Latest Odisha News

ଅଲିମ୍ପିକ୍ସରେ ବ୍ରେକ ଡ୍ୟାନସିଂ

ନୂଆଦିଲ୍ଲୀ: ବିଶ୍ୱବ୍ୟାପୀ ଲୋକପ୍ରିୟ ବ୍ରେକ ଡ୍ୟାନ୍‌ସିଂ ଏବେ ଏକ ଅଲିମ୍ପିକ କ୍ରୀଡା । ଏଥରର ପ୍ୟାରିସ ଅଲିମ୍ପିକ୍ସରେ କ୍ରୀଡା ଭାବେ ପଦାର୍ପଣ କରିବ ବ୍ରେକ୍ ଡ୍ୟାନସିଂ ବା ବ୍ରେକିଂ । ଗତ ଶତାବ୍ଦୀର ସତୁରୀ ଦଶକରେ ନ୍ୟୁୟର୍କର ବ୍ରନ୍‌ସ୍କର ସାହିଗଳିରେ ବ୍ରେକ ଡ୍ୟାନସିଂର ସୃଷ୍ଟି । ଆମେରିକୀୟ ହିପ୍ ହପ୍ ସଂସ୍କୃତିର ଅଂଶବିଶେଷ ଭାବେ ଉଭା ହୋଇଥିଲା ବ୍ରେକ୍ ଡ୍ୟାନସିଂ । ବିଶେଷକରି କୃଷ୍ଣକାୟ ସମୁଦାୟର ଯୁବକମାନଙ୍କ ଦ୍ୱାରା ଲୋକପ୍ରିୟ ହୋଇଥିଲା ବ୍ରେକ ଡ୍ୟାନସିଂ । ସ୍ପିନ୍ସ, ଫ୍ଲିପ୍ସ ପରି ବିଭିନ୍ନ ଜଟିଳ ଆଥଲେଟିକ ମୁଭମେଂଟର ମିଶ୍ରଣ ହେଉଛି ବ୍ରେକ୍ ଡ୍ୟାନସିଂ । ୧୯୯୦ ବେଳକୁ ବ୍ରେକ୍ ଡ୍ୟାନସିଂର ଆନ୍ତର୍ଜାତିକ ପ୍ରତିଯୋଗିତା ଆୟୋଜନ ହେବାକୁ ଲାଗିଲା ।

କ୍ରୀଡା ଭାବେ ମାନ୍ୟତା ପାଇବା ପରେ ବ୍ରେକ୍ ଡ୍ୟାନସିଂ ବ୍ରେକିଂ ନାଁରେ ପରିଚିତ । ସ୍କେଟବୋର୍ଡିଂ ଓ ସ୍ପୋର୍ଟ କ୍ଲାଇବିଂ ଭଳି ଏକ ଅର୍ବାନ ସ୍ପୋର୍ଟ ଭାବେ ସ୍ୱୀକୃତ ବ୍ରେକ୍ ଡ୍ୟାନସିଂ ବା ବ୍ରେକିଂ । ୨୦୧୮ରେ ବୁଏନ୍ସ ଆୟାର୍ସ ଯୁବ ଅଲିମ୍ପିକ କ୍ରୀଡାରେ ସ୍ଥାନ ପାଇଥିଲା ବ୍ରେକିଂ । ଏହାର ସଫଳତା ପରେ ଅଲିମ୍ପିକ୍ସରେ ବ୍ରେକିଂକୁ ସାମିଲ କରିବା ପାଇଁ ୨୦୨୦ରେ ନିଷ୍ପତ୍ତି ନେଇଥିଲା ଆନ୍ତର୍ଜାତିକ ଅଲିମ୍ପିକ କମିଟି ।

ବ୍ରେକ୍ ଡ୍ୟାନ୍‌ସରେ ମୁଖ୍ୟତଃ ତିନିିଟି ମୌଳିକ ଶୈଳୀ ରହିଛି । ସେସବୁ ହେଲା ଟପ୍ ରକ୍ , ଡାଉନ ରକ୍ ଓ ଫ୍ରିଜ୍ । ଟପ୍ ରକ୍‌ରେ ସବୁ ମୁଭ୍ ଛିଡା ହୋଇ କରାଯାଏ । ହାତ ଓ ଗୋଡ ସହାୟତାରେ ବିଭିନ୍ନ ଷ୍ଟାଇଲିସ ମୁଭମେଂଟ କରନ୍ତିି ପ୍ରତିଯୋଗୀ ବା ବ୍ରେକର୍ । ଫ୍ରିଜ୍ ଶୈଳୀରେ ବ୍ରେକର୍ ମୁଣ୍ଡ ସହାୟତାରେ ଛିଡା ହୋଇ ବା ହାତରେ ଷ୍ଟଂଟ୍ ଦେଖାଇଥାଏ । ଡାଉନ୍ ରକରେ ବ୍ରେକର ସବୁ ମୁଭମେଂଟ୍ ଗ୍ରାଉଣ୍ଡରେ କରିଥାଏ ।

ବ୍ରେକିଂ ଗେମ୍ ବା ମ୍ୟାଚକୁ ବ୍ୟାଟଲ କୁହାଯାଏ । ପ୍ରତିଯୋଗୀଙ୍କୁ ବି-ବୟ ଓ ବି-ଗାର୍ଲ କୁହାଯାଏ । ଡ୍ୟାନସର ବା ବ୍ରେକରଙ୍କ ମଧ୍ୟରେ ୱାନ୍ -ଅନ-ୱାନ୍ ଲଢେଇ ହୋଇଥାଏ ।

ପ୍ୟାରିସ ଅଲିମ୍ପିକ୍ସର ବ୍ରେକିଂ କମ୍ପିଟିସ ପାଇଁ ୩୨ ଆଥଲେଟ ଯୋଗ୍ୟତା ହାସଲ କରିଛନ୍ତି । ୫ଟି ଶ୍ରେଣୀରେ ପ୍ରତିଯୋଗୀ ବା ବ୍ରେକରଙ୍କ ପ୍ରଦର୍ଶନକୁ ନେଇ ବିଚାରକମଣ୍ଡଳୀ ପଏଂଟ ଦେବେ । ୫ଟି ଶ୍ରେଣୀ ହେଉଛି ମ୍ୟୁଜିକାଲିଟି, ଭୋକାବୁଲାରି, ଅରିଜିନାଲିଟି, ଟେକନିକ୍ ଓ ଏକଜିକ୍ୟୁସନ । ବେଷ୍ଟ ଅଫ୍ ଥ୍ରୀ ରାଉଣ୍ଡସ୍ ବା ଥ୍ରୋଡାଉନ ଆଧାରରେ ପ୍ରତି ମ୍ୟାଚ୍ ବା ବ୍ୟାଟଲ ହୋଇଥାଏ । ଏକ ଥ୍ରୋଡାଉନରେ ୬୦ ସେକେଣ୍ଡ ମଧ୍ୟରେ ବ୍ରେକରଙ୍କୁ ରୁଟିନ୍ ସାରିବାକୁ ହେବ ।

ଏଥର ପ୍ୟାରିସ ଅଲିମ୍ପିକ୍ସରେ ବ୍ରେକିଂ ବା ବ୍ରେକ୍ ଡ୍ୟାନସିଂ ନିଶ୍ଚିତ ଭାବେ ଦର୍ଶକଙ୍କ ପାଇଁ ମନୋରଞ୍ଜନର ଖୋରାକ ଯୋଗାଇବ ।

Comments are closed.