Latest Odisha News

ବିଜୁ ପଟ୍ଟନାୟକ ବିମାନ ବନ୍ଦରର ଘରୋଇକରଣ ନିଷ୍ପତ୍ତି ଦୁର୍ଭାଗ୍ୟଜନକ: ବିଜେଡି

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ଦ୍ୱାରା ଭୁବନେଶ୍ୱର ବିମାନ ବନ୍ଦରକୁ ଘରୋଇକରଣ କରାଯିବା ଉଦ୍ୟମକୁ କଟୁ ସମାଲୋଚନା କରିଛି ବିଜେଡି । ଭୁବନେଶ୍ୱର ବିମାନ ବନ୍ଦରକୁ କେନ୍ଦ୍ର ସରକାରଙ୍କ ଘରୋଇକରଣ ନିଷ୍ପତ୍ତି ଆଦୌ ଗ୍ରହଣୀୟ ନୁହେଁ ବୋଲି କହିଛି ବିରୋଧି ବିଜେଡି । ଭୁବନେଶ୍ୱର ବିମାନ ବନ୍ଦର ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ନାମରେ ନାମିତ ହୋଇଥିବା ବେଳେ ଏହି ବିମାନ ବନ୍ଦର ଓଡ଼ିଶାର ସ୍ୱାଭିମାନ ଓ ଅସ୍ମିତାର ପ୍ରତୀକ । ଏହା ପୂର୍ବ ଭାରତର ଏକ ପ୍ରମୁଖ ବିମାନ ବନ୍ଦର । ଏହାର ଘରୋଇକରଣ ନିଷ୍ପତ୍ତି ନିଶ୍ଚିତ ଭାବେ ଆମ ସ୍ୱାଭିମାନ ଓ ଅସ୍ମିତା ପ୍ରତି କୁଠାରଘାତ ବୋଲି କହିଛି ବିଜେଡି ।

ସାମ୍ବାଦିକ ସମ୍ମିଳନୀ କରି ଶାସକ ଦଳର ନିଷ୍ପତି ତଥା କେନ୍ଦ୍ର ସରକାରଙ୍କ ଉଦ୍ୟମକୁ କଡା ସମାଲୋଚନା କରି ବିଜେଡି କହିଛି ଯେ, ବିଜୁ ପଟ୍ଟନାୟକ ବିମାନବନ୍ଦର ଘରୋଇକରଣ ହେଲେ ଏଠାରେ ଚାଲୁଥିବା ବିମାନ ଚଳାଚଳ ଓ ଅନ୍ୟାନ୍ୟ ଅର୍ଥନୈତିକ ଗତିବିଧି ପ୍ରଭାବିତ ହେବ । ସେହିପରି ଏହି ବିମାନ ବନ୍ଦରରେ ଚାଲିଥିବା ଆଭିଏସନ ଟ୍ରେନିଂ ସେଣ୍ଟର ମଧ୍ୟ ବନ୍ଦ ହୋଇଯିବାର ଆଶଙ୍କା ରହିଛି । ତେଣୁ ଦଳ ଏହି ଘରୋଇକରଣ ନିଷ୍ପତ୍ତିକୁ ପୂର୍ଣ୍ଣମାତ୍ରାରେ ବିରୋଧ କରିବା ସହ କେନ୍ଦ୍ର ସରକାର ଏହା ଉପରେ ପୁନର୍ବିଚାର କରନ୍ତୁ ବୋଲି ଦାବି କରିଛି ବିଜେଡି ।

କହିରଖୁଛୁ ଯେ, ଆଜି ରାଜ୍ୟସଭାରେ ବିଜେଡି ରାଜ୍ୟସଭା ସାଂସଦ ନିରଞ୍ଜନ ବିଶିଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ କେନ୍ଦ୍ର ବିମାନ ଚଳାଚଳ ରାଜ୍ୟ ମନ୍ତ୍ରୀ ମୁରଲୀଧର ମୋହଲ ଦେଇଥିବା ଉତ୍ତରରୁ ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦର ଭୁବନେଶ୍ୱର ସମେତ ଭାରତର ପଚିଶଟି ବିମାନ ବନ୍ଦରକୁ ୨୦୨୨ରୁ ୨୦୨୫ ଭିତରେ ଘରୋଇକରଣ କରିବା ପାଇଁ ନିଷ୍ପତ୍ତି ହୋଇଛି ବୋଲି ସ୍ପଷ୍ଟ କରିଥିଲେ ।

 

Comments are closed.