Latest Odisha News

୩୬ ବର୍ଷ ହେବ ତୀରନ୍ଦାଜୀରେ ପଦକ ହାସଲ ଲକ୍ଷ୍ୟରେ ଭାରତ

ପ୍ୟାରିସ ଅଲିମ୍ପିକ୍ସରେ ଭାରତ ଏଥର ତୀରନ୍ଦାଜୀରେ ପଦକ ହାସଲ ଲକ୍ଷ୍ୟରେ ରହିବ । ୩୬ ବର୍ଷ ହେବ ଭାରତ ଏଥିପାଇଁ ସଂଘର୍ଷ କରି ଆସୁଥିଲେ ମଧ୍ୟ ସଫଳ ହୋଇପାରି ନାହିଁ । ୧୯୮୮ରେ ତୀରନ୍ଦାଜୀକୁ ପ୍ରଥମ ଥର ପାଇଁ ସାମିଲ କରାଯାଇଥିଲା । ସେବେଠାରୁ ଭାରତ ସିଡନୀ ଗେମ୍ସକୁ ଛାଡିଦେଲେ ଅନ୍ୟ ସମସ୍ତ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିଛି । ଏ ପର୍ଯ୍ୟନ୍ତ ଟିମଇଣ୍ଡିଆ ଅଲିମ୍ପିକ୍ସରେ କ୍ୱାର୍ଟର ଫାଇନାଲ ଆଗକୁ ବଢ଼ି ପାରି ନାହାନ୍ତି । ଲଣ୍ଡନ ଗେମ୍ସ ପରେ ଭାରତ ପକ୍ଷରୁ ଏଥର ୬ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରୁଛନ୍ତି । ଅଭିଜ୍ଞ ତରୁଣଦୀପ ରାୟ ଓ ଦୀପିକା କୁମାରୀ ୪ର୍ଥ ଥର ପାଇଁ କ୍ରୀଡା ମହାକୁମ୍ଭରେ ପୂନର୍ବାର ଦକ୍ଷତା ପ୍ରତିପାଦିତ କରିବେ । ର‌୍ୟାଙ୍କିଙ୍ଗ ଆଧାରରେ ଭାରତୀୟ ତୀରନ୍ଦାଜ ଅଲିମ୍ପିକ୍ସ ଟିକେଟ କାଟିଛନ୍ତି ସତ, ମାତ୍ର ତାହା କିପରି ପଦକରେ ପରିଣତ ହେବ ସେଥିପ୍ରତି ସମସ୍ତଙ୍କ ନଜର ରହିଛି ।

ରବିବାର ଯୋଗ୍ୟତା ପର୍ଯ୍ୟାୟରେ ୫୩ ଦେଶରେ ୧୨୮ ତୀରନ୍ଦାଜ ସାମିଲ ହେବେ । ପ୍ରତ୍ୟେକ ତୀରନ୍ଦାଜ ୭୨ ଥର ଉଦ୍ୟମ କରିବ । ଏହା ପରେ ନକଆଉଟ ପର୍ଯ୍ୟାୟ ପାଇଁ ମାନ୍ୟତା ପ୍ରଦାନ କରାଯିବ । ଏଥିରେ ଭଲ ପ୍ରଦର୍ଶନ କଳେ ପଦକ ସମ୍ଭାବନା ସୃଷ୍ଟି ହେବ । ଟୋକିଓ ଗେମ୍ସରେ ଭାରତର କୌଣସି ପୁରୁଷ ତୀରନ୍ଦାଜ ପ୍ରଥମ ୩୦ଜଣଙ୍କ ମଧ୍ୟରେ ରହିପାରି ନ ଥିଲେ । ଭାରତ ଓଭରାଲ ୯ମ ସ୍ଥାନରେ ରହିଥିଲା । କ୍ୱାର୍ଟରରେ ଶକ୍ତିଶାଳୀ କୋରିଆଠାରୁ ହାରି ବିଦାୟ ନେଇଥିଲେ । ପୁରୁଷ ରିକର୍ଭରେ ଧୀରଜ ବୋମ୍ମାଦେୱରା, ତରୁଣଦୀପ ରାୟ ଓ ପ୍ରବୀଣ ଯାଧବ ରହିଛନ୍ତି । ସେହିପରି ମହିଳା ବିଭାଗରେ ଭଜନ କୌର, ଦୀପିକା କୁମାରୀ ଓ ଅଙ୍କିତା ଭକ୍ତ ସ୍ଥାନ ପାଇଛନ୍ତି ।

Comments are closed.