Latest Odisha News

BREAKING NEWS

Delimitation bill: ସ୍ୱତନ୍ତ୍ର ବିଧାନସଭା ଅଧିବେଶନ ଡାକିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ

ଭୁବନେଶ୍ୱର: ସୀମା ପୁନଃ ନିର୍ଦ୍ଧାରଣ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଆଜି ଏକ ଚିଠି ଲେଖି ଆଗାମୀ ୪୮ ଘଣ୍ଟା ମଧ୍ୟରେ ରାଜ୍ୟ ବିଧାନ ସଭାର ସ୍ୱତନ୍ତ୍ର ଅଧିବେଶନ ଡାକି ଏ ପ୍ରସଙ୍ଗ ରେ ଆଲୋଚନା କରିବା ପାଇଁ ଅନୁରୋଧ କରିଛନ୍ତି । ନବୀନ ପଟ୍ଟନାୟକ କହିଛନ୍ତି ଯେ, ସମ୍ବିଧାନର ପ୍ରସ୍ତାବିତ ୧୩୧ ତମ ସଂଶୋଧନ ବିଲ୍‌ ୨୦୨୬ – ସୀମା ପୁନଃ ନିର୍ଦ୍ଧାରଣ ବିଲ୍‌ ଦ୍ୱାରା ଲୋକସଭାରେ ଆସନ ସଂଖ୍ୟାରେ ବ୍ୟାପକ ପରିବର୍ତ୍ତନ ଘଟିବ । ଲୋକ ସଭାର ସଦସ୍ୟ ସଂଖ୍ୟା ୫୪୩ ରି ୮୫୦ କୁ ବୃଦ୍ଧି ପାଇବ । ବର୍ତ୍ତମାନ ଓଡିଶାର ଲୋକ ସଭା ଆସନ ସଂଖ୍ୟା ୨୧ ଅଛି ଯାହାକି ମୋଟ ଆସନ ସଂଖ୍ୟାର ୩.୯ ପ୍ରତିଶତ । କିନ୍ତୁ ଯଦି ଉପରୋକ୍ତ ସମ୍ବିଧାନ ସଂଶୋଧନ ବିଲ୍‌ ପାରିତ ହୁଏ ତେବେ ଲୋକସଭାରେ ଓଡିଶାର ପ୍ରତିନିଧିତ୍ୱ ୨୯ କୁ ବୃଦ୍ଧି ପାଇବ । କିନ୍ତୁ ଆନୁପାତିକ ହାରରେ ଏହା ୩.୯ ପ୍ରତିଶତରୁ ୩.୪ ପ୍ରତିଶତକୁ ହ୍ରାସ ଘଟିବ ।

ସେ ଆହୁରି କହିଛନ୍ତି, ଓଡିଶା ଜନସଂଖ୍ୟା ନିୟନ୍ତ୍ରଣରେ ଏକ ଆଗୁଆ ରାଜ୍ୟ ଏବଂ ମାନବ ସମ୍ବଳର ବିକାଶରେ ମଧ୍ୟ ପ୍ରଶଂସନୀୟ କାର୍ଯ୍ୟ କରି ଆସିଛି । କିନ୍ତୁ ଏହି ନୂତନ ସଂଶୋଧନ ଦ୍ୱାରା ଓଡିଶାର ରାଜନୈତିକ ପ୍ରତିନିଧିତ୍ୱ ଜାତୀୟ ସ୍ତରରେ ୧୫ ପ୍ରତିଶତ ହ୍ରାସ ର ସମ୍ଭାବନା ରହିଛି, ଯାହାକି ଚିନ୍ତା ଜନକ । ଓଡ଼ିଶାର ରାଜନୈତିକ ପ୍ରତିଷ୍ଠା ବିଶେଷ ଭାବରେ ପ୍ରଭାବିତ ହେବ । ରିପୋର୍ଟ ଅନୁଯାୟୀ ଏହି ପ୍ରସ୍ତାବିତ ନୂତନ ବ୍ୟବସ୍ଥା ଦ୍ୱାରା ଓଡିଶା ବିପୁଳ କ୍ଷତି ସହିବାରେ ଦେଶର ଚତୁର୍ଥ ରାଜ୍ୟ ହେବ । ସାଢେ ଚାରିକୋଟି ଓଡିଆଙ୍କ ଆଶା ଓ ଆକାଂକ୍ଷା ଉପରେ ଏହା ଏକ ଶକ୍ତ ପ୍ରହାର ସଦୃଶ ଏବଂ ଆମର ଭବିଷ୍ୟତ ପୀଢି ପାଇଁ ବହୁତ ବଡ ଅନ୍ୟାୟ ହେବ ।

ତାଙ୍କ ପତ୍ରରେ ନବୀନ ପଟ୍ଟନାୟକ ଆହୁରି ଉଲ୍ଲେଖ କରିଛନ୍ତି ଯେ, ଯଦି ଓଡିଶାର ରାଜନୈତିକ ଅଧିକାର ଅକ୍ଷୁର୍ଣ୍ଣ ରୁହେ, ତେବେ ଯାଇ ଆମେ ଏହି ବିଲ୍‌କୁ ସ୍ୱାଗତ କରିବୁ । କିନ୍ତୁ ଆମର ମହାନ ସମ୍ବିଧାନରେ ଉଲ୍ଲିଖିତ ସହଯୋଗ ମୂଳକ ସଂଘୀୟବାଦର ଏହି ବିଲ୍‌ ବିରୁଦ୍ଧାଚରଣ କରୁଅଛି । ତେଣୁ ଓଡିଶାର ରାଜନୈତିକ ଅଧିକାର କ୍ଷୁର୍ଣ୍ଣ ହେଲା ଭଳି ଯଦି କୌଣସି କାର୍ଯ୍ୟ ଘଟେ ତେବେ ଏହା ଓଡିଶାବାସୀଙ୍କର ଆଶା ଆକାଂକ୍ଷା ପ୍ରତି ଐତିହାସିକ ଧୋକା ହେବ ବୋଲି ପଟ୍ଟନାୟକ କହିଛନ୍ତି ।

ତେଣୁ ମୁଖ୍ୟମନ୍ତ୍ରୀ ଭାବରେ ତାଙ୍କର ନୈତିକ ଓ ଆଇନଗତ କ୍ଷମତା ସମ୍ପର୍କରେ ସ୍ମରଣ କରାଇ ଦେଇ ନବୀନ ପଟ୍ଟନାୟକ ଆଗାମୀ ୪୮ ଘଣ୍ଟା ମଧ୍ୟରେ ଓଡିଶା ବିଧାନ ସଭାର ସ୍ୱତନ୍ତ୍ର ଅଧିବେଶନ ଡାକି ଏହାକୁ ବିରୋଧ କରି ବିଧାନସଭା ରେ ଏକ ସଂକଳ୍ପ ପାରିତ କରିବା ପାଇଁ ଅନୁରୋଧ କରିଛନ୍ତି । ଓଡିଶାର ରାଜନୈତିକ ଅଧିକାର ଯେପରି ୦.୦୦୧% କ୍ଷୁର୍ଣ୍ଣ ନ ହେବ ସେଥିପାଇଁ ଆମେ ସମସ୍ତେ କାମ କରିବା ଦରକାର । ଏହି ପ୍ରସଙ୍ଗକୁ ଜଣେ ଓଡିଆ ଭାବରେ ଦୃଢତାର ସହ ଗ୍ରହଣ କରିବା ପାଇଁ ଅନୁରୋଧ କରିବା ସହ ଆମର ପ୍ରିୟ ଓଡିଶା ମାଟିର ଭାଗ୍ୟ ଓ ଭବିଷ୍ୟତର ସୁରକ୍ଷା ପାଇଁ ବିଜୁ ଜନତା ଦଳ ତାଙ୍କୁ ପୂର୍ଣ୍ଣ ସମର୍ଥନ ଜଣାଇବ ବୋଲି ଶ୍ରୀ ପଟ୍ଟନାୟକ ପ୍ରତିଶ୍ରୁତି ଦେଇଛନ୍ତି ।

ମହିଳା ସଂରକ୍ଷଣ ବିଲ୍‌ ସମ୍ପର୍କରେ ଉଲ୍ଲେଖ କରି ନବୀନ ପଟ୍ଟନାୟକ କହିଛନ୍ତି ଯେ ମହାନ ଜନନାୟକ ବିଜୁ ବାବୁ ମହିଳା ସଂରକ୍ଷଣ ଓ ମହିଳା ସଶକ୍ତି କରଣ କ୍ଷେତ୍ରରେ ସାରା ଦେଶରେ ଜଣେ ଅଗ୍ରଦୂତ ଥିଲେ । ବିଜୁ ଜନତା ଦଳ ସବୁବେଳେ ବିଧାନସଭା ଓ ପାର୍ଲାମେଣ୍ଟରେ ମହିଳାମାନଙ୍କ ପ୍ରତିନିଧିତ୍ୱ ବୃଦ୍ଧି ପାଇଁ ସଂଗ୍ରାମ କରି ଆସିଛି । ପଞ୍ଚାୟତି ରାଜ ଅନୁଷ୍ଠାନ ମାନଙ୍କରେ ମହିଳାମାନଙ୍କ ପାଇଁ ୫୦ ପ୍ରତିଶତ ସଂରକ୍ଷଣ ବିଜେଡି ବହୁ ପୂର୍ବରୁ କରିଛି । ତେଣୁ ମହିଳାଙ୍କ ସଶକ୍ତି କରଣ ପାଇଁ ଆସୁଥିବା ଜାତୀୟ ବିଧେୟକକୁ ବିଜୁ ଜନତା ଦଳ ପୂର୍ଣ୍ଣ ସମର୍ଥନ ଦେବ ବୋଲି ନବୀନ ପଟ୍ଟନାୟକ ତାଙ୍କ ପତ୍ରରେ ମଧ୍ୟ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.