Latest Odisha News

BREAKING NEWS

Indian Chess Touches Historic Milestone: ଭାରତର ୧୦୦ତମ ଚେସ୍ ଗ୍ରାଣ୍ଡମାଷ୍ଟର ଅନୁଜ ଶ୍ରୀଭାତ୍ରି

ବେଙ୍ଗାଳୁରୁ: ଭାରତୀୟ ଚେସ୍ କ୍ରୀଡା ଏକ ଐତିହାସିକ ମାଇଲଖୁଂଟ ଅତିକ୍ରମ କରିଛି । ପ୍ରାୟ ୩୮ ବର୍ଷ ପରେ ପୁରୁଷ ଚେସରେ ଅନୁଜ ଶ୍ରୀଭାତ୍ରି ହେଲେ ଭାରତର ଶହେ ତମ ଚେସ୍ ଗ୍ରାଣ୍ଡମାଷ୍ଟର । ବିଶ୍ୱନାଥ ଆନନ୍ଦ ଦେଶର ପ୍ରଥମ ଚେସ୍ ଗ୍ରାଣ୍ଡମାଷ୍ଟର ହେବାର ପ୍ରାୟ ୪ଦଶନ୍ଧି ପରେ ଭାରତୀୟ ଚେସ୍‌ରେ ଗ୍ରାଣ୍ଡମାଷ୍ଟରଙ୍କ ସଂଖ୍ୟା ଶହେରେ ପହଂଚିଛି । ଏହି ଗ୍ରାଣ୍ଡମାଷ୍ଟର ଯାତ୍ରା ୧୯୮୮ରେ ମାଡ୍ରାସର ଜଣେ ବାଳକଙ୍କଠାରୁ ଆରମ୍ଭ ହୋଇଥିଲା । ବିଶ୍ୱନାଥ ଆନନ୍ଦ ଦେଶର ପ୍ରଥମ ଗଗ୍ରାଣ୍ଡମାଷ୍ଟର ହେବାର ୩୮ ବର୍ଷ ପରେ ଭାରତୀୟ ଚେସ୍ କ୍ରୀଡା ଏହି ଐତିହାସିକ ମାଇଲଖୁଂଟ ସ୍ପର୍ଶ କରିଛି । ରବିବାର, ସାରା ଦେଶ ଦୀପାବଳି ଉତ୍ସବ ପାଳୁଥିବା ବେଳେ ଅନୁଜ ଭାରତୀୟ ଚେସ୍ କ୍ରୀଡା ଜଗତକୁ ଉତ୍ସବର ଖୋରାକ୍ ଯୋଗାଇଛନ୍ତି । ୨୨ ବର୍ଷୀୟ ଅନୁଜ ଫିଲିପାଇନ୍ସରେ ଅନୁଷ୍ଠିତ ସପ୍ତମ ଏସିଆନ ପ୍ଲସ୍ ଇଣ୍ଡିଭିଜୁଆଲ ଓପନ୍ ଚେସ୍ ଚାମ୍ପିଅନସିପରେ ୯ଟି ମ୍ୟାଚରୁ ୭ପଏଂଟ ହାସଲ କରି ବିଜୟୀ ହୋଇଛନ୍ତି । ଏହି ସଫଳତା ସହ ସେ ଭାରତର ଶହେ ତମ ଗ୍ରାଣ୍ଡମାଷ୍ଟର ହେବାର ଗୌରବ ଅର୍ଜନ କରିଛନ୍ତି । ମଧ୍ୟପ୍ରଦେଶରୁ ଏହି ମାନ୍ୟତା ପାଇବାରେ ସେ ପ୍ରଥମ ଖେଳାଳି ହୋଇଛନ୍ତି । ମୋଟ୍ ଶହେ ଗ୍ରାଣ୍ଡମାଷ୍ଟରଙ୍କ ମଧ୍ୟରୁ ୩୮ଜଣ ହେଉଛନ୍ତି ତାମିଲନାଡୁର । ୧୫ ବର୍ଷ ପୂର୍ବେ ଆମ ଗ୍ରାଣ୍ଡମାଷ୍ଟର ସଂଖ୍ୟା ୩୦ ଥିଲା ।

ଚେସ୍ ଉନ୍ନତିରେ ଆନନ୍ଦଙ୍କ ଭୂମିକା
ଭାରତୀୟ ଚେସର ଉନ୍ନତି ଓ ପ୍ରାଧାନ୍ୟ ବିସ୍ତାରରେ ଆନନ୍ଦଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଯେତେବେଳେ ଏହି କ୍ରୀଡାରେ ଋଷର ପ୍ରଭାବ ରହିଥିଲା ସେହି ସମୟରେ ଆନନ୍ଦ ପ୍ରବେଶ କରିଥିଲେ । ଆନନ୍ଦ ବିଶ୍ୱନାଥ ୫ଥର ବିଶ୍ୱ ଚାମ୍ପିଅନ ହୋଇଥିବା ବେଳେ ଭାରତର ଅନେକ ପିଢୀଙ୍କୁ ଏହି କ୍ରୀଡା ପ୍ରତି ଆକୃଷ୍ଟ କରିଥିଲେ । ମହାମାରୀ ସମୟରେ ଆନନ୍ଦ ନିଜର ଏକାଡେମୀ ଡବ୍ଲୁଏସିଏ ସ୍ଥାପନ କରିଥିଲେ । ଯାହା ଦେଶର ସବୁଠାରୁ ପ୍ରତିଭାବାନ ଖେଳାଳିଙ୍କୁ ତାଲିମ ପ୍ରଦାନ କରେ । ଏବେକାର ବିଶ୍ୱ ଚାମ୍ପିଅନ ଡି. ଗୁକେଶ ହେଉଛନ୍ତି ଏହି ଏକାଡେମୀର ଜଣେ ଉପଲବ୍ଧି । ଭାରତରେ ଗ୍ରାଣ୍ଡମାଷ୍ଟରଙ୍କ ସଂଖ୍ୟା ୧ରୁ ୩ ହେବାକୁ ପ୍ରାୟ ଦଶନ୍ଧି ଲାଗିଯାଇଥିଲା । କିନ୍ତୁ ୫୦ରୁ ଶହେ ହେବାର ଯାତ୍ରା ଅତ୍ୟନ୍ତ ଦ୍ରୁତ ଗତିରେ ସମ୍ପନ୍ନ ହୋଇଥିବା ଦେଖିବାକୁ ମିଲିଛି । କେବଳ ଚଳିତ ବର୍ଷ ହିଁ ୯ଜଣ ନୂତନ ଗ୍ରାଣ୍ଡମାଷ୍ଟର ସୃଷ୍ଟି ହୋଇଥିବା ନଜିର ରହିଛି ।

ଗ୍ରାଣ୍ଡମାଷ୍ଟର ବିକାଶର ଆଗରେ ଅଛନ୍ତି ଯୁବ ଖେଳାଳି ଆର ପ୍ରଜ୍ଞାନାନ୍ଦ , ଗୁକେଶ, ଅର୍ଜୁନ ଏରିଗାଇସି ଓ ନିହାଲ ସରିନ୍ । ଗ୍ରାଣ୍ଡମାଷ୍ଟରଙ୍କ ଐତିହାସିକ ତାଲିକାରେ ସେହି ମହିଳାମାନେ ମଧ୍ୟ ସାମିଲ ଅଛନ୍ତି, ଯେଉଁମାନେ ରାସ୍ତାର ସବୁ ବାଧାକୁ ଏଡାଇ କୃତିତ୍ୱ ଅର୍ଜନ କରିଛନ୍ତି । କୋନେରୁ ହମ୍ପି ଦୁଇ ଦଶନ୍ଧିରୁ ଅଧିକ ସମୟ ପୂର୍ବେ ମାତ୍ର ୧୫ ବର୍ଷ ବୟସରେ ଭାରତର ପ୍ରଥମ ମହିଳା ଗ୍ରାଣ୍ଡମାଷ୍ଟର ହୋଇଥିଲେ । ତାଙ୍କ ପରେ ହାରିକା ଦ୍ରୋଣାବଲ୍ଲୀ, ଆର.ବୈଶାଳୀ, ଦିବ୍ୟା ଦେଶମୁଖଙ୍କୁ ନେଇ ମହିଳା ଗ୍ରାଣ୍ଡମାଷ୍ଟରଙ୍କ ସଂଖ୍ୟା ୪ରେ ପହଚିଂଛି ।

Leave A Reply

Your email address will not be published.