Latest Odisha News

BREAKING NEWS

ଅସନ୍ତୁଷ୍ଟ’ ଦେଉଛନ୍ତି ବିଜେପିକୁ ଟେନସନ

ଭୁବନେଶ୍ୱର: ବିରୋଧୀ ଦଳକୁ ଭାଙ୍ଗିବା କଳାରେ ପାରଙ୍ଗମ ବିଜେପି ଏବେ ନିଜ ଶାସିତ ବିଭିନ୍ନ ରାଜ୍ୟରେ ଜଟିଳ ପରିସ୍ଥିତିର ସାମନା କରୁଛି । ଦଳୀୟ ଅସନ୍ତୋଷର ସମ୍ମୁଖୀନ ହୋଇଛି ଦଳ । ଲୋକସଭା ନିର୍ବାଚନ ପରେ ଉତ୍ତର ପ୍ରଦେଶରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିରୋଧରେ ଅସନ୍ତୋଷ ସୃଷ୍ଟି ହୋଇଥିବା ବେଳେ ସରକାର ବନାମ ସଂଗଠନ ବିତର୍କ ସରଗରମ ହୋଇଛି । ଯୋଗୀଙ୍କ ବିରୋଧରେ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଅସନ୍ତୁଷ୍ଟ ଅଛନ୍ତି । କିନ୍ତୁ ଯୋଗୀଙ୍କୁ ହଟାଇବା ନେଇ କିଛି ବି ସଂକେତ ମିଳିନାହିଁ । ବିଧାନସଭା ଉପନିର୍ବାଚନ ପାଇଁ ସମସ୍ତେ ଏକଜୁଟ୍ ହୋଇ କାମ କରିବାକୁ ବିଜେପି କେନ୍ଦ୍ରୀୟ ନେତୃତ୍ୱ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ସ୍ଥିତି ସ୍ୱାଭାବିକ ହୋଇନାହିଁ । ଏଣେ ରାଜ୍ୟ ବିଜେପିର କନ୍ଦଳରୁ ମଜା ନେଉଛି ସମାଜବାଦୀ ପାର୍ଟି । ଲୋକସଭା ନିର୍ବାଚନରେ ରାଜ୍ୟରେ ବିଜେପିର ପରାଜୟ ନେଇ ଯୋଗୀଙ୍କ ଉପରେ ଦୋଷ ଲଦିବା ଉଦ୍ୟମ ସଫଳ ହୋଇନଥିବା ରାଜନୀତି ବିଶେଷଜ୍ଞ କହିଛନ୍ତି ।

ଉତ୍ତର ପ୍ରଦେଶ ବିଜେପିର ସ୍ଥିତି ନେଇ ଦଳର ପ୍ରମୁଖ ନେତାମାନେ ଚିନ୍ତା ପ୍ରକାଶ କରିଛନ୍ତି । କଲ୍ୟାଣ ସିଂହ ରାଜ୍ୟର ମୁଖ୍ୟମନ୍ତ୍ରୀ ଥିବା ବେଳେ ମଧ୍ୟ ସମାନ ପରିସ୍ଥିତି ସୃଷ୍ଟି ହୋଇଥିଲା । ଆଉ ମତଭେଦ ଯୋଗୁଁ ସେତେବେଳେ କ୍ଷତି ସହିଥିଲା ବିଜେପି । ବର୍ତ୍ତମାନ ରାଜ୍ୟ ବିଜେପିରେ ଗୋଷ୍ଠୀ କନ୍ଦଳ ବନ୍ଦ କରାନଗଲେ ୨୦୨୭ ବିଧାନସଭା ନିର୍ବାଚନରେ ଦଳ ପାଇଁ ସମସ୍ୟା ବଢିପାରେ ବୋଲି କିଛି ନେତା ଆଶଙ୍କା ପ୍ରକାଶ କଲେଣି ।

କେବଳ ଉତ୍ତର ପ୍ରଦେଶ ନୁହେଁ, ହରିୟାଣା ଓ ମଧ୍ୟପ୍ରଦେଶ ବିଜେପିରେ ମଧ୍ୟ ଅସନ୍ତୋଷର ସ୍ୱର । ହରିୟାଣାରେ ଆଉ ଦୁଇ ମାସ ପରେ ହେବ ବିଧାନସଭା ନିର୍ବାଚନ । କିନ୍ତୁ ରାଜ୍ୟରେ ଦଳୀୟ ନେତୃତ୍ୱ ପ୍ରତି ଅସନ୍ତୋଷ ଅଛନ୍ତି ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଅନୀଲ ବିଜ୍ । ରାଜ୍ୟ ବିଜେପିର ସ୍ଥିତି ନେଇ ଅନୀଲ ବିଜ୍ ଏକ୍ସରେ କରିଥିବା ଏକ ପୋଷ୍ଟ ଚର୍ଚ୍ଚାର ବିଷୟ ହୋଇଛି । ନାଆ ବୁଡିଲେ, ସମସ୍ତେ ବୁଡିବେ । ନା ମୁଁ ବଂଚିବି ନା ତୁମେ ବଂଚିବ ବୋଲି ଏକ୍ସରେ ପୋଷ୍ଟ କରିଥିଲେ ବିଜ୍ । ପରେ ସେ ଏହି ପୋଷ୍ଟ୍ ଡିଲିଟ୍ କରିଦେଇଥିଲେ । ଅନୀଲ ବିଜ ଦଳିତ ସଂପ୍ରଦାୟର ପ୍ରତିନିଧିତ୍ୱ କରନ୍ତି । ହରିୟାଣାରେ ଗତ ଦୁଇଟି ନିର୍ବାଚନରେ ଦଳିତମାନେ ବିଜେପି ସହ ଥିଲେ ।

ମଧ୍ୟପ୍ରଦେଶ ବିଜେପିରେ ମଧ୍ୟ ଅସନ୍ତୋଷ । ଗତବର୍ଷ ବିଧାନସଭା ନିର୍ବାଚନ ପରେ ରାଜ୍ୟରେ ସରକାର ଗଠନ କରିଥିଲା ବିଜେପି । ଦୁଇ ଉପମୁଖ୍ୟମନ୍ତ୍ରୀଙ୍କୁ ନିଯୁକ୍ତି ଦିଆଯାଇଥିଲା । ଦୁଇ ଉପମୁଖ୍ୟମନ୍ତ୍ରୀ ଜଗଦୀଶ ଦେବଡା ଓ ରାଜେନ୍ଦ୍ର ଶୁକ୍ଳା ରାଜ୍ୟ ଏବେ ନେତୃତ୍ୱ ପ୍ରତି ଅସନ୍ତୋଷ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କ ସରକାରରେ ସେମାନଙ୍କର ଗୁରୁତ୍ୱ ରହୁନାହିଁ ବୋଲି ବିଜେପିର କେନ୍ଦ୍ରୀୟ ନେତୃତ୍ୱରେ ଅଭିଯୋଗ କରିଛନ୍ତି ଦେବଡା ଓ ଶୁକ୍ଳା । କିନ୍ତୁ ବିଜେପିର ବିଶାଳ ବହୁମତ ରହିଛି । ଲୋକସଭା ନିର୍ବାଚନରେ ବି ଦଳ ଜବରଦସ୍ତ ପ୍ରଦର୍ଶନ କରିଥିବାରୁ ମଧ୍ୟପ୍ରଦେଶ ପାଇଁ ବିଜେପି ସେତେ ଚିନ୍ତିତ ନୁହେଁ । କିନ୍ତୁ ଉତ୍ତର ପ୍ରଦେଶ ଓ ହରିୟାଣା ବିଜେପିର ସ୍ଥିତି ହାଇକମାଣ୍ଡଙ୍କ ପାଇଁ ଚ୍ୟାଲେଂଜ ସୃଷ୍ଟି କରିବ ।

Comments are closed.