Latest Odisha News

କିଏ ଜିତିବ ଯୁଦ୍ଧ ? କାହାର ଶକ୍ତି କେତେ? 

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଆଉ ଏକ ଯୁଦ୍ଧ ବାଦଲ । ଇସ୍ରାଏଲ ଓ ଇରାନ ମଧ୍ୟରେ ପୂର୍ଣ୍ଣାଙ୍ଗ ଯୁଦ୍ଧ ହୋଇପାରେ ବୋଲି ବଢି ଚାଲିଛି ଆଶଙ୍କା । ତେହେରାନରେ ପାଲେଷ୍ଟିନୀୟ କଠୋରପନ୍ଥୀ ସଂଗଠନ ହମାସର ରାଜନୈତିକ ମୁଖ୍ୟଙ୍କୁ ହତ୍ୟା କରାଯିବା ପରେ ରକ୍ତମୁଖା ହୋଇ ଉଠିଛି ଇସ୍ରାଏଲର ଚିର ଆରବ ଶତ୍ରୁ ଇରାନ୍ । ଲେବାନନରେ ଇରାନ୍ ସମର୍ଥିତ ସଂଗଠନ ହିଜବୋଲ୍ଲା ଇସ୍ରାଏଲ ଉପରେ କରିଛି ଘନ ଘନ ରକେଟ ମାଡ୍ । ଯେକୌଣସି ସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିଛି ଇସ୍ରାଏଲ୍ ।

ଯଦି ଦୁଇ ଦେଶ ମଧ୍ୟରେ ଯୁଦ୍ଧ ହୁଏ, ତେବେ ସୈନ୍ୟ ଶକ୍ତି ଦୃଷ୍ଟିରୁ କିଏ ଆଗୁଆ, ସେ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା । ଇହୁଦୀଙ୍କ ଦେଶ ଇସ୍ରାଏଲର ଜନସଂଖ୍ୟା ମାତ୍ର ୯ କୋଟି । ଇରାନର ଜନସଂଖ୍ୟା ୭ କୋଟିରୁ ଅଧିକ । ମଧ୍ୟପ୍ରାଚ୍ୟରେ ଇରାନ ଏକ ପ୍ରମୁଖ ସାମରିକ ଶକ୍ତି । ଯୁଦ୍ଧ ଅଭିଜ୍ଞତା ବି ରହିଛି । ୧୯୮୦ରେ ଇରାନ୍ ପଡୋଶୀ ଇରାକ ସହ ଦୀର୍ଘ ୮ ବର୍ଷ ଧରି ଯୁଦ୍ଧ କରିଥିଲା । ଇସ୍ରାଏଲର ଯୁଦ୍ଧ ଅଭିଜ୍ଞତା ଇରାନଠାରୁ ଅଧିକ । କାରଣ ୧୯୪୮ରେ ଗଠନ ହେବାଠାରୁ ଇରାନ ନିଜର ଦୁଇ ଆରବ ପ୍ରତିଦ୍ୱନ୍ଦୀ ସିରିଆ ଓ ଇଜିପ୍ଟ ବିରୋଧରେ ଯୁଦ୍ଧ ଲଢିସାରିଛି ଓ ବିଜୟୀ ମଧ୍ୟ ହୋଇଛି ।

ଗ୍ଲୋବାଲ୍ ଫାୟରପାୱାର ୱେବସାଇଟ ଅନୁସାରେ ୧୪୫ଟି ଦେଶର ସୈନ୍ୟଶକ୍ତି ତାଲିକାରେ ଇରାନର ସ୍ଥାନ ୧୪ରେ ଥିବା ବେଳେ ୧୭ ନମ୍ବର ସ୍ଥାନରେ ରହିଛି ଇସ୍ରାଏଲ୍ । ଇରାନରେ ସକ୍ରିୟ ସୈନ୍ୟଙ୍କ ସଂଖ୍ୟା ୬ ଲକ୍ଷ ଥିବା ବେଳେ ରିଜର୍ଭ ସୈନ୍ୟଙ୍କ ସଂଖ୍ୟା ୩ ଲକ୍ଷ ୫୦ ହଜାର । ଇରାନର ଅର୍ଦ୍ଧସାମରିକ ବାହିନୀରେ ୨ ଲକ୍ଷ ଯବାନ ଅଛନ୍ତି ।

ଇସ୍ରାଏଲର ସକ୍ରିୟ ସୈନ୍ୟ ସଂଖ୍ୟା ଇରାନଠାରୁ ଯଥେଷ୍ଟ କମ୍ । ଇସ୍ରାଏଲ ପାଖରେ କେବଳ ୧ ଲକ୍ଷ ୭୦ ହଜାର ସକ୍ରିୟ ସୈନ୍ୟ ଥିବା ବେଳେ ରିଜର୍ଭ ସୈନ୍ୟଙ୍କ ସଂଖ୍ୟା ହେଉଛି ୪ ଲକ୍ଷ ୬୫ ହଜାର, ଯାହା କି ଇରାନଠାରୁ ସାମାନ୍ୟ ଅଧିକ । ଇସ୍ରାଏଲର ଅର୍ଦ୍ଧସାମରିକ ବାହିନୀରେ ମାତ୍ର ୩୫ ହଜାର ଯବାନ ଅଛନ୍ତି ।

ସୈନ୍ୟ ସଂଖ୍ୟା ଦୃଷ୍ଟିରୁ ଇରାନଠାରୁ ବହୁ ପଛରେ ଥିଲେ ମଧ୍ୟ ସାମରିକ ଉପକରଣ, ଅସ୍ତ୍ରଶସ୍ତ୍ର କ୍ଷେତ୍ରରେ ଇସ୍ରାଏଲ ବେଶ୍ ଆଗୁଆ । ଲଢୁଆ ଯୁଦ୍ଧ ବିମାନ ଇସ୍ରାଏଲ ପାଖରେ ଅଧିକ ରହିଛି । ଇସ୍ରାଏଲର ୨୪୧ ଯୁଦ୍ଧ ବିମାନ ରହିଛି । ଏଥିମଧ୍ୟରେ ରହିଛି ଅ୭୫ଟି ତ୍ୟାଧୁନିକ ଏଫ-୩୫ ଜେଟ୍ ଳଡୁଆ ବିମାନ । ଇରାନ ପାଖରେ ଅଛି ୧୧୬ ଯୁଦ୍ଧ ବିମାନ ।

ଇରାନ ପାଖରେ ଇସ୍ରାଏଲ ଅପେକ୍ଷା ଅଧିକ ଟ୍ୟାଙ୍କ୍ ରହିଛି । ଇରାନର ୧ ହଜାର ୯୯୬ ଟ୍ୟାଙ୍କ୍ ରହିଥିବା ବେଳେ ଇସ୍ରାଏଲର ଟ୍ୟାଙ୍କ ସଂଖ୍ୟା ହେଉଛି ୧ ହଜାର ୩୭୦ । ଇରାନ ନୌସେନା ପାଖରେ ଛୋଟବଡ ଶତାଧିକ ଯୁଦ୍ଧ ଜାହାଜ ରହିଥିବା ବେଳେ ଇସ୍ରାଏଲର ମୋଟ ଯୁଦ୍ଧ ଜାହାଜ ସଂଖ୍ୟା ହେଉଛି ୬୫ । ଇରାନ ପାଖରେ ୧୯ଟି ବୁଡାଜାହାଜ ଥିବା ବେଳେ ଇସ୍ରାଏଲ ମାତ୍ର ୫ଟି ବୁଡାଜାହାଜ ଉପରେ ନିର୍ଭରଶୀଳ ।

କ୍ଷେପଣାସ୍ତ୍ର ପ୍ରତିରୋଧ ବ୍ୟବସ୍ଥା କ୍ଷେତ୍ରରେ ଇସ୍ରାଏଲ୍ ଇରାନଠାରୁ ଆଗରେ ରହିଛି । ଇସ୍ରାଏଲର ଡୋମ୍ ପ୍ରତିରକ୍ଷା ବେଶ୍ ଶକ୍ତିଶାଳୀ ସାବ୍ୟସ୍ତ ହୋଇଛି । ଇସ୍ରାଏଲ କୌଣସି ଯୁଦ୍ଧ ହାରିନାହିଁ । ଇରାନ, ଇରାକ ସହ ଯୁଦ୍ଧରେ ପରାସ୍ତ ହୋଇଥିଲା ।

Comments are closed.