Latest Odisha News

ଖାଲି କ୍ଷୀର ବୋତଲରେ ଫସିଥିବା ନାଗସାପକୁ ଉଦ୍ଧାର କଲା ସ୍ନେକ ହେଲ୍ପଲାଇନ

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠରେ ଥିବା ଜାମୁକୋଳି ଗ୍ରାମର ନକୁଳ ଖଟେଇଙ୍କ ବାଡି ଭିତରେ ରଖା ଯାଇଥିବା ପରିତ୍ୟକ୍ତ କ୍ଷୀର ବୋତଲ ବସ୍ତା ଭିତରେ ଏଇ ନାଗ ସାପ ଅଧା ପଶି ରହିଥିଲା । ସାପଟିକୁ ନାଗ ବୋଲି ଜାଣିବା ପରେ ଆଉ ନମାରି, ନକୁଳ ଉଦ୍ଧାର ପାଇଁ ସ୍ନେକ ହେଲ୍ପ ଲାଇନକୁ ଫୋନ୍ କରିଥିଲେ ।

ସ୍ନେକ ହେଲ୍ପ ଲାଇନ ସଦସ୍ୟ ବିଦେଶୀ ମହାପାତ୍ର ଘଟଣା ସ୍ଥଳରେ ପହଞ୍ଚି ସାପର ଲାଞ୍ଜ କୁ ଧରି ଧୀରେ ଧୀରେ ଟାଣିଲେ ମଧ୍ୟ ତାହା ସେଇ ଅଖା ବସ୍ତା ଭିତରୁ ଆଦୌ ବାହାରିଲା ନାହିଁ । ଅନ୍ୟ ଉପାୟ ନପାଇ ବିଦେଶୀ ଅପର ପଟେ ବସ୍ତାକୁ କାଟିଦେବା ପରେ ବୋତଲ ଗୁଡ଼ିକ ତଳକୁ ଗଡିଗଲା। ସାପ ମୁଣ୍ଡକୁ ବୋତଲ ବାହାରକୁ ଆଣିବା ପାଇଁ ବିଦେଶୀ ଯେତେ ଚେଷ୍ଟା କଲେ ବି ବାହାରିଲା ନାହିଁ । ଭୂଇଁ ଉପରେ ଥୋଇଲେ ତାହା ବୋତଲ ଭିତରକୁ ଅଧିକ ପଶିବା ପାଇଁ ଚେଷ୍ଟା କରୁଥାଏ । ବୋତଲ ଭାଙ୍ଗି ସାପକୁ ମୁକ୍ତ କରିବା ପାଇଁ ଭାବିଁ ବିଦେଶୀ ଘଟଣା ସ୍ଥଳରୁ ସ୍ନେକ୍ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକଙ୍କୁ ପରାମର୍ଶ ମାଗିଲେ । ଶୁଭେନ୍ଦୁ କାଚ କୁ ନ ଭାଙ୍ଗି ଯତ୍ନ କରି ସ୍ନେକ୍ ହେଲ୍ପ ଲାଇନ କାର୍ଯ୍ୟାଳୟ କୁ ଆଣିବା ପାଇଁ କହିଲେ ।

ସାପଟିର ଗତି ବିଧି ଦେଖିବା ପରେ ଶୁଭେନ୍ଦୁ ବୋତଲ ଭିତରେ ଏକ ମୂଷା/ବେଙ୍ଗ ର ମୃତ ଦେହ ପଡିଥିବା ଦେଖିବାକୁ ପାଇଥିଲେ । କାଚ କୁ ବାଡେଇ ଭାଙ୍ଗିଲେ କାଳେ ସାପ ଦେହରେ ଧାରୁଆ କାଚ ବାଜି କଟି ଯିବ, ତେଣୁ ତା ପୂର୍ବରୁ ନଡ଼ିଆ ତେଲ ଲଗେଇ ଧୀରେ ଧୀରେ ସାପ ଦେହକୁ ବାହାରକୁ ଆଣିବା ପାଇଁ ଯୋଜନା କରାଗଲା । ବିଦେଶୀ ନଡ଼ିଆ ତେଲ ବୋତଲ ରୁ ସାପ ଦେହ ରେ ନଡିଆ ତେଲ ପକେଇବା ବେଳେ, ଶୁଭେନ୍ଦୁ କୌଣସି ଚାପ ପ୍ରୟୋଗ ନକରି ଆସ୍ତେ ଆସ୍ତେ ସାପ ଦେହକୁ ବାହାରକୁ ଟାଣିବାକୁ ଲାଗିଲା । ନଡ଼ିଆ ତେଲ ଯୋଗୁଁ ସାପ ର ଦେହ ଚିକ୍କଣ ହୋଇ ଆରାମରେ କାଚ ବାହାରକୁ ବାହାରିବାକୁ ଲାଗିଲା । ଗୋଟେ ମିନିଟ ତୁ କମ୍ ସମୟ ମଧ୍ୟରେ ସାପଟି ସମ୍ପୂର୍ଣ୍ଣ ଭାବରେ ବୋତଲ ବାହାରକୁ ଚାଲି ଆସିଥିଲା ।

ସାପଟିକୁ ଅନ୍ୟତ୍ର ଏକ ପ୍ରାକୃତିକ ଆବାସ ସ୍ଥଳୀରେ ଛାଡ଼ି ଦିଆଯାଇଛି । ଶୁଭେନ୍ଦୁ ମଲ୍ଲିକ କହିଛନ୍ତି “ସାପଟି ଖାଦ୍ୟ ଲୋଭରେ ନା ଚୁଚୁନ୍ଦ୍ରା କୁ ଛାଡି ପାରୁଥିଲା, ନା ଚୁଚୁନ୍ଦ୍ରା କୁ ଗିଳି ପାରୁଥିଲା । ବୋତଲ ର ମୁହଁ ଟି ଛୋଟ ହୋଇଥବାରୁ ଚୁଚୁନ୍ଦ୍ରା କୁ ଗିଳି ସେଇ ବୋତଲ ର ଫନ୍ଦ କୁ ଅତିକ୍ରମ କରିବା ଅସମ୍ଭବ ଥିଲା । ଘରେ ସ୍ତ୍ରୀ ଲୋକମାନେ ଚୁଡ଼ି ପିନ୍ଧିବା ବା ବାହାର କରିବା ବେଳେ ନଡ଼ିଆ ତେଲ ଲଗେଇଲେ ଚୁଡ଼ି ସହଜରେ ବାହାରି ଯାଇଥାଏ । ସେଇ ଘଟଣା ରେ ଅନୁପ୍ରାଣିତ ହୋଇ ମୁଁ ନଡ଼ିଆ ତେଲ ବ୍ୟବାହର କରିଥିଲି ଏବଂ ସାପକୁ ଆମେ ଅକ୍ଷତ ଭାବରେ ଉଦ୍ଧାର କରିଥିଲୁ” ।

ସୂଚନାଯୋଗ୍ୟ, ଗତ ସପ୍ତାହ ରେ ଏକ ପରିତ୍ୟକ୍ତ ପ୍ଲାଷ୍ଟିକ କଫ ସିରପ ବୋତଲ ଗିଳି ଏକ ନାଗ ସାପ ବହୁତ ହଟହଟା ହୋଇଥିଲା । ତ୍ରୁଟି ପୂର୍ଣ୍ଣ ବର୍ଜ୍ୟ ବସ୍ତୁ ପରିଚାଳନା ଯୋଗୁଁ ପରିବେଶ ଏବଂ ଖାସ୍ କରି ବନ୍ୟପ୍ରାଣୀ ହଇରାଣ ହେଉଥିବା ବାରମ୍ବାର ନଜରକୁ ଆସିବା ପାଇଁ କେବଳ ମଣିଷ ଦାୟୀ ବାରମ୍ବାର ପ୍ରମାଣିତ ହେଉଛି ।

Comments are closed.