Latest Odisha News

ମୋସାଦର ଶତ୍ରୁ ନିପାତ କଳା

ନୂଆଦିଲ୍ଲୀ: ଇସ୍ରାଏଲ ହେଉଛି ଏକ ଇହୁଦୀ ଦେଶ । ମାତ୍ର ୧୯୪୮ରେ ଇସ୍ରାଏଲର ଗଠନ । ଭୌଗଳିକ, ଧାର୍ମିକ ଓ ରାଜନୈତିକ ଦୃଷ୍ଟିକୋଣରୁ ଆରବ ଜଗତରେ ଇସ୍ରାଏଲର ଅନେକ ଶତ୍ରୁ । ଅତୀତରେ ଆରବ ଇସ୍ରାଏଲ ଯୁଦ୍ଧ ବି ହୋଇଛି । ସବୁ ଯୁଦ୍ଧରେ ଶତ୍ରୁ ପକ୍ଷକୁ ନିପାତ କରିଛି ଇସ୍ରାଏଲ୍ । ଆମେରିକାର ସହଯୋଗ ବି ମିଳିଛି ।

ହମାସ ଓ ଇରାନ ସମର୍ଥିତ ସଂଗଠନ ହିଜବୋଲ୍ଲା ଇସ୍ରାଏଲ ବିରୋଧରେ ସର୍ବଦା ଲଢେଇ କରିଆସିଛନ୍ତି । ବିଭିନ୍ନ ସମୟରେ ଆକ୍ରମଣ ଓ ଆତ୍ମଘାତୀ ବିସ୍ଫୋରଣ କରି ଇସ୍ରାଏଲୀ ନାଗରିକ ଓ ସେନାକୁ ଟାର୍ଗେଟ୍ କରିଛନ୍ତି । ହେଲେ ପ୍ରତିଶୋଧ ନେବାକୁ କେବେ ଭୁଲେ ନାହିଁ ଇସ୍ରାଏଲ୍ ।

ଗୋଟିଏ ଦିନରେ ହିଜବୁଲ୍ଲା ଓ ହମାସର ଶୀର୍ଷ ନେତାଙ୍କ ହତ୍ୟା ପୁଣି ଥରେ ପ୍ରମାଣିତ କରିଛି ଯେ, ଇସ୍ରାଏଲ ନିଜ ଶତ୍ରୁଙ୍କୁ ସେମାନଙ୍କ ଘରେ ପଶି ମାରେ । ଭିନ୍ନ ଭିନ୍ନ କୌଶଳ ଆପଣାଏ ଇସ୍ରାଏଲ୍ ଗୁଇନ୍ଦା ସଂସ୍ଥା ମୋସାଦ । କେତେବେଳେ ଟୁଥପେଷ୍ଟ୍ ତ ଆଉ କେତେବେଳେ ଫୋନ୍ ବ୍ୟବହାର କରି ଶତ୍ରୁପକ୍ଷର ନେତାଙ୍କୁ ହତ୍ୟା କରିଛି ଇସ୍ରାଏଲ୍ ।

ହମାସ ପାଇଁ ବୋମା ତିଆରି କରୁଥିବା ୟାହା ଅୟାସକୁ ୧୯୯୬ରେ ଏକ ନକସି ସେଲୁଲାର ଫୋନ୍ ଜରିଆରେ ହତ୍ୟା କରିଥିଲା ଇସ୍ରାଏଲ୍ । ୧୯୯୨ରେ ଇସ୍ରାଏଲରେ ଏକ ବୋମା ବିସ୍ଫୋରଣର ମାଷ୍ଟରମାଇଣ୍ଡ ଥିଲା ୟାହା ଅୟାସ । ବୋମା ତିଆରିରେ ପାରଙ୍ଗମ ଥିବାରୁ ଇଞ୍ଜିନିୟର ଭାବେ ପରିଚିତ ଥିଲା ୟାହା ଅୟାସ ।

ହମାସର ପ୍ରତିଷ୍ଠାତା ସଦସ୍ୟ ଓ ଆଧ୍ୟାତ୍ମିକ ନେତା ଶେଖ ଅହମ୍ମଦ ୟାସିନଙ୍କୁ ୨୦୦୪ ମସିହାରେ ହତ୍ୟା କରିଥିଲା ଇସ୍ରାଏଲ୍ । ବିଭିନ୍ନ ଆତଙ୍କବାଦୀ କାର୍ଯ୍ୟକଳାପ ଅଭିଯୋଗରେ ୟାସିନଙ୍କୁ ଅନେକ ବର୍ଷ ଜେଲରେ ରଖିଥିଲ ଇସ୍ରାଏଲ୍ । ୧୯୯୭ରେ ୟାସିନକୁ ଛାଡି ଦିଆଯାଇଥିଲା । ୨୦୦୪ରେ ଗାଜାରେ ଏକ ହେଲିକପ୍ଟର ଆକ୍ରମଣରେ ୟାସିନଙ୍କୁ ହତ୍ୟା କରିଥିଲା ଇସ୍ରାଏଲ୍ ।

ୟାସିନଙ୍କ ଉତ୍ତରାଧିକାରୀ ଅବଦ୍ଦେଲ ଅଜିଜି ରନ୍ତିସିଙ୍କୁ ମଧ୍ୟ ଭୋଗିବାକୁ ପଡିଥିଲା ସମଦଶା । ୟାସିନ ହତ୍ୟାର ମାସକ ପରେ ୨୦୦୪ ମାର୍ଚ୍ଚରେ ରନ୍ତିସିଙ୍କୁ ମଧ୍ୟ ଗାଜାରେ ହେଲିକପ୍ଟର ଆକ୍ରମଣ କରି ହତ୍ୟା କରିଥିଲା ଇସ୍ରାଏଲ୍ ।

୨୦୧୦ ମସିହାରେ ହମାସର ଏକ ବରିଷ୍ଠ କର୍ମକର୍ତ୍ତା ମେହମ୍ମୁଦ ଅଲ-ମଭୌଙ୍କୁ ହତ୍ୟା କରିଥିଲା ଇସ୍ରାଏଲୀ ଗୁଇନ୍ଦା ସଂସ୍ଥା । ଦୁବାଇରେ ଏକ ହୋଟେଲ ରୁମରେ ମେହମ୍ମୁଦଙ୍କୁ ହତ୍ୟା କରାଯାଇଥିଲା । ହମାସ ଏଥିପାଇଁ ଇସ୍ରାଏଲକୁ ଦାୟୀ କରିଥିଲା । କିନ୍ତୁ ନୀରବ ରହିଥିଲା ଇସ୍ରାଏଲ୍ । ମେହମ୍ମୁଦ ହମାସ ସୈନ୍ୟ ଶାଖାର ପ୍ରତିଷ୍ଠାତ ସଦସ୍ୟ ମଧ୍ୟରେ ଥିଲେ ଅନ୍ୟତମ ।

ଏବେ ଗୋଟିଏ ଦିନରେ ହିଜବୋଲ୍ଲା ଓ ହମାସର ଟାଣୁଆ ନେତାଙ୍କୁ ବିଦେଶ ମାଟିରେ ହତ୍ୟା କରାଯାଇଛି । ଏହାପଛରେ ଇସ୍ରାଏଲ ଓ ବନ୍ଧୁ ଆମେରିକାର ବି ହାତ ରହିଛି, ଯାହା କି ଓପନ ସିକ୍ରେଟ ।

 

 

 

 

Comments are closed.