Latest Odisha News

ନିଟ୍ ତାତି: ରାହୁଲ ବନାମ ଧର୍ମେନ୍ଦ୍ର

ଲୋକସଭାରେ ନିଟ୍ ତାତି । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ ଦଳ । ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବି କରିଛନ୍ତି । ଆରୋପ -ପ୍ରତ୍ୟାରୋପ ମଧ୍ୟରେ କମ୍ପିଛି ଗୃହ । ଆକ୍ରମଣାତ୍ମକ ବିରୋଧୀଙ୍କ ଲଢୁଆ ଜବାବ ଦେଇଛନ୍ତି ଧର୍ମେନ୍ଦ୍ର ।

କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କ ସମାଲୋଚନା ଥିଲା ଶାଣିତ । ସାରାଦେଶ ଜାଣିଛି ଯେ, ଆମ ପରୀକ୍ଷା ବ୍ୟବସ୍ଥାରେ ଗୁରୁତର ସମସ୍ୟା ରହିଛି । ଏଥିପାଇଁ ଶିକ୍ଷା ମନ୍ତ୍ରୀ ଅନ୍ୟମାନଙ୍କ ଉପରେ ଦୋଷ ଲଦିବାରେ ବ୍ୟସ୍ତ । କିନ୍ତୁ ନିଜକୁ ଦାୟୀ କରିନାହାନ୍ତି । ପ୍ରକୃତରେ କଣ ଘଟୁଛି ସେ ନିଜେ ବି ଜାଣିଥିବେ କି ନାହିଁ ସନ୍ଦେହ ବୋଲି ରାହୁଲ କହିଥିଲେ । ଆମ ପରୀକ୍ଷା ବ୍ୟବସ୍ଥାରେ ଯାହା ସବୁ ଘଟିଛି, ସେ ନେଇ ଦେଶର ଲକ୍ଷ ଲକ୍ଷ ଛାତ୍ର ଚିନ୍ତିତ । ଭାରତୀୟ ପରୀକ୍ଷା ବ୍ୟବସ୍ଥାରେ ଜାଲିଆତି ସହଜ ବୋଲି ଲୋକେ ବିଶ୍ୱାସ କରୁଛନ୍ତି । ଯଦି ଜଣେ ଧନୀ ହୋଇଥିବ, ତାହା ହେଲେ ପରୀକ୍ଷା ବ୍ୟବସ୍ଥାକୁ ସେ କିଣିପାରିବ । ବିରୋଧୀ ଦଳ ବି ସେୟା ଭାବୁଛନ୍ତି । ସରକାର ଏହାର ସମାଧାନ ପାଇଁ କଣ ଉଦ୍ୟମ କରୁଛନ୍ତି ବୋଲି ରାହୁଲ ପଚାରିଥିଲେ ।

ବିରୋଧୀ ଦଳ ନେତାଙ୍କ ଶାଣିତ ସମାଲୋଚନାର ଜବାବ ରଖିଥିଲେ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସଂସଦରେ ସେ କାହାଠୁ ଇଂଟେଲିଜେନ୍ସ ସାର୍ଟିଫିକେଟ ଆଶା କରନ୍ତି ନାହିଁ । ପାଟି କରି କହିଲେ ମିଛଟା ସତ ହୋଇପାରିବ ନାହିଁ । ଦେଶର ପରୀକ୍ଷା ବ୍ୟବସ୍ଥାକୁ ବିରୋଧୀ ଦଳ ନେତା ପ୍ରହସନ ବୋଲି କହିବା ଅତି ଦୁର୍ଭାଗ୍ୟଜନକ । ଏହାକୁ ସେ ନିନ୍ଦା କରନ୍ତି ବୋଲି ଧର୍ମେନ୍ଦ୍ର କହିଥିଲେ ।

ଉତ୍ତରରେ ‘ରିମୋଟ କଂଟ୍ରୋଲ’ ଶବ୍ଦ ପ୍ରୟୋଗ କରି କଂଗ୍ରେସକୁ ଘେରିଥିଲେ ଧର୍ମେନ୍ଦ୍ର ପ୍ରଧାନ । ୨୦୧୦ରେ ତତ୍କାଳୀନ ମନ୍ତ୍ରୀ କପିଲ ସିବଲ ଶିକ୍ଷା ସଂସ୍କାର ପାଇଁ ତିନିଟି ବିଲ୍ ଆଗତ କରିଥିଲେ । ସେଥିମଧ୍ୟରେ ଥିଲା ପରୀକ୍ଷାରେ ଅସାଧୁ ଉପାୟ ରୋକିବା ସଂପର୍କିତ ବିଲ୍ । କିନ୍ତୁ କାହା ଚାପରେ ବିଲ୍ ପ୍ରତ୍ୟାହାର କରାଗଲା ବୋଲି ବିରୋଧୀ କଂଗ୍ରେସକୁ ପ୍ରଶ୍ନ କରିଥିଲେ ଧର୍ମେନ୍ଦ୍ର । ପ୍ରାଇଭେଟ ମେଡିକାଲ କଲେଜ ଲବିର ଚାପରେ ବିଲ୍ ପ୍ରତ୍ୟାହାର କରାଯାଇଥିଲା କି ବୋଲ ପ୍ରଶ୍ନ କରିଥିଲେ ଧର୍ମେନ୍ଦ୍ର ।

ବିରୋଧୀ ଦଳଙ୍କ ଅନିୟମିତତା ଅଭିଯୋଗର ଜବାବ ରଖିଥିଲେ ଧର୍ମେନ୍ଦ୍ର । ଏନଟିଏ ୨୪୦ରୁ ଅଧିକ ପରୀକ୍ଷା ପରିଚାଳନା କରିଛି । ୫ କୋଟି ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । ଗତ ୭ ବର୍ଷରେ ପେପର ଲିକ୍‌ର ଗୋଟିଏ ବି ପ୍ରମାଣ ନାହିଁ । କେନ୍ଦ୍ର ସରକାର କିଛି ଲୁଚାଉନାହାନ୍ତି ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ କହିଥିଲେ ।

ନିଟ୍ ବିବାଦ ଯୋଗୁଁ ସେ ଇସ୍ତଫା ଦେବେ କି ବୋଲି କଂଗ୍ରେସ ସଦସ୍ୟ ବି. ମାନିକମ୍ ଟାଗୋର ଧର୍ମେନ୍ଦ୍ରଙ୍କୁ ପ୍ରଶ୍ନ କରିଥିଲେ । ଇସ୍ତଫା ମୋ ନେତାଙ୍କ ଉପରେ ନିର୍ଭର କରେ । ଏହାଥଲା ଧର୍ମେନ୍ଦ୍ରଙ୍କ ଉତ୍ତର ।

ନିଟ୍ ପ୍ରସଙ୍ଗରେ ଆଗକୁ ବି ଗୃହ ସରଗରମ ହେବା ସମ୍ଭାବନାକୁ ଏଡାଇ ଦିଆଯାଇନପାରେ।

 

Comments are closed.