ନୂଆଦିଲ୍ଲୀ: ଭାରତୀୟ ଅଲିମ୍ପିକ୍ ସଂଘ (ଆଇଓଏ) ର ସଭାପତି ପି.ଟି. ଉଷା ‘ସ୍ପୋର୍ଟସପର୍ସନ୍ସ ଅଫ୍ ମେରିଟ୍’ (ଏସଓଏମ) ମହିଳା ବର୍ଗ ନିର୍ବାଚନରେ ପରାଜିତ ହୋଇଛନ୍ତି । ଏହି ପରାଜୟ ଯୋଗୁଁ ଆସନ୍ତା ଡିସେମ୍ବର ୫ରେ ହେବାକୁ ଥିବା ଆଇଓଏ ନିର୍ବାଚନରେ ତାଙ୍କର ପୁନର୍ବାର ଅଧ୍ୟକ୍ଷ ହେବା ଆଶା ଅତ୍ୟନ୍ତ କ୍ଷୀଣ ହୋଇପଡ଼ିଛି । ୪ ଜଣ ମହିଳା ପ୍ରତିନିଧିଙ୍କ ପାଇଁ ୬ ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନରେ ଥିଲେ । ୮୦ ଜଣ ଭୋଟରଙ୍କ ମଧ୍ୟରୁ ଅଞ୍ଜୁ ବବି ଜର୍ଜ: ୫୩ ଭୋଟ୍ (ସର୍ବାଧିକ), ରାଣୀ ରାମପାଲ: ୫୦ ଭୋଟ୍, ଡୋଲା ବାନାର୍ଜୀ: ୪୫ ଭୋଟ୍, ସାଇନା ନେହୱାଲ: ୪୩ ଭୋଟ୍, ପି.ଟି. ଉଷା: ୪୦ ଭୋଟ୍ (ପରାଜିତ), ଅନୀତା ପଲ୍ ଦୁରାଇ: ୬ ଭୋଟ ପାଇଥିଲେ । ସେହିପରି ପୁରୁଷ ବର୍ଗରେ ଗଗନ ନାରଙ୍ଗ, ବିଜେନ୍ଦ୍ର ସିଂହ, ଯୋଗେଶ୍ୱର ଦତ୍ତ ଏବଂ କମଲେଶ ମେହେଟ୍ଟା ନିର୍ବିରୋଧ ଭାବେ ଏସଓଏମ ସଦସ୍ୟ ଭାବେ ନିର୍ବାଚିତ ହୋଇଛନ୍ତି ।
ଆଇଓଏ ସମ୍ବିଧାନ ଅନୁଯାୟୀ, ଅଧ୍ୟକ୍ଷ ପଦ ପାଇଁ ଲଢ଼ିବାକୁ ହେଲେ ଜଣେ ପ୍ରାର୍ଥୀଙ୍କୁ ଏସଓଏମ କିମ୍ବା ଫେଡେରେସନରୁ General Assemblyର ସଦସ୍ୟ ହେବା ବାଧ୍ୟତାମୂଳକ । ୨୦୨୨ରେ ପି.ଟି. ଉଷା ଏସଓଏମ କୋଟାରୁ ହିଁ ଆଇଓଏର ପ୍ରଥମ ମହିଳା ସଭାପତି ହୋଇଥିଲେ । ବର୍ତ୍ତମାନ ଏସଓଏମ ନିର୍ବାଚନରେ ହାରିଯିବା ପରେ, ଯଦି କୌଣସି ଜାତୀୟ କ୍ରୀଡ଼ା ମହାସଂଘ (ଯେପରିକି ଆଥଲେଟିକ୍ସ ଫେଡେରେସନ୍ ଅଫ୍ ଇଣ୍ଡିଆ) ତାଙ୍କୁ ମନୋନୀତ ନକରେ, ତେବେ ସେ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଲଢ଼ିପାରିବେ ନାହିଁ । ୨୦୧୨ ଲଣ୍ଡନ୍ ଅଲିମ୍ପିକ୍ସର ବ୍ରୋଞ୍ଜ ବିଜେତା ଶୁଟର୍ ଗଗନ ନାରଙ୍ଗ (୪୩ ବର୍ଷ) ଆଇଓଏର ପରବର୍ତ୍ତୀ ଅଧ୍ୟକ୍ଷ ପଦ ପାଇଁ ପ୍ରମୁଖ ଦାବିଦାର ଭାବେ ଉଭା ହୋଇଛନ୍ତି । ଏହି ନିର୍ବାଚନ ସମୟରେ ପି.ଟି. ଉଷା ଅଭିଯୋଗ ଆଣିଥିଲେ ଯେ ପୂର୍ବତନ ତୀରନ୍ଦାଜ ଡୋଲା ବାନାର୍ଜୀ ହ୍ୱାଟ୍ସଆପ୍ ମେସେଜ୍ ମାଧ୍ୟମରେ ଭୋଟ୍ ମାଗି ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରିଛନ୍ତି । ଅନ୍ୟପଟେ, ଭାରୋତ୍ତୋଳକ ସତୀଶ ଶିବଲିଙ୍ଗମ ଅଭିଯୋଗ କରିଥିଲେ ଯେ ଆଇଓଏ ସମ୍ପତ୍ତି ଓ ସମ୍ବଳର ବ୍ୟବହାର କରି ଭୋଟରଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରାଯାଉଥିଲା ।
