Latest Odisha News

BREAKING NEWS

ପୁଣି ବିବାଦରେ ହ୍ୟୁମାନ ସାଗର

ଭୁବନେଶ୍ବର: ପୁଣି କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କୁ ନେଇ ନୂଆ ବିବାଦ । ଜଗନ୍ନାଥ ଭଜନକୁ ଅଶ୍ଲୀଳ ଭାବେ ଗାଇବା ନେଇ ଅଭିଯୋଗ ହୋଇଛି।  ଏହାକୁ ନେଇ ହ୍ୟୁମାନ ସାଗର ଓ କଣ୍ଠଶିଳ୍ପୀ ରୁକୁ ସୁନାଙ୍କ ନାଁରେ କ୍ୟାପିଟାଲ ଥାନାରେ ଏତଲା ଦିଆଯାଇଛି । ଉଭୟ କଣ୍ଠଶିଳ୍ପୀଙ୍କ ବିରୋଧରେ ଥାନାରେ ଏତଲା ଦେଇଛି ଇଣ୍ଟର ନ୍ୟାସନାଲ ହ୍ୟୁମାନ ରାଇଟସ କମିଶନ ସଂଘ । ତେବେ ବିବାଦ ହ୍ୟୁମାନ ସାଗରଙ୍କ ପାଇଁ ନୂଆ ନୁହେଁ । ପୂର୍ବରୁ ବି ପାରିବାରିକ କଳି ଓ ଗୀତକୁ ନେଇ ଅନେକ ସମୟରେ ସେ ବିବାଦରେ ରହିଛନ୍ତି ।

ଭଜନକୁ ଅଶ୍ଲୀଳ ଭାବେ ଗାଇଲେ !

କଣ୍ଠଶିଳ୍ପୀ ରୁକୁ ସୁନା ଜଗନ୍ନାଥ ଭଜନକୁ କଦର୍ଥ କରି ଗାଇଥିବା ଶୁଣିବାକୁ ମିଳୁଛି । ହ୍ୟୁମାନ ସାଗର ଏହା ଶୁଣି ହସୁଥିବା ଦେଖିବାକୁ ମିଳୁଛି । ସୋସିଆଲ୍ ମିଡିଆରେ ଭଜନ ଗାଇବା ଭିଡିଓ ଭାଇରାଲ୍ ହେବା ପରେ ଉଭୟଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଛନ୍ତି ମାନବାଧିକାର କର୍ମୀ ଶିବସୁନ୍ଦର ସ୍ବାଇଁ । ରଥଯାତ୍ରା ଚାଲିଥିବା ବେଳେ ଜଗନ୍ନାଥ ଭଜନକୁ ଏଭଳି ଶୈଳୀରେ ଗାଇବା ଜଗନ୍ନାଥପ୍ରେମୀଙ୍କ ଭାବାବେଗକୁ ଆଘାତ ଦେଇଛି । କେବଳ ହ୍ୟୁମାନ ସାଗର ଓ ରୁକୁ ସୁନା ନୁହେଁ ଯେଉଁ ଷ୍ଟୁଡିଓରେ ଗୀତ ରେକର୍ଡ ହୋଇଛି ତା ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି । ତେବେ ଏନେଇ ହ୍ୟୁମାନ ସାଗର, ରୁକୁ ସୁନା କିମ୍ବା ଗୀତର ପ୍ରଯୋଜକଙ୍କ ପ୍ରତିକ୍ରିୟା ମିଳିପାରିନି ।

ସ୍ତ୍ରୀ ଆଣିଥିଲେ ସାଂଘାତିକ ଅଭିଯୋଗ

ପାରିବାରିକ ବିବାଦକୁ ନେଇ ବି ଚର୍ଚ୍ଚାରେ ରହିଥିଲେ ହ୍ୟୁମାନ ସାଗର । ସେ ଶାରିରୀକ ଓ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗରେ କଟକ ମହିଳା ଥାନାରେ ପହଞ୍ଚିଥିଲେ ପତ୍ନୀ ଶ୍ରୀୟା ମିଶ୍ର। ହ୍ୟୁମାନଙ୍କ ପରକୀୟା ସଂପର୍କ ସହ ସେ ଶ୍ରୀୟାଙ୍କୁ ଧର୍ମାନ୍ତରୀକରଣ ପାଇଁ ଚାପ ପକାଉଥିବା ବି ଅଭିଯୋଗ ହୋଇଥିଲା । ତେବେ କାଉନସେଲିଂ ପରେ ତୁଟିଥିଲା ବିବାଦ । ଉଭୟ ଏକାଠି ରହିବା ନେଇ ବୁଝାମଣା କରିଥିଲେ ।

ହ୍ୟୁମାନ-ଜାପାନୀ ବିବାଦ

ଜଗନ୍ନାଥ ଭଜନ ଗାଇବାକୁ ନିବେଦନ କରାଯାଇଥିଲେ ବି ହ୍ୟୁମାନ ସାଗର ପ୍ରତ୍ୟାଖ୍ୟାନ କରିଥିବା ଅଭିଯୋଗ ଆଣିଥିଲେ ସଂଗୀତ ନିର୍ଦ୍ଦେଶକ ଜାପାନୀ। ଭିନ୍ନ ଧର୍ମର ହୋଇଥିବାରୁ ହ୍ୟୁମାନ ଜଗନ୍ନାଥ ଭଜନ ଗାଇବାକୁ ରାଜି ହେଉନଥିବା ସେ କହିଥିଲେ । ଏପରିକି କଟକ ଆସିଲେ ଜାପାନୀଙ୍କୁ ହତ୍ୟା କରାଯିବ ବୋଲି ହ୍ୟୁମାନ ସାଗର ଧମକ ଦେଇଥିବା ଅଭିଯୋଗ କରି ଥାନାରେ ଏତଲା ଦେଇଥିଲେ ଦେବାଶିଷ ମଲ୍ଲିକ ଓରଫ ଜାପାନୀ । ତେବେ ବିବାଦ ଭିତରେ ଜଗନ୍ନାଥ ଭଜନ ଗାଇଥିଲେ ହ୍ୟୁମାନ ସାଗର।

ଗୀତକୁ ନେଇ ବି ବିବାଦ

ଗୀତକୁ ନେଇ ପୂର୍ବରୁ ବି ବିବାଦ ଘେରରେ ରହିଛନ୍ତି କଣ୍ଠଶିଳ୍ପୀ ହ୍ୟୁମାନ ସାଗର । ସେ ଗାଇଥିବା ଛେଣ୍ଡିପଦା ରାଣୀ ଗୀତକୁ ନେଇ ଜୋରଦାର ବିରୋଧ ହୋଇଥିଲା। ସ୍ଥାନୀୟ ମହିଳାଙ୍କ ପ୍ରତି ଆପତ୍ତିଜନକ ଶବ୍ଦ ବ୍ୟବହାର ପ୍ରତିବାଦରେ ଛେଣ୍ଡିପଦା ଯୁବ ମଞ୍ଚ ପକ୍ଷରୁ ଥାନାରେ ଏତଲା ଦିଆଯାଇଥିଲା । ଗୀତକୁ ବ୍ୟାନ୍ କରିବା ସହ ହ୍ୟୁମାନ ସାଗର ଭୁଲ ମାଗିବାକୁ ଦାବି ହୋଇଥିଲା । ସେହିପରି ଝିଅ ନୁହେଁ ତୁ କରୋନା ଭାଇରସ ଗୀତ ଗାଇ ବିବାଦରେ ଛନ୍ଦି ହୋଇଥିଲେ ହ୍ୟୁମାନ ସାଗର । ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପୋଲିସରେ ଅଭିଯୋଗ କରାଯାଇଥିଲା । ଗୀତକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ଭୁଲ୍ ମାଗିଥିଲେ ହ୍ୟୁମାନ ସାଗର ।

Comments are closed.