Latest Odisha News

 ଟିମ୍ ଇଣ୍ଡିଆକୁ ‘ସ୍ପିନ ଆଟାକ୍‌’

ନୂଆଦିଲ୍ଲୀ: ନୂଆ ହେଡ୍ କୋଚ୍ ଗୌତମ ଗମ୍ଭୀରଙ୍କ କାର୍ଯ୍ୟକାଳରେ ପ୍ରଥମ ସିରିଜ୍ ହାରିଛି ଟିମ୍ ଇଣ୍ଡିଆ । ଶ୍ରୀଲଙ୍କା ଗସ୍ତରେ ଟି-୨୦ ସିରିଜ କ୍ଲିନ ସ୍ୱିପ୍ କରିଥିଲେ ମଧ୍ୟ ଏକଦିବସୀୟ ସିରିଜ ହାରିଛି ଭାରତୀୟ ଦଳ । ଦୀର୍ଘ ୨୭ ବର୍ଷ ପରେ ଶ୍ରୀଲଙ୍କାଠାରୁ ପ୍ରଥମ ଦିନିକିଆ ସିରିଜ୍ ହାରିଛି ଭାରତ ।

ଦିନିକିଆ ସିରିଜ ହାରିବା କ୍ରିକେଟପ୍ରେମୀଙ୍କୁ ନିରାଶ କରିଛି । କିନ୍ତୁ ଶ୍ରୀଲଙ୍କାର ସ୍ପିନ ବୋଲିଂ ଆଗରେ ଟିମ୍ ଇଣ୍ଡିଆ ବ୍ୟାଟରଙ୍କ ନିମ୍ନମାନର ପ୍ରଦର୍ଶନ ନେଇ ଅଧିକ ଚର୍ଚ୍ଚା ହେଉଛି । ସିରିଜ ପରାଜୟ ନେଇ ଗୌତମ ଗମ୍ଭୀରଙ୍କ ରଣନୀତିକୁ କିଛି ମାତ୍ରାରେ ଦାୟୀ କରାଯାଉଛି । କିନ୍ତୁ ଭାରତୀୟ ଦଳର ବ୍ୟାଟରମାନେ ଶ୍ରୀଲଙ୍କାର ସ୍ପିନରଙ୍କ ମୁକାବିଲା ନ କରିପାରିବା ହିଁ ସିରିଜ୍ ପରାଜୟର ମୁଖ୍ୟ କାରଣ । ଆମ ବ୍ୟାଟରମାନଙ୍କ ପାଖରେ ସ୍ପିନ ଖେଳିବା ଟେକନିକ ନାହିଁ ନା ଶ୍ରୀଲଙ୍କା ସ୍ପିନରମାନେ ଅଧିକ ଉନ୍ନତ ବୋଲି ପ୍ରଶ୍ନ ହେଉଛି ।

କିଛି କ୍ରିକେଟ ବିଶେଷଜ୍ଞଙ୍କ ମତରେ ଶ୍ରୀଲଙ୍କା ସ୍ପିନରଙ୍କ ବିରୋଧରେ ଆମ ବ୍ୟାଟରଙ୍କ ଆପ୍ଲିକେସନ ଠିକ୍ ହୋଇନାହିଁ । ଶ୍ରୀଲଙ୍କାର ପିଚ୍ ବି ସ୍ପିନରଙ୍କୁ ଅଧିକ ସୁହାଇଛି । କିଛି ବ୍ୟାଟରଙ୍କ ବେପରୱା ସଟ୍ ସିଲେକସନ ବି ଶ୍ରୀଲଙ୍କା ସ୍ପିନରଙ୍କୁ  ୱିକେଟ ଦେଇଛି ବୋଲି ଆଲୋଚନା ହେଉଛି । ଦୁନିଥ ୱେଲାଲାଗେ ଓ ଜେଫ୍ରି ଭନ୍ଦର୍ସେଙ୍କ ଭଳି ଯୁବ ଓ ଅନଭିଜ୍ଞ ସ୍ପିନରଙ୍କ ଆଗରେ ବି ହାର ମାନିଥିଲେ ଭାରତୀୟ ବ୍ୟାଟର ।

ଦିନିକିଆ ସିରିଜରେ ସ୍ପିନରଙ୍କ ରହିଥିଲା ପ୍ରାଧାନ୍ୟ । ଘରୋଇ ଦଳର ସ୍ପିନର ଭାରତକୁ ବାନ୍ଧି ରଖିଥିଲେ । ଭାରତର ପତନ ହୋଇଥିବା ୩୦ ୱିକେଟ ମଧ୍ୟରୁ ୨୭ ୱିକେଟ କେବଳ ଶ୍ରୀଲଙ୍କା ସ୍ପିନରମାନେ ନେଇଥିଲେ । ଏଯାବତ ତିନି ମ୍ୟାଚ ବିଶିଷ୍ଟ ଦ୍ୱିପାକ୍ଷିକ ଦିନିକିଆ ଆନ୍ତର୍ଜାତିକ ସିରିଜରେ ଏହି ସଂଖ୍ୟା ସର୍ବାଧିକ । ସମଗ୍ର ସିରିଜରେ ୪୩ ୱିକେଟ କେବଳ ସ୍ପିନରମାନେ ହିଁ ନେଇଛନ୍ତି ।

ଦିନିକିଆ ସିରିଜର ସମସ୍ତ ତିନିଟି ମ୍ୟାଚରେ ଲକ୍ଷ୍ୟ ପିଛା କରି ଭାରତୀୟ ଦଳ ଅଲଆଉଟ ହୋଇଥିଲା । ଏହି ସମସ୍ତ ମ୍ୟାଚରେ ଭାରତର ୨୭ଟି ୱିକେଟ ନେଇଥିଲେ ଶ୍ରୀଲଙ୍କାର ସ୍ପିନର ।

ଗୋଟିଏ ଦିନିକିଆ ମ୍ୟାଚରେ ଭାରତ ସବୁ ୱିକେଟ ସ୍ପିନରମାନଙ୍କ ଦ୍ୱାରା ହରାଇବା ଘଟଣା ମଧ୍ୟ ଥରେ ଘଟିଛି । ୨୦୨୩ ଏସିଆ କପରେ ଘରୋଇ ଶ୍ରୀଲଙ୍କା ବିପକ୍ଷରେ ଭାରତର ସମସ୍ତ ୧୦ଟି  ୱିକେଟ୍ ସ୍ପିନରମାନେ ହିଁ ନେଇଥିଲେ ।

୨୦୧୧ରେ ବାଂଲାଦେଶ ଆୟୋଜିତ କରିଥିବା ତିନି ମ୍ୟାଚ୍ ଦିନିକିଆ ସିରିଜରେ ଘରୋଇ ଦଳର ସ୍ପିନରମାନେ ପାକିସ୍ତାନ ବିପକ୍ଷରେ ସର୍ବାଧିକ ୨୧ଟି ୱିକେଟ ନେଇଥିଲେ । ସେହି ରେକର୍ଡ ଏବେ ଭାରତ ବିପକ୍ଷ ସିରିଜରେ ଭଙ୍ଗ କରିଛି ଶ୍ରୀଲଙ୍କା ।

୨୦୧୬ରେ ହଂକଂ ଓ ପପୁଆ ନ୍ୟୁଗିନି ମଧ୍ୟରେ ଅନୁଷ୍ଠିତ ଦ୍ୱିପାକ୍ଷିକ ଦିନିକିଆ ସିରିଜରେ ମଧ୍ୟ ରହିଥିଲା ସ୍ପିନରଙ୍କ ପ୍ରାଧାନ୍ୟ । ତିନି ମ୍ୟାଚ ସିରିଜରେ ପପୁଆ ନ୍ୟୁଗିନିର ୨୧ଟି ୱିକେଟ ହଂକଂର ସ୍ପିନରମାନେ ନେଇଥିଲେ ।

ସାଧାରଣତଃ ଭାରତୀୟ ବ୍ୟାଟରମାନେ ସ୍ପିନ୍ ବୋଲିଂ ଭଲ ଖେଳିଥାଆନ୍ତି । ସେନ୍ ୱାର୍ଣ୍ଣ, ମୁରଲୀଧରନ ଓ ସାକଲିନ ମୁସ୍ତାକଙ୍କ ଭଳି ସ୍ପିନରଙ୍କ ଦିନେ ଉଚିତ ମୁକାବିଲା କରୁଥିଲେ ଭାରତୀୟ ବ୍ୟାଟର । କିନ୍ତୁ ଆଜିକାଲି ଅଧିକାଂଶ ଭାରତୀୟ ବ୍ୟାଟର କମ୍ ଦକ୍ଷତା ଥିବା ସ୍ପିନରଙ୍କ ଆଗରେ ସଂଘର୍ଷ କରୁଥିବା ଦେଖାଯାଇଛି । ଉଭୟ ଟେଷ୍ଟ ଓ ଦିନିକିଆରେ ଏଭଳି ସଂଘର୍ଷ ଦେଖିବାକୁ ମିଳିଛି ।

 

 

 

Comments are closed.