Latest Odisha News

ନବୀନଙ୍କ ନୂଆ କମିଟିରେ ବଡ଼ ସଂକେତ

ଭୁବନେଶ୍ବର: ନବୀନଙ୍କ ନୂଆ କମିଟିରେ ବିଜେଡି ରାଜନୀତିକୁ ନେଇ ବଡ ସଂକେତ । ମମତା ମହନ୍ତ ବିଜେଡି ଛାଡିବା ପରଠୁ ଦଳକୁ ଏକଜୁଟ୍ କରିବାକୁ ଦମ୍ ଲଗାଇଛନ୍ତି ଦଳର ସଭାପତି ନବୀନ ପଟ୍ଟନାୟକ । ବିଜେଡିର ବିଭିନ୍ନ କାର୍ଯ୍ୟକ୍ରମର ସଂଯୋଜନା ଓ ତଦାରଖ କରିବା ପାଇଁ ଗଠନ କରିଛନ୍ତି କମିଟି । ଦେବୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟିରେ ମୋଟ୍ ୧୫ଜଣ ସଦସ୍ୟ ରହିଛନ୍ତି । ତେବେ କମିଟିରେ ନା ପୂର୍ବତନ ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ନାଁ ଅଛି ନା ଦଳର ଅନ୍ୟତମ କ୍ଷମତା କେନ୍ଦ୍ର କୁହାଯାଉଥିବା ଭିକେ ପାଣ୍ଡିଆନଙ୍କ କୋଟେରୀର କୌଣସି ନେତା ସ୍ଥାନ ପାଇଛନ୍ତି । ପ୍ରଶ୍ନ ଉଠୁଛି, ପୂର୍ବରୁ ଦଳରେ କ୍ଷମତାଶାଳୀ ରହିଥିବା ନେତାଙ୍କୁ କମିଟିରେ ରଖାନଯିବା ପଛରେ କାରଣ କଣ?

ଫାଟ ଯୋଡିବାକୁ ପ୍ଲାନ୍

କ୍ଷମତାରେ ରହିଥିବା ବେଳେ ବିଜେଡିରେ ନବୀନଙ୍କ ନେତୃତ୍ବ ନେଇ କେବେ କେହି ପ୍ରଶ୍ନ ଉଠାଇନଥିଲେ । ହେଲେ କ୍ଷମତାରୁ ଯିବା ପରେ ଦଳ ଭିତରେ ଫାଟ ଦିଶିଲାଣି। ମମତା ମହନ୍ତଙ୍କ ୟୁଟର୍ଣ୍ଣ ନବୀନଙ୍କ ନେତୃତ୍ବକୁ ଖୋଲା ଚ୍ୟାଲେଞ୍ଜ ବୋଲି ବି ଚର୍ଚ୍ଚା ହେଉଛି । ଏହାପରଠୁ ଦଳର ତୃଣମୂଳସ୍ତରର ନେତାଙ୍କୁ ଭେଟି ଏକଜୁଟ୍ କରିବାକୁ ଉଦ୍ୟମ କରୁଛନ୍ତି ନବୀନ । ଏହି ଧାରାରେ ମିଡିଆ କମିଟିକୁ ପୁନର୍ବିନ୍ୟାସ ପରେ ଦଳର କମିଟି ଗଠନ କରିଛନ୍ତି । ତେବେ ୨୦୨୪ ନିର୍ବାଚନରେ ଯେଉଁ ନେତାମାନେ ଦଳର ସେନାପତି ଭୂମିକାରେ ରହିଥିଲେ ସେମାନେ କମିଟିରୁ  ବାଦ ପଡିଛନ୍ତି । କେଉଁଠି ନା କେଉଁଠି ଦଳର ନିର୍ବାଚନ ବିପର୍ଯ୍ୟୟ ପରେ ଡ୍ୟାମେଜ କଣ୍ଟ୍ରୋଲ ପାଇଁ ସେମାନଙ୍କୁ କମିଟିରୁ ନବୀନ ବାଦ୍ ଦେଇଥିବା ଚର୍ଚ୍ଚା ହେଉଛି।

ବବି ଆଉଟ୍ ଦେବୀ ପାଓ୍ବାରଫୁଲ୍

ଗତ ୫ବର୍ଷ ହେଲା ବିଜେଡିର ଅନ୍ୟତମ କ୍ଷମତାଶାଳୀ ନେତା ଥିଲେ ପ୍ରଣବ ପ୍ରକାଶ ଦାସ। ନବୀନ ତାଙ୍କୁ ସଂଗଠନ ସାଙ୍ଗକୁ ଅନେକ ଉପନିର୍ବାଚନ ଦାୟିତ୍ବ ଦେଇଥିଲେ । ଦଳ ପାଇଁ ଯାଜପୁରର ସେଫ୍ ସିଟ୍ ଛାଡି ସମ୍ବଲପୁରରେ ଲଢିଥିଲେ ପ୍ରଣବ। ହେଲେ ଦଳର ନିର୍ବାଚନ ପରାଜୟ ପାଇଁ ଦଳ ଭିତରୁ ହିଁ ପାଣ୍ଡିଆନ ଓ ପ୍ରଣବଙ୍କ ବିରୋଧରେ ଅସନ୍ତୋଷର ସ୍ବର ଉଠିଥିଲା । ଏପରିକି ନବୀନ ନିବାସରେ ବି ଏହି ପ୍ରସଙ୍ଗରେ କିଛି ନେତାଙ୍କର ପ୍ରଣବଙ୍କ ସହ ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଥିବା ନେଇ ଚର୍ଚ୍ଚା ହୋଇଥିଲା । ତେଣୁ କମିଟିରୁ ବାଦ ଦେବା ସହ ଦଳୀୟ ଅସନ୍ତୋଷ ଶାନ୍ତ କରିବାକୁ ନବୀନ ଉଦ୍ୟମ କରିଥିବା କୁହାଯାଉଛି ।

ପାଣ୍ଡିଆନ କୋଟାରୀର ନେତା ବି ବାଦ୍

କେବଳ ପ୍ରଣବ ପ୍ରକାଶ ଦାସ ନୁହନ୍ତି, ଭିକେ ପାଣ୍ଡିଆନଙ୍କ କୋଟାରୀର ନେତା କୁହାଯାଉଥିବା ସୁଶାନ୍ତ ସିଂ, ମାନସ ମଙ୍ଗରାଜ, ଦିବ୍ୟଶଙ୍କର ମିଶ୍ର ବି କମିଟିରୁ ବାଦ ପଡିଛନ୍ତି । ୨୦୨୪ ନିର୍ବାଚନ ବେଳେ ବିଜେଡିର ଦ୍ବିତୀୟ ଷ୍ଟାର କ୍ୟାମ୍ପେନର ସହ ଦଳର ଚେହେରା ସାଜିଥିଲେ ଭିକେ ପାଣ୍ଡିଆନ । ତାଙ୍କ କୋଟେରୀ ନେତାଙ୍କ ଦବଦବା ବି ସେହିଭଳି ରହିଥିଲା । ନିର୍ବାଚନରେ ବିଜେଡି ହାରିବା ପରେ ପାଣ୍ଡିଆନଙ୍କୁ ନେଇ ଦଳରେ ପ୍ରବଳ ଅସନ୍ତୋଷ ଦେଖା ଦେଇଥିଲା । ତେବେ ସେତେବେଳେ ପାଣ୍ଡିଆନଙ୍କୁ ଘଣ୍ଟ ଘୋଡାଇଥିଲେ ନିଜେ ନବୀନ । ସକ୍ରିୟ ରାଜନୀତିରୁ ନିଜକୁ ପ୍ରତ୍ୟାହାର କରିବା ପରେ ବି ପାଣ୍ଡିଆନଙ୍କ ପ୍ରଭାବ ବିଜେଡିର ବିଭିନ୍ନ ନିଷ୍ପତ୍ତି ଉପରେ ରହୁଥିବା କୁହାଯାଉଛି। ତେବେ ତାଙ୍କ କୋଟେରୀ ନେତାଙ୍କୁ ବାଦ ଦେଇ ଦଳୀୟ କର୍ମୀଙ୍କ ଅସନ୍ତୋଷ କମାଇବାକୁ ନବୀନ ଉଦ୍ୟମ କରିଥିବା କୁହାଯାଉଛି ।

ନିର୍ବାଚନରେ ହାରିବା ପରଠୁ ରାଜ୍ୟରେ ବିଜେଡିର ସାଂଗଠନିକ ଓ ରାଜନୈତିକ କାର୍ଯ୍ୟକ୍ରମ ଶିଥିଳ ପଡିଛି । ତେବେ କମିଟି ଗଠନ ପରେ ଏସବୁ କାର୍ଯ୍ୟକ୍ରମ ସାରା ରାଜ୍ୟରେ ଚାଲିପାରେ । ବିରୋଧୀ ଆସନରେ ବସିଥିବା ବିଜେଡି ବିଭିନ୍ନ ପ୍ରସଙ୍ଗ ଉଠାଇ ବିଜେପି ସରକାରଙ୍କୁ ଘେରିବ । କମିଟି ଏନେଇ ବି ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିପାରେ । ତେବେ କମିଟିରେ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ଅତନୁ ସବ୍ୟସାଚୀ ନାୟକ, ସଂଜୟ ଦାସବର୍ମାଙ୍କ ପରି ଅନେକ ବରିଷ୍ଠ ନେତା ବି ସ୍ଥାନ ପାଇନାହାନ୍ତି । ଦଳର ସଂକଟ ବେଳେ ବି ବିଜେଡି ସହ ଠିଆ ହୋଇଥିବା ଏହି ନେତାଙ୍କୁ କମିଟିରୁ ବାଦ ଦେବା ନେଇ ଦଳ ଭିତରେ ବି ଚର୍ଚ୍ଚା ହେଉଛି । ଏପର୍ଯ୍ୟନ୍ତ ବିଜେଡି ପରାଜୟର କାରଣ ଖୋଜିନଥିବା ବେଳେ ଦଳକୁ ଏକଜୁଟ୍ କରି ରଖିବା ପାଇଁ ମାନସ ମନ୍ଥନ ଆରମ୍ଭ ହୋଇଛି । ତେବେ ପାଣ୍ଡିଆନ, ବବିଙ୍କ ପରି ନେତାଙ୍କୁ ନେଇ ଦଳ ଭିତରେ ରହିଥିବା ବିଦ୍ରୋହର ନିଆଁ ଲିଭାଇବାକୁ କମିଟି ମାଧ୍ୟମରେ ନବୀନ ଉଦ୍ୟମ କରିଥିବା ଚର୍ଚ୍ଚା ହେଉଛି ।

Comments are closed.