Latest Odisha News

ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀର ପାସିଂ ଆଉଟ୍ ପ୍ୟାରେଡ

ଭୁବନେଶ୍ବର: ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀର ପାସିଂ ଆଉଟ୍ ପ୍ୟାରେଡ। ଆଜି ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀରେ ସଶସ୍ତ୍ର ପୋଲିସ ସବ୍‌ ଇନ୍‌ସପେକ୍ଟରଙ୍କ ପାସିଂ ଆଉଟ୍‌ ପ୍ୟାରେଡରେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ଏହି ଅବସରରେ ୟୁନିଫର୍ମ ସର୍ଭିସ୍‌ରେ ନିଜର ବ୍ୟକ୍ତିଗତ ଜୀବନରେ ଅନେକ ତ୍ୟାଗ ଦେବାକୁ ପଡିଥାଏ। ସାଧାରଣ ନାଗରିକ, ଆମର ମା, ଭଉଣୀ ଏବଂ ପିଲାମାନଙ୍କର ସୁରକ୍ଷା ଆମ ଉପରେ ନିର୍ଭର କରେ। ଏ କ୍ଷେତ୍ରରେ କର୍ତ୍ତବ୍ୟନିଷ୍ଠା ସହିତ ଉତ୍ତମ ବ୍ୟବହାର ପୋଲିସର ଭାବମୂର୍ତ୍ତିକୁ ଉଜ୍ଜଳ କରିବାରେ ସହାୟକ ହୁଏ। ୟୁନିଫର୍ମ ସର୍ଭିସକୁ  ଜନସାଧାରଣଙ୍କ ଉତ୍ସର୍ଗୀକୃତ ସେବାର ଏକ ପ୍ରତୀକ ଭାବେ ପ୍ରତିଫଳିତ କରିବା ପାଇଁ ଆପଣମାନଙ୍କୁ ସଦା ସର୍ବଦା ପ୍ରସ୍ତୁତ ରହିବାକୁ ପଡିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

୧୧୩ ଜଣ ସଶସ୍ତ୍ର ପୋଲିସ ସବ୍‌ ଇନ୍‌ସପେକ୍ଟରଙ୍କ ପ୍ରଶିକ୍ଷଣ ସଂପୂର୍ଣ୍ଣ ହୋଇଛି ଏବଂ ସେମାନେ ଖୁବ ଶୀଘ୍ର କାର୍ଯ୍ୟରେ ଯୋଗ ଦେବେ।
ଆଇନଶୃଙ୍ଖଳା ରକ୍ଷା ଓ ମାଓ ମୁକାବିଲା କ୍ଷେତ୍ରରେ କର୍ତ୍ତବ୍ୟରତ ଶହୀଦ ପୋଲିସ୍ କର୍ମଚାରୀମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ ମଧ୍ଯ କରିଥିଲେ।

ଦୀର୍ଘଦିନର ଅବିଶ୍ରାନ୍ତ କଠିନ ପରିଶ୍ରମ ସହ ମୌଳିକ ତାଲିମ ସମ୍ପୂର୍ଣ୍ଣ କରି ୧୧୩ ଜଣ ସଶସ୍ତ୍ର ଶିକ୍ଷାନଵିଶ ପୋଲିସ୍ ସବ-ଇନସ୍ପେକ୍ଟର ଆଜି ପାସିଂ ଆଉଟ କରୁଛନ୍ତି। ଟ୍ରେନି ଅଫିସରଙ୍କ ପିତାମାତା ଓ ପରିବାରର ସଦସ୍ୟମାନେ ସେମାନଙ୍କୁ ପୋଲିସ ସେବାରେ ଉତ୍ସର୍ଗୀକୃତ ହେବା କ୍ଷେତ୍ରରେ ନିରନ୍ତର ସମର୍ଥନ କରି ଆସିଛନ୍ତି । ସେଥିପାଇଁ ସେମାନେ ମଧ୍ୟ ଧନ୍ୟବାଦର ପାତ୍ର ବୋଲି ପ୍ରକାଶ କରିଥିଲେ ମୁଖ୍ୟମନ୍ତ୍ରୀ।

ଆଜିଠାରୁ, ଆପଣମାନଙ୍କୁ  କଠିନରୁ କଠିନ ଆହ୍ଵାନ ପାଇଁ ପ୍ରସ୍ତୁତ ହେବା ଉଚିତ୍। ଓଡିଶାର ସ୍ପେଶାଲ ଅପରେସନ୍ ଗ୍ରୁପ୍ ହେଉଛି ଦେଶର ମାଓବାଦୀ ମୁକାବିଲା ନିମନ୍ତେ ସବୁଠାରୁ ଉତ୍ତମ ଓ ଉଚ୍ଚକୋଟୀର ସୁରକ୍ଷା ବଳ। ଏହି ଅଧିକାରୀଙ୍କ ଦକ୍ଷତା ମାଓବାଦୀ ବିରୋଧୀ ଅଭିଯାନରେ ଓଡିଶା ପୋଲିସକୁ ଆହୁରି ଗୈାରବାନ୍ୱିତ କରିବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଥିଲେ।

ବାମପନ୍ଥୀ ଉଗ୍ରବାଦରେ ଓଡିଶାର ସଫଳତା ବିଷୟରେ ଆଲୋକପାତ କରି ସେ କହିଥିଲେ ଯେ, ଭାରତର ଯଶସ୍ଵୀ ପ୍ରଧାନମନ୍ତ୍ରୀ  ଶ୍ରୀ ନରେନ୍ଦ୍ର ମୋଦିଜୀ ଓ ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହାଜୀଙ୍କ ଦିଶା ନିର୍ଦ୍ଦେଶରେ ଓ ଭାରତ ସରକାରଙ୍କ ଅକୁଣ୍ଠ ସହଯୋଗରେ ବାମପନ୍ଥୀ ଉଗ୍ରବାଦ ମୁକାବିଲାରେ ଓଡିଶା ପୋଲିସ୍ ସଫଳତାର ସହ ଉତ୍ତମ ପ୍ରଦର୍ଶନ କରି ଆସୁଛି। ମାଓବାଦୀଙ୍କ ବିସ୍ତାର ଏବଂ ପ୍ରଭାବ ହ୍ରାସ ପାଇଛି କିନ୍ତୁ ତଥାପି ଆହ୍ଵାନ ରହିଛି। ପୋଲିସ ବାହିନୀ ନିଜର କାର୍ଯ୍ୟ ଦକ୍ଷତା ବଳରେ ଏହି ମାଓ ମୁକାବିଲାର ନେତୃତ୍ୱ ନେଇ ଆମ ରାଜ୍ୟକୁ ମାଓମୁକ୍ତ କରିଵେ ବୋଲି ସେ ଦୃଢ ଆଶା ପ୍ରକାଶ କରିଥିଲେ। ମାଓ ମୁକାବିଲା କ୍ଷେତ୍ରରେ ଆମ ସରକାରଙ୍କର ସମ୍ପୂର୍ଣ୍ଣ ସହଯୋଗ ରହିବ ବୋଲି ସେ କହିଥିଲେ।
ପୋଲିସର ଆଧୁନିକୀକରଣ ଓ ପୋଲିସ୍ ବ୍ୟବସ୍ଥାର ସଂସ୍କାର ପାଇଁ ଆମ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ପ୍ରକାଶ କରିବା ସହିତ ପୋଲିସ୍ କର୍ମଚାରୀଙ୍କ ବିଭିନ୍ନ ଅଭାବ ଅସୁବିଧା ସମ୍ପର୍କରେ ମୋ ସରକାର ଅବଗତ ଅଛନ୍ତି ବୋଲି ସେ କହିଥିଲେ। ପୋଲିସ୍ ପାଇଁ କଲ୍ୟାଣମୂଳକ ପଦକ୍ଷେପ ନେବାପାଇଁ  ଓଡିଶା ସରକାର ଯତ୍ନବାନ ରହିବେ । ଏହାସହିତ  ଲୋକବଳ ଅଭାବ ଦୂର କରିବାପାଇଁ ଆମେ ଆବଶ୍ୟକ  ପଦକ୍ଷେପ ନିଆଯିବ । ପୋଲିସ୍ ପ୍ରଶିକ୍ଷଣକୁ ଆହୁରି ଗତିଶୀଳ ଓ ଲୋକାଭିମୁଖୀ କରିବା ପାଇଁ ସରକାର ଆଗାମୀ ଦିନରେ ବିଭିନ୍ନ ସାହାଯ୍ୟ ଓ ପ୍ରୋତ୍ସାହନ ଦେବେ ବୋଲି ସେ କହିଥିଲେ।

ନୂତନ ଅପରାଧିକ ଆଇନ ଉପରେ ଆଲୋକପାତ କରି ସେ କହିଲେ ଯେ ଦେଢଶହ ବର୍ଷର ଔପନିବେଶବାଦର ମାନସିକତାକୁ ପ୍ରୋତ୍ସାହନ ଦେଉଥିବା ବ୍ରିଟିଶ ଅମଳର ଅପରାଧିକ ଆଇନକୁ ପରିବର୍ତ୍ତନକରି ମୋଦୀଜୀଙ୍କ ସରକାର ନୂତନ ଭାରତର ନୂତନ ଆଇନ୍, ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା ଓ ଭାରତୀୟ ସାକ୍ଷ୍ୟ ଅଧିନିୟମ ପ୍ରଚଳନ କରି ଅପରାଧିକ ଆଇନ୍ କ୍ଷେତ୍ରରେ ଏକ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିଛନ୍ତି। ନ୍ୟାୟ ଓ ନାଗରିକକୁ ପ୍ରାଧାନ୍ୟ ଦିଆଯାଇ ଏହି ନୂତନ ଆଇନ୍ ଆଗାମୀ ଦିନରେ ଲୋକଙ୍କୁ ନ୍ୟାୟ ଦେବାରେ ସହାୟକ ହେବ।

ପୋଲିସ୍ ଟ୍ରେନିଂ ଆପଣଙ୍କୁ ନୈତିକତା, ଅଖଣ୍ଡତା, ପ୍ରତିବଦ୍ଧତା ଏବଂ ମାନବ ସମାଜ ପ୍ରତି ଦୟା ଓ ସମ୍ବେଦନଶୀଳତାର ଶିକ୍ଷା ପ୍ରଦାନ କରେ। ଏହାସହିତ ଆପଣଙ୍କୁ ଜଣେ କଠିନ ଏବଂ ବୃତ୍ତିଗତ ପୋଲିସ୍ ଅଧିକାରୀ ଭାବରେ ବିକଶିତ କରିବା ମଧ୍ୟ ନିହାତି ଆବଶ୍ୟକ ବୋଲି ସେ ମତ ଦେଇଛନ୍ତି।

୨୦୨୧-୨୨ ମସିହାରେ ଦେଶର ସର୍ବଶ୍ରେଷ୍ଠ ପୋଲିସ୍ ପ୍ରଶିକ୍ଷଣ ପ୍ରତିଷ୍ଠାନ ଭାବରେ କେନ୍ଦ୍ର ଗୃହମନ୍ତ୍ରୀଙ୍କ ଟ୍ରଫି ହାସଲ କରି ଏହି ଏକାଡେମୀ ଜାତୀୟ ସ୍ତରରେ ଗୌରବ ଅର୍ଜନ କରିଥିବାରୁ ସେ ଖୁସିବ୍ୟକ୍ତ କରିଥିଲେ।

ତେବେ କାର୍ଯ୍ୟକ୍ରମରେ ଯୋଗ ଦେଇ ପୋଲିସ ଆରକ୍ଷୀ ମହାନିର୍ଦ୍ଦେଶକ ଅରୁଣ କୁମାର ଷଢ଼ଙ୍ଗୀ ଟ୍ରେନି ଅଫିସର ମାନଙ୍କ ଉଚ୍ଚପ୍ରଶଂସା କରିଥିଲେ। ଏହା ବ୍ୟତୀତ କାର୍ଯ୍ୟକ୍ରମରେ ଆରକ୍ଷୀ ମହାନିରୀକ୍ଷକ, ତାଲିମ, ସାଇନି ଏସ୍, ଏକାଡେମୀର ପ୍ରଶିକ୍ଷକ ଏବଂ ଅନେକ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ।

 

Comments are closed.