Latest Odisha News

ନିଲମ୍ବନ ହେଲେ ଆଇପିଏସ ପଣ୍ଡିତ ରାଜେଶ

ଭୁବନେଶ୍ବର: ନିଲମ୍ବନ ହେଲେ ରାଜ୍ୟ ଅଗ୍ନିଶମ ଓ ହୋମଗାର୍ଡ ଡିଆଇଜି ପଣ୍ଡିତ ରାଜେଶ ଉତ୍ତମରାଓ । ଏନେଇ ଗୃହ ବିଭାଗ ପକ୍ଷରୁ  ନିର୍ଦ୍ଦେଶନାମା ଜାରି ହୋଇଛି । ଭାରତୀୟ ପୋଲିସ ସେବା ଆଇନ୍‌ ଉଲ୍ଲଂଘନ କରିଥିବା ଅଭିଯୋଗରେ ରାଜେଶଙ୍କୁ ନିଲମ୍ବନ କରିଛନ୍ତି ରାଜ୍ୟ ସରକାର । କ୍ୟାପିଟାଲ ଥାନା ଅଞ୍ଚଳରେ ଗତ ୨୭ରେ ଘଟିଥିବା ଘଟଣା ନେଇ ଏଭଳି ପଦକ୍ଷେପ ନିଆଯାଇଛି ବୋଲି ଗୃହ ବିଭାଗ ସୂଚନା ଦେଇଛି ।

ସୂଚନାଯୋଗ୍ୟ, ଗତ ୨୭ ତାରିଖରେ ଅର୍ଥାତ୍ ଶନିବାର ରାତିରେ ବରିଷ୍ଠ ପୋଲିସ ଅଧିକାରୀ ପଣ୍ଡିତ ରାଜେଶ ଉତ୍ତମରାଓ (ଆଇପିଏସ) ନିଜ କ୍ଷମତାର ଅପବ୍ୟବହାର କରି ପଦ ମର୍ଯ୍ୟାଦାର ସମ୍ମାନ ହାନି କରିଥିବାର ଅଭିଯୋଗ ହୋଇଥିଲା । ଜଣେ ଇନ୍ସପେକ୍ଟର ମହିଳା ଅଧିକାରୀଙ୍କୁ ଅପବ୍ୟବହାର କରିବା ସହିତ ତାଙ୍କ ଘରେ ପଶି ତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା । ସଂପୃକ୍ତ ମହିଳା ଅଧିକାରୀ ଜଣକ କ୍ୟାପିଟାଲ ଥାନାରେ ଡିଆଇଜିଙ୍କ ବିରୁଦ୍ଧରେ ଏତଲା ମଧ୍ୟ ଦେଇଥିଲେ । ଏହାପରେ ଡିଜି ଅରୁଣ ଷଡଙ୍ଗୀ ଏକ ସ୍ବତନ୍ତ୍ର କମିଟି ଗଠନ କରି ଏହି ଘଟଣାର ତଦନ୍ତ କରିଥିଲେ । ଯାହାକୁ ଆଧାର କରି କିଛି ଏପରି ନିଷ୍ପତ୍ତି ଶୁଣାଇଛନ୍ତି ରାଜ୍ୟ ସରକାର । ଏହା ସହିତ କ୍ୟାପିଟାଲ ଥାନା ପକ୍ଷରୁ ମଧ୍ୟ ଅଭିଯୁକ୍ତ ଡିଆଇଜିଙ୍କ ବିରୁଦ୍ଧରେ ତଦନ୍ତ ଜାରି ରହିଛି । 

Comments are closed.