Latest Odisha News

ପ୍ୟାରିସ୍‌ ଅଲିମ୍ପିକ୍ସରେ ଭାରତକୁ ପ୍ରଥମ ପଦକ, ବ୍ରୋଞ୍ଜ ଜିତିଲେ ମନୁ ଭାକର

ନୂଆଦିଲ୍ଲୀ: ପ୍ୟାରିସ୍ ଅଲିମ୍ପିକ୍ସରେ ୨୦୨୪ ରେ ଭାରତର ତାରକା ମହିଳା ସୁଟର ମନୁ ଭାକର ଚମତ୍କାର ପ୍ରଦର୍ଶନ କରିଛନ୍ତି। ଭାରତ ପାଇଁ ସେ ପ୍ରଥମ ପଦକ ଜିତିବାରେ ସଫଳ ହୋଇଛନ୍ତି। ସୁଟର୍ ମନୁ ଭାକର ୧୦ ମିଟର ଏୟାର ପିସ୍ତଲ୍ ଇଭେଣ୍ଟରେ ବ୍ରୋଞ୍ଜ ପଦକ ଜିତିଛନ୍ତି । ୧୨ ବର୍ଷ ପରେ ସୁଟିଂରେ ଭାରତକୁ ଅଲିମ୍ପିକ ପଦକ ମିଳିବା ସହ ମନୁ ଭାକର ଇତିହାସ ସୃଷ୍ଟି କରିଛନ୍ତି। ଯାହା ଭାରତ ପାଇଁ ଗର୍ବର ବିଷୟ।

ଭାରତୀୟ ତାରକା ମହିଳା ସୁଟର ମନୁ ଭାକର ଗତକାଲି ପ୍ୟାରିସ୍ ଅଲିମ୍ପିକ୍ସର ପ୍ରଥମ ଦିନରେ ଚମତ୍କାର ପ୍ରଦର୍ଶନ କରିଥିଲେ । ୨୨ ବର୍ଷୀୟ ମହିଳା ସୁଟର ମନୁ ଭାକର ଯୋଗ୍ୟତା ପର୍ଯ୍ୟାୟ ରାଉଣ୍ଡରେ ମୋଟ ୬୦୦ରୁ ୫୮୦ ପଏଣ୍ଟ ହାସଲ କରି ୪୫ଜଣ ପ୍ରତିଯୋଗୀଙ୍କ ମଧ୍ୟରୁ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଏୟାର ପିସ୍ତଲ ଫାଇନାଲରେ ୨୨୧.୭ ପଏଣ୍ଟ ପାଇ ମନୁ ଭାକର ତୃତୀୟ ସ୍ଥାନରେ ରହିବା ସହିତ ବ୍ରୋଞ୍ଜ ମେଡାଲ ଜିତିଲେ । ଭାରତ ପାଇଁ ମନୁ ଭାକର ଐତିହାସିକ ବିଜୟ ହାସଲ କରିବା ସହିତ ଚଳିତ ପ୍ୟାରିସ୍‌ ଅଲିମ୍ପିକରେ ଭାରତ ପାଇଁ ପ୍ରଥମ ମେଡାଲ ଜିତିଛନ୍ତି।

ମନୁ ଅଲିମ୍ପିକ୍ସରେ ପଦକ ଜିତିବାରେ ପଞ୍ଚମ ଭାରତୀୟ ସୁଟର ଅଟନ୍ତି। ୨୦୦୪ ରେ ଏଥେନ୍ସ ଅଲିମ୍ପିକ୍ସରେ ଭାରତ ଅଲିମ୍ପିକ୍ସରେ ପ୍ରଥମ ପଦକ ଜିତିଥିଲା। ଏହାପରେ ରାଜବର୍ଦ୍ଧନ ସିଂ ରାଠୋର ଡବଲ୍ ଟ୍ରାପ୍ ଇଭେଣ୍ଟରେ ରୌପ୍ୟ ଜିତିଥିଲେ। ୨୦୦୮ରେ ବେଜିଂରେ ୧୦ ମିଟର ଏୟାର ରାଇଫଲରେ ଅଭିନବ ବିନ୍ଦ୍ରା ସୁନା ପଦକ ଜିତିଥିଲେ। ଏକ ବ୍ୟକ୍ତିଗତ କ୍ରୀଡ଼ାରେ ଏହା ଭାରତ ପାଇଁ ପ୍ରଥମ ସ୍ୱର୍ଣ୍ଣ ଥିଲା। ତେବେ ମନୁ ବିଶ୍ୱ ଚାମ୍ପିଅନସିପ୍‌, ଆଇଏସ୍‌ଏସ୍‌ଏଫ୍‌ ବିଶ୍ୱକପ୍‌, ଏସିଆନ ସୁଟିଂ ଚାମ୍ପିଅନସିପ୍‌, ଏସିଆନ୍‌ ଏୟାରଗନ୍‌ ଚାମ୍ପିଅନସିପ୍‌, ରାଜ୍ୟଗୋଷ୍ଠୀ କ୍ରୀଡ଼ା, ୟୁଥ ଅଲିମ୍ପିକ୍ସ ଗେମ୍ସ, ୱାର୍ଲ୍ଡ ୟୁନିଭର୍ସିଟି ଗେମ୍‌, ଆଇଏସ୍‌ଏସ୍‌ଏଫ୍‌ ଜୁନିଅର ବିଶ୍ୱକପ୍‌ ଓ ଜୁନିଅର ଚାମ୍ପିଅନସିପ୍‌ରେ ସ୍ୱର୍ଣ୍ଣିମ ସଫଳତା ଅର୍ଜନ କରିଥିଲେ।

Comments are closed.