Latest Odisha News

ବିଜେଡି-ବିଜେପି ନୂଆ ସମୀକରଣ !

ଭୁବନେଶ୍ବର: ଦୁଇଟି ଚିତ୍ର, ସଂପର୍କ ନେଇ ଅନେକ ପ୍ରଶ୍ନ । ରାଜନୈତିକ ସୌଜନ୍ୟତା ନା ପୁରୁଣା ସଂପର୍କର ନବକଳେବର ! ପ୍ରଥମେ ମୋହନ ସରକାରର  ଶପଥ ଗ୍ରହଣ ସମାରୋହ ଦ୍ବିତୀୟରେ ପୁରୀରେ ରଥଯାତ୍ରା । ଉଭୟ ଚିତ୍ର ବିଜେଡି ଓ ବିଜେପି ମଧ୍ୟରେ ଭିତିରିଆ ସଂପର୍କକୁ ନେଇ ଚର୍ଚ୍ଚା ବଢାଇଛି । ନିର୍ବାଚନରେ ବେଳେ ପରସ୍ପରର କଟ୍ଟର ବିରୋଧୀ ବିଜେଡି ଓ ବିଜେପି ମଧ୍ୟରେ ସମୀକରଣ ସୌଜନ୍ୟତାଠାରୁ ଅଧିକ ରହିଥିବା କୁହାଯାଉଛି । ଲୋକସଭାରେ ବିଜେଡିର ଆଦୌ ପ୍ରତିନିଧିତ୍ବ ନଥିଲେ ବି ରାଜ୍ୟସଭାରେ ବିଜେପିକୁ ଦରକାର ପଡିପାରେ ବିଜେଡି । ସେହିପରି କ୍ଷମତାରୁ ଯିବା ପରେ ବିଜେଡି ତଦନ୍ତକାରୀ ସଂସ୍ଥାଙ୍କଠାରୁ ସୁରକ୍ଷା ପାଇଁ ବିଜେପି ସହ ହାତ ମିଳାଇପାରେ ବୋଲି ଚର୍ଚ୍ଚା ହେଉଛି ।

ଶପଥ ସମାରୋହରୁ ରଥଯାତ୍ରା

ରଥଯାତ୍ରା ଅବସରରେ ପୁରୀ ଯାଇଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନଙ୍କୁ ଦେଖି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ରାଜ୍ୟପାଳ ରଘୁବର ଦାସ ବସିବା ସ୍ଥାନରୁ ଉଠିବା ସହ ମଞ୍ଚକୁ ଆମନ୍ତ୍ରଣ କରିଥିଲେ, ତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନବୀନଙ୍କୁ ମଞ୍ଚ ଉପରକୁ ପାଛୋଟି ନେଇଥିଲେ । ବସିବା ପାଇଁ ନିଜ ଆସନ ବି ଛାଡି ଦେଇଥିଲେ । ସମାନ ଦୃଶ୍ୟ ଦେଖିବାକୁ ମିଳିଥିଲା ବିଜେପି ସରକାରର ଶପଥ ଗ୍ରହଣ ଉତ୍ସବରେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ ଆରମ୍ଭ କରି ଗୃହମନ୍ତ୍ରୀ ଅମିତ ଶାହା, ନୀତିନ ଗଡକରୀ, ଜେପି ନଡ୍ଡାଙ୍କ ପରି କେନ୍ଦ୍ରୀୟ ନେତା ନବୀନଙ୍କୁ ସ୍ବାଗତ କରିଥିଲେ । ନବୀନଙ୍କ ପ୍ରତି କେନ୍ଦ୍ରୀୟ ବିଜେପି ନେତାଙ୍କ ବ୍ୟବହାର ଭିନ୍ନ ସମୀକରଣକୁ ଇଙ୍ଗିତ କରୁଥିବା ଚର୍ଚ୍ଚା ହେଉଛି ।

ତଦନ୍ତରୁ ସୁରକ୍ଷା ପାଇଁ ଚୁପ୍ !

୨୪ବର୍ଷ ଧରି ରାଜ୍ୟରେ ଶାସନ କରିଥିବା ବିଜେଡି ଏଥର ବିରୋଧୀ ଆସନରେ ବସିଛି । ନିର୍ବାଚନ ଫଳାଫଳ ପ୍ରକାଶ ପାଇବାର ମାସେ ପୂରି ସାରିଲାଣି । ହେଲେ ଏପର୍ଯ୍ୟନ୍ତ କୌଣସି ପ୍ରସଙ୍ଗରେ ସେଭଳି ବିରୋଧ ପ୍ରଦର୍ଶନ କରିନି ବିଜେଡି । ରାଜ୍ୟସଭାରେ ଦଳୀୟ ସାଂସଦ କିଛିଟା ବିରୋଧ କରିଛନ୍ତି । ହେଲେ ଦିଲ୍ଲୀରେ ଗରମ ଆଭିମୁଖ୍ୟ ଦେଖାଉଥିବା ବିଜେଡି ରାଜ୍ୟରେ କିନ୍ତୁ ନରମ ହିଁ ରହିଛି । ମହାନଦୀ ହେଉ କି ଲକ୍ଷ୍ମୀ ବସରେ ରଙ୍ଗ ବଦଳ, କିଛି ପ୍ରସଙ୍ଗରେ ବିଜେଡି ପ୍ରେସମିଟ ତ କରିଛି ହେଲେ ସେଭଳି ତୀକ୍ଷ୍ଣ ବାଣ ମାରିନି। ନବୀନଙ୍କ ପ୍ରତି କେନ୍ଦ୍ରୀୟ ବିଜେପି ନେତାଙ୍କ ମନୋବୃତ୍ତି, ରାଜ୍ୟରେ ବିଜେଡିର ଆଭିମୁଖ୍ୟ ଦେଖି ଉଭୟ ଦଳ ଭିତରେ ସିକ୍ରେଟ୍ ସଂପର୍କ ନେଇ ବି ଚର୍ଚ୍ଚା ହେଲାଣି । ଖଣି ହେଉ କି ଚିଟଫଣ୍ଡ, ବିଜେଡିର ଅନେକ ନେତାଙ୍କ ନାଁ ଆସିଛି । ତେଣୁ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାଠାରୁ ସୁରକ୍ଷା ପାଇଁ ବିଜେଡି ବିଜେପି ସହ ସିକ୍ରେଟ୍ ଡିଲ୍ କରିଛି କି? ସେନେଇ ବି ପ୍ରଶ୍ନ ଉଠୁଛି ।

ରାଜ୍ୟସଭାରେ ଦରକାର ବିଜେଡି

ରାଜ୍ୟସଭାରେ ବିଜେଡିର ୯ଜଣ ସାଂସଦ ରହିଥିବା ବେଳେ ଗୃହରେ ବିଜେପିର ସଂଖ୍ୟା ଗରିଷ୍ଠତା ନାହିଁ। ରାଜ୍ୟସଭାରେ ଏବେ ମୋଟ୍ ୨୪୫ ସଦସ୍ୟ ରହିଥିବା ବେଳେ ୧୧୭ ଏନଡିଏ, ୮୦ ଇଣ୍ଡିଆ ମେଣ୍ଟ ଓ ୩୩ଜଣ ଅନ୍ୟ ଦଳର ସାଂସଦ ରହିଛନ୍ତି । ତେଣୁ କୌଣସି ବିଲ୍ ପାସ ହେଉ କି ବିରୋଧୀଙ୍କ ପ୍ରସ୍ତାବ କାଟ ପାଇଁ ହେଉ ବିଜେପିକୁ ବିଜେଡିର ଆବଶ୍ୟକତା ପଡିପାରେ । ଏଥର ରାଜ୍ୟସଭାରେ ବିଜେପିକୁ ରାଜ୍ୟସ୍ବାର୍ଥ ପାଇଁ ବିରୋଧ କରିବାକୁ ନବୀନ ଗୁରୁମନ୍ତ୍ର ଦେଇଥିଲେ ବି ପୂର୍ବରୁ ବିଜେପି ସରକାରକୁ ସମର୍ଥନ ଦେଇଆସିଛି ବିଜେଡି । ଏପରିକି ବିଜେପିର ଅଶ୍ବିନୀ ବୈଷ୍ଣବଙ୍କୁ ବି ବିଜେଡି ସମର୍ଥନ ଦେଇ ରାଜ୍ୟସଭା ପଠାଇଛି । ତେଣୁ ନବୀନଙ୍କ ପ୍ରତି ବିଜେପିର ଅତି ସୌଜନ୍ୟମୂଳକ ସଂପର୍କ ପଛରେ ରାଜ୍ୟସଭା ସମର୍ଥନ ଆଶା ବି ରହିଥାଇପାରେ ବୋଲି କୁହାଯାଉଛି ।

ନିର୍ବାଚନ ବେଳେ ନବୀନ ପଟ୍ଟନାୟକଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ପ୍ରଧାନମନ୍ତ୍ରୀ କହିଥିଲେ ବି ଟାର୍ଗେଟରେ ଭିକେ ପାଣ୍ଡିଆନ ହିଁ ରହିଥିଲେ । କେନ୍ଦ୍ରୀୟ ନେତା ହୁଅନ୍ତୁ କି ରାଜ୍ୟ ନେତା ସିଧାସଳଖ ନବୀନଙ୍କୁ କାଠଗଡାକୁ ଟାଣିନାହାନ୍ତି । ରତ୍ନଭଣ୍ଡାର ହେଉ କି ରାଜ୍ୟ ସମସ୍ୟା ସିଧା ଟାର୍ଗେଟରେ ନବୀନ ରହିନାହାନ୍ତି । ୨୦୧୯ ପରଠୁ ବିଜେଡି ବି କେନ୍ଦ୍ରୀୟ ଅବହେଳାକୁ ନେଇ ସେଭଳି ସ୍ବର ଉଠାଇନାହିଁ । ରାଜ୍ୟ ବିଜେପିକୁ କେବେ କେମିତି ଟାର୍ଗେଟ୍ କରିଥିଲେ ବି କେନ୍ଦ୍ରୀୟ ନେତାଙ୍କୁ କିଛି କହିନି ବିଜେଡି । ତେଣୁ ବାହାରେ ଶାସକ ବନାମ ବିରୋଧୀ ରହିଥିଲେ ବି ଭିତରେ ବିଜେଡି-ବିଜେପି ପୁଣି ବିପଦ ବେଳର ବନ୍ଧୁ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

Comments are closed.