଚାଳନାରେ ୪ ସହକର୍ମୀ ମୃତ

ଶ୍ରୀନଗର: ଜାମ୍ମୁ-କାଶ୍ମୀରର କଠୁଆ ଜିଲ୍ଲାରେ ଏକ ଅତ୍ୟନ୍ତ ଦୁଃଖଦ ଓ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ସେଣ୍ଟ୍ରାଲ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ ର ଜଣେ ହେଡ୍ କନଷ୍ଟେବଳ ନିଜ ସର୍ଭିସ୍ ରାଇଫଲ୍‌ରୁ ଅନ୍ଧାଧୁନ୍ ଗୁଳିଚାଳନା କରି ନିଜର ୪ ଜଣ ସହକର୍ମୀଙ୍କ ଜୀବନ ନେଇଛନ୍ତି। ମୃତକମାନଙ୍କ ମଧ୍ୟରେ ଜଣେ ସିନିୟର ଅଫିସର (ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ) ମଧ୍ୟ ସାମିଲ ଅଛନ୍ତି।

ସୂଚନା ଅନୁଯାୟୀ, କଠୁଆ ଜିଲ୍ଲାର ବସୋହଲି ଅଞ୍ଚଳରେ ଥିବା ‘ସେବା-୨’ ଜଳବିଦ୍ୟୁତ୍ ପ୍ରକଳ୍ପ ର ସୁରକ୍ଷା ପାଇଁ ସି.ଆଇ.ଏସ.ଏଫ. ୟୁନିଟ୍ ନିୟୋଜିତ ଥିଲା। ମଙ୍ଗଳବାର ସନ୍ଧ୍ୟା ସମୟରେ ଡ୍ୟୁଟି ବଦଳି କିମ୍ବା ବ୍ୟକ୍ତିଗତ କାରଣକୁ ନେଇ ଯବାନଙ୍କ ମଧ୍ୟରେ କୌଣସି କଥାକୁ ନେଇ କଟାକାଟି ଓ ଯୁକ୍ତିତର୍କ ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ହେଡ୍ କନଷ୍ଟେବଳ ଅବଧେଶ କୁମାର ସିଂହ ନିଜ ଏ.କେ.-୪୭ ରାଇଫଲ୍‌ରୁ ଗୁଳି ଚଳାଇଥିଲେ।

ଗୁଳିଚାଳନା ଫଳରେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଅଙ୍କିତ କୁମାର ପାଣ୍ଡେ, ସବ୍-ଇନ୍ସପେକ୍ଟର ଲକ୍ଷ୍ମଣ ସିଂହ, କନଷ୍ଟେବଳ ମହମ୍ମଦ ରଫିକ୍ ଏବଂ କନଷ୍ଟେବଳ ସଞ୍ଜୀବ କୁମାର ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ତୁରନ୍ତ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିଲେ ହେଁ ଚିକିତ୍ସାଧୀନ ଅବସ୍ଥାରେ ସମସ୍ତ ୪ ଜଣ ମୃତ୍ୟୁବରଣ କରିଥିଲେ।

ଘଟଣା ପରେ ସ୍ଥାନୀୟ ପୋଲିସ ଓ ସୁରକ୍ଷାବଳ ତୁରନ୍ତ ପହଞ୍ଚି ଅଭିଯୁକ୍ତ ଯବାନ ଅବଧେଶ ସିଂହଙ୍କୁ ଗିରଫ କରିବା ସହ ତାଙ୍କ ବନ୍ଧୁକ ଜବତ କରିଛନ୍ତି। ସି.ଆଇ.ଏସ.ଏଫ. ପକ୍ଷରୁ ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ‘କୋର୍ଟ ଅଫ୍ ଇନକ୍ୱାରୀ’ ନିର୍ଦ୍ଦେଶ ଦିଆଯାଇଛି।

Leave A Reply

Your email address will not be published.