Latest Odisha News

BREAKING NEWS

ସମ୍ବାଦକୁ ଫେରିବେ ସୌମ୍ୟ !

ଭୁବନେଶ୍ୱର: ଆସନ୍ତାକାଲି ଇଷ୍ଟର୍ଣ୍ଣ ମିଡିଆ ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ ଭୁବନେଶ୍ବରସ୍ଥିତ ସମ୍ବାଦ ଭବନକୁ ଯିବେ । ଇଷ୍ଟର୍ଣ୍ଣ ମିଡିଆ ପକ୍ଷରୁ ଏନେଇ ନୋଟିସ ପ୍ରକାଶ ପାଇଥିବା ବେଳେ ବଢିଛି ଭିନ୍ନ ଚର୍ଚ୍ଚା। ଓଡିଶାର ଲୋକପ୍ରିୟ ସମ୍ବାଦପତ୍ର ସମ୍ବାଦର ସଂପାଦକ ପଦକୁ ଫେରିବେ କି ସୌମ୍ୟରଞ୍ଜନ ପଟ୍ଟନାୟକ ? ସଂପାଦକୀୟ ବ୍ୟକ୍ତି ବିଶେଷଙ୍କ ସହ ସୌମ୍ୟ ନିକଟରେ ଆଲୋଚନା କରିଥିବା ଏହି ଚର୍ଚ୍ଚାକୁ ବଢାଇଛି। ବ୍ୟକ୍ତିଗତ କାରଣ ଦର୍ଶାଇ ଗତବର୍ଷ ଅକ୍ଟୋବରରେ ସଂପାଦକ ପଦ ଛାଡିଥିଲେ ସୌମ୍ୟ। ତାଙ୍କ ବଡଭାଇ ଡିଆର ପଟ୍ଟନାୟକ ଇଷ୍ଟର୍ଣ୍ଣ ମିଡିଆ ଅଧ୍ୟକ୍ଷ ଭାବେ ପଦ ସମ୍ଭାଳିଥିଲେ। ତେବେ ସୌମ୍ୟ କମ୍ପାନୀକୁ ଫେରିବା ଅର୍ଥ ପ୍ରତ୍ୟକ୍ଷ ହେଉ କି ପରୋକ୍ଷ ଭାବେ ହେଉ ସେ ସଂପାଦକୀୟ ସହ ସଂପୃକ୍ତ ହୋଇପାରନ୍ତି। ତାଙ୍କର ବହୁଚର୍ଚ୍ଚିତ କଲମ ଆମ ଘରର ହାଲଚାଲ ପୁଣି ଥରେ ଆରମ୍ଭ ହୋଇପାରେ।

ସୌମ୍ୟଙ୍କ ସଂପାଦକୀୟ ଆମ ଘରର ହାଲଚାଲକୁ ନେଇ ଗତବର୍ଷ ଅଗଷ୍ଟରେ ଜୋରଦାର ହୋଇଥିଲା ରାଜ୍ୟ ରାଜନୀତି । ସେତେବେଳର ଫାଇଭ୍-ଟି ସଚିବ ଭିକେ ପାଣ୍ଡିଆନଙ୍କ ଜିଲ୍ଲା ଗସ୍ତ ଖର୍ଚ୍ଚକୁ ନେଇ ସଂପାଦକୀୟରେ ପ୍ରଶ୍ନ ଉଠାଇଥିଲେ ସୌମ୍ୟ। ଆଲେଖ୍ୟକୁ ନେଇ ଅଡୁଆରେ ପଡିଥିଲେ ପୂର୍ବ ବିଜେଡି ସରକାର। ବିଜେଡି ଭିତରୁ ବି ସୌମ୍ୟଙ୍କୁ ବିରୋଧ ହୋଇଥିଲା। ପରେ ଦଳରୁ ବହିଷ୍କାର ହୋଇଥିଲେ ସୌମ୍ୟ। କର୍ମଚାରୀଙ୍କ ନାଁରେ ଜାଲିଆତି କରି ଋଣ ନେବା ଅଭିଯୋଗରେ ଇଓଡବ୍ଲୁ ଇଷ୍ଟର୍ଣ୍ଣ ମିଡିଆ କାର୍ଯ୍ୟାଳୟରେ ଚଢାଉ କରିଥିଲା। ବିବାଦରେ ଛନ୍ଦି ହେବା ପରେ ସଂପାଦକ ପଦରୁ ଅବ୍ୟାହତି ନେଇଥିଲେ ସୌମ୍ୟ। ପରେ ତାଙ୍କ ଝିଅ ତନୟା ପଟ୍ଟନାୟକ ସମ୍ବାଦର ସମ୍ପାଦକ ଦାୟିତ୍ବ ନେଇଥିଲେ।

ସଂପାଦକ ପଦ ଛାଡିବା ପରେ ଘସିପୁରାରୁ ସ୍ବାଧୀନ ବିଧାୟକ ଭାବେ ନିର୍ବାଚନ ଲଢିଥିଲେ ସୌମ୍ୟ। ଖଣ୍ଡପଡାରୁ ବିଜେଡି ତାଙ୍କୁ ପ୍ରାର୍ଥୀ କରିବାକୁ ମନାଇବା ଚର୍ଚ୍ଚା ମଧ୍ୟରେ ସ୍ବାଧୀନ ପ୍ରାର୍ଥୀ ଭାବେ ଘସିପୁରାରୁ ଓହ୍ଲାଇଥିଲେ। ବଦ୍ରି ପାତ୍ରଙ୍କଠାରୁ ନିର୍ବାଚନ ହାରିଥିଲେ ବି ସୌମ୍ୟ ଭଲ ଟକ୍କର ଦେଇଥିଲେ। ନିର୍ବାଚନ ବେଳେ ସୌମ୍ୟଙ୍କୁ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ବିଡେପି ଟିକେଟରୁ ନିର୍ବାଚନ ଲଢିବାକୁ ଅଫର ଦେଇଥିଲେ। ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ମଧ୍ୟ ବିଜେଡିକୁ ଫେରି ଆସିବାକୁ କହିଥିବା ସୌମ୍ୟ ନିକଟରେ ଏକ ଘରୋଇ ଟିଭି ଚ୍ୟାନେଲକୁ ସାକ୍ଷାତକାରରେ କହିଛନ୍ତି।

ଅନେକ ସମୟରେ ମାଟି ଓ ପାର୍ଟି ମଧ୍ୟରେ ସମନ୍ବୟ ରଖିବା ସମ୍ଭବ ହୋଇନଥାଏ। ସେ ବିଜେଡିରେ ଥିବା ବେଳେ ବି, ଦଳ ଯେଉଁଭଳି ଚାଲିଛି ଦଳ ପାଇଁ ତାହା ଶୁଭଙ୍କର ନୁହେଁ ବୋଲି ଅନୁଭବ କରିଥିଲେ। ଓଡିଆ ଅସ୍ମିତା ପ୍ରସଙ୍ଗ ଆଣିଥିଲେ ସୌମ୍ୟ ପଟ୍ଟନାୟକ। ତେବେ ନିଜ ଅନ୍ତସ୍ବର ଲେଖିବା ପରେ ତାଙ୍କ ଖବରକାଗଜ ବନ୍ଦ କରିବାକୁ ତତ୍କାଳୀନ ବିଜେଡି ସରକାର ଉଦ୍ୟମ କରିଥିବା ସୌମ୍ୟ କହିଛନ୍ତି। ସଂପାଦକୀୟରେ ସେ କେବଳ ପ୍ରଶ୍ନ ପଚାରିଥିଲେ। ତେବେ ଏହାକୁ ନେଇ ଖବରକାଗଜକୁ ସରକାରୀ ବିଜ୍ଞାପନ ବନ୍ଦ କରାଗଲା, ଅନ୍ୟ ଘରୋଇ କମ୍ପାନୀ ବିଜ୍ଞାପନଦାତାଙ୍କୁ ମନା କରାଗଲା। ଇଓଡବ୍ଲୁ ମାମଲା କରାଗଲା। ଅଭିଯୋଗକାରୀଙ୍କୁ ତିଆରି କରାଗଲା। ତେଣୁ ନିଜେ ସୌମ୍ୟ ପଦ ଛାଡି ସଂସ୍ଥା ବଞ୍ଚାଇବାକୁ ଚାହିଁଥିଲେ ବୋଲି ଘରୋଇ ଗଣମାଧ୍ୟମକୁ ସାକ୍ଷାତକାରରେ କହିଛନ୍ତି। ଏବେ ପୁଣି ସଂପାଦକୀୟକୁ ଫେରି ପାରନ୍ତି ସୌମ୍ୟ। ରାଜ୍ୟ କ୍ଷମତା ରାଜନୀତିରେ ପଟ୍ଟ ପରିବର୍ତ୍ତନ ପରେ ସମ୍ବାଦକୁ ସୌମ୍ୟଙ୍କ ରିଏଣ୍ଟ୍ରି ହେବା ନେଇ ଚର୍ଚ୍ଚା ହେଉଛି।

Comments are closed.