Latest Odisha News

ଭାରତ-ଋଷିଆ : ପୁରୁଣା ସଂପର୍କର ନୂଆ ମୂଲ୍ୟାୟନ

ନୂଆଦିଲ୍ଲୀ: ପରିବର୍ତ୍ତିତ ବିଶ୍ୱ ରାଜନୈତିକ ଦୃଶ୍ୟପଟ୍ଟରେ ଭାରତ ଓ ଋଷିଆ ସଂପର୍କ ମଧ୍ୟ ପ୍ରଭାବିତ ହୋଇଛି । ଏକ ପ୍ରମୁଖ ଶକ୍ତି ଭାବେ ଚୀନ୍ ମୁଣ୍ଡ ଟେକିଥିବା ବେଳେ ଦୁଇ ପୁରୁଣା ବନ୍ଧୁଙ୍କ ମଧ୍ୟରେ ରହିଆସିଥିବା ସଂପର୍କର ନୂଆ ମୂଲ୍ୟାୟନ ହେବା ସ୍ୱାଭାବିକ । ଗତ କିଛି ବର୍ଷ ମଧ୍ୟରେ ଋଷିଆ ଓ ଚୀନ୍ ମଧ୍ୟରେ ସଂପର୍କ ନିବିଡ ହୋଇଛି। ଏଣେ ୟୁକ୍ରେନ ଯୁଦ୍ଧ ଦ୍ୱାରା ଜଟିଳ ହୋଇଛି ବିଶ୍ୱ ରାଜନୀତି । ଏସବୁ ପରିବର୍ତ୍ତିତ ପରିସ୍ଥିତିରେ ଋଷିଆ ଓ ଭାରତ ଦ୍ୱିପାକ୍ଷିକ ସଂପର୍କରେ ତିକ୍ତତା ଆସିବାକୁ ଦେଇନାହାନ୍ତି, ବରଂ ପରସ୍ପର ଉଭୟ ଦେଶ ପରସ୍ପର ଉପରେ ଅଧିକ ନିର୍ଭରଶୀଳ ହେବା ଜଣାପଡୁଛି । ଆମେରିକା ସହ ଭାରତର ସଂପର୍କରେ କୌଣସି ପରିବର୍ତ୍ତନ ହୋଇନଥିବା ବେଳେ ଋଷିଆ କ୍ଷେତ୍ରରେ ସ୍ୱାଧୀନ ନୀତି ଆପଣାଇଛି ନୂଆଦିଲ୍ଲୀ ।

୨୦୧୯ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଥମ ଋଷିଆ ଗସ୍ତ ଦ୍ୱିପାକ୍ଷିକ ସଂପର୍କକୁ ଗତି ଦେବ ବୋଲି ଆଶା କରାଯାଉଛି । ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅନେକ ସମୟରେ ପରସ୍ପରର ପ୍ରଶଂସା କରିଛନ୍ତି । ଭାରତରେ ଗତବର୍ଷ ହୋଇଥିବା ଜି-୨୦ ସମ୍ମିଳନୀରେ ରାଷ୍ଟ୍ରପତି ପୁଟିନ ଯୋଗ ଦେଇନଥିଲେ ମଧ୍ୟ ମିଳିତ ଘୋଷଣାନାମାକୁ ମିଳିଥିଲା ଋଷିଆର ସମର୍ଥନ । ପୂର୍ବରୁ ୟୁକ୍ରେନ ଯୁଦ୍ଧ କାରଣରୁ ପାଶ୍ଚାତ୍ୟ ଦେଶଗୁଡିକ ଋଷିଆ ଉପରେ କଟକଣା ଜାରି କରିଥିଲେ । ହେଲେ ଆପତ୍ତି ସତ୍ତ୍ୱେ ଋଷିଆଠାରୁ ତେଲ ଆମଦାନୀ ଜାରି ରଖିଥିଲା ଭାରତ ।

ପ୍ରଧାନମନ୍ତ୍ରୀ ଭାବେ ତୃତୀୟ କାର୍ଯ୍ୟକାଳ ଆରମ୍ଭ କରିବା ମାତ୍ରେ ହିଁ ମୋଦିଙ୍କ ଋଷିଆ ଗସ୍ତ ଦୁଇ ଦେଶର ସଂପର୍କର ଗୁରୁତ୍ୱ ବହନ କରୁଛି । ପ୍ରଧାନମନ୍ତ୍ରୀଙ୍କ ଋଷିଆ ଗସ୍ତ ଦ୍ୱାରା ଚୀନକୁ ମଧ୍ୟ ଏକ ସନ୍ଦେଶ ଦେଇଛି ଭାରତ । ପାଶ୍ଚାତ୍ୟ ଦେଶକୁ ମଧ୍ୟ ଏଥିରୁ ଏକ ବାର୍ତ୍ତା ଯାଉଛି ଯେ, ପୁରୁଣା ବନ୍ଧୁ ସହ ସଂପର୍କ କଥା ଉଠିଲେ ଭାରତ କାହା କଥା ଶୁଣିବ ନାହିଁ । ନିଜ ସ୍ୱାର୍ଥକୁ ହିଁ ପ୍ରାଥମିକତା ଦେବ । ଅନେକ କ୍ଷେତ୍ରରେ ଦୁଇ ଦେଶ ପରସ୍ପର ଉପରେ ନିର୍ଭରଶୀଳ । ୨୦୨୩-୨୪ରେ ଦ୍ୱିପାକ୍ଷିକ ବ୍ୟାପାର ବୃଦ୍ଧି ପାଇଛି । ଶକ୍ତି ଓ ପ୍ରତିରକ୍ଷା କ୍ଷେତ୍ରରେ ଋଷିଆ ଭାରତର ଗୁରୁତ୍ୱପୂର୍ଣ୍ଣ ସହଯୋଗୀ । ଭାରତକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶଙ୍କ ମଧ୍ୟରେ ଋଷିଆର ସ୍ଥାନ ପ୍ରଥମ ।

ଭାରତୀୟ ବାୟୁସେନାରେ ଋଷିଆ ନିର୍ମିତ ସୁଖୋଇ ଏସୟୁ-୩୦ ଏମକେଆଇ, ମିଗ୍ -୨୯ ଓ ମିଗ୍ ୨୧ ଲଢୁଆ ବିମାନ ବ୍ୟବହାର ହେଉଛି । ଋଷୀୟ ଟି-୭୨ ଓ ଟି-୯୦ ଟ୍ୟାଙ୍କ୍ ବ୍ୟବହାର କରୁଛି ଭାରତୀୟ ସ୍ଥଳସେନା। ଋଷିଆଠାରୁ ଏକ ପରମାଣୁ ବୁଡାଜାହାଜ ଲିଜରେ ନେଇଛି ଭାରତ। ଏଥିସହ ପରମାଣୁ ବୁଡାଜାହାଜ ନିର୍ମାଣରେ ଭାରତକୁ ସହାୟତା କରୁଛି ଋଷିଆ । ପ୍ରଧାନମନ୍ତ୍ରୀ ମୋଦିଙ୍କ ମସ୍କୋ ଗସ୍ତ ପୂର୍ବରୁ ଭାରତ-ଋଷିଆର ମିଳିତ ଉଦ୍ୟମରେ ପ୍ରତିଷ୍ଠିତ ଇଣ୍ଡୋ-ଋଷିଆନ ରାଇଫଲ୍ସ ପ୍ରାଇଭେଟ ଲିମିଟେଡ୍ ୩୫ ହଜାର ଏକେ-୨୦୩ ରାଇଫଲ୍ସ ଭାରତୀୟ ସେନାକୁ ଯୋଗାଇଛି । ସମୟ ବଦଳିବା ସହ ଦୁଇ ପୁରୁଣା ବନ୍ଧୁ ସଂପର୍କର ନୂଆ ମୂଲ୍ୟାୟନ କରିଚାଲିଛନ୍ତି ।

Comments are closed.