Latest Odisha News

BREAKING NEWS

ମୋଦିଙ୍କୁ ରାହୁଲଙ୍କ ପ୍ରଶଂସା, କହିଲେ ‘ଧନ୍ୟବାଦ ମୋଦି ଜି’

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ମୋଦି କେରଳ ଓ୍ବାୟନାଡ ଗସ୍ତରେ ଯାଇ ସେଠିକାର ପ୍ରଳୟର ସ୍ଥିତି ଅନୁଧ୍ୟାନ କରିବେ । ଯାହାକୁ ନେଇ ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ମୋଦିଙ୍କୁ ପ୍ରଶଂସା କରିଛନ୍ତି । ମୋଦି ଏଭଳି ନିଷ୍ପତ୍ତି ନେଇ ଏକ ଭଲ ପଦକ୍ଷେପ ନେଇଛନ୍ତି ବୋଲି ରାହୁଲ କହିଛନ୍ତି । ଏନେଇ ନିଜ ଏକ୍ସରେ ଏକ ପୋଷ୍ଟ ଜାରି କରି ମୋଦିଙ୍କୁ ପ୍ରଶଂସା କରିଛନ୍ତି ରାହୁଲ ।

ତେବେ ଏକ୍ସ ପୋଷ୍ଟରେ ରାହୁଲ ଲେଖିଛନ୍ତି, ‘ଧନ୍ୟବାଦ ମୋଦି ଜି, ଓ୍ବାୟନାଡର ଦୁଃଖଦ ଘଟଣା ପରେ ସେଠାକୁ ଗସ୍ତ କରିବାକୁ ନିଷ୍ପତ୍ତି ନେଇଥିବାରୁ । ଏହା ପ୍ରଶଂସନୀୟ ନିଷ୍ପତ୍ତି । ମୁଁ ନିଶ୍ଚିତ, ଯେ ଥରେ ପ୍ରଧାନମନ୍ତ୍ରୀ ସେଠିକାର ବିନାଶର ସ୍ଥିତି ଦେଖିଲା ପରେ, ସେ ତାହାକୁ ଜାତୀୟ ବିପର୍ଯ୍ୟୟ ବୋଲି ଘୋଷଣା କରିବେ ।’

ତେବେ କହିରଖୁଛୁ, ଶନିବାର ଅର୍ଥାତ୍ ଆଜି ପ୍ରଧାନମନ୍ତ୍ରୀ ମୋଦି କେରଳ ଓ୍ବାୟନାଡରେ ପ୍ରକୃତି ଯେଉଁ ତାଣ୍ଡବ ରଚିଛି ତାହାର ସ୍ଥିତି ପର୍ଯ୍ୟବେକ୍ଷଣ କରିବେ । ପ୍ରାୟ ଦିନ ୧୧ଟା ପାଖାପାଖି ଘଟଣାସ୍ଥଳରେ ପହଞ୍ଚି ଆାକାଶମାର୍ଗରେ ସ୍ଥିତି ପରଖିବା ପରେ ମଧ୍ୟାହ୍ନରେ ପ୍ରଭାବିତ ଅଞ୍ଚଳକୁ ଯାଇ ରିଲିଫ କ୍ୟାମ୍ପ ଏବଂ ଡାକ୍ତରଖାନା ପରିଦର୍ଶନ କରିବେ। ସେଠାରେ ସେ ଭୂସ୍ଖଳନରେ ପୀଡିତ ଏବଂ ଆହତ ଲୋକଙ୍କୁ ମଧ୍ୟ ଭେଟିବେ। ଏହା ସହିତ ସ୍ଥିତି ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିବେ ମୋଦି ।

ତେବେ ୩୦ ଜୁଲାଇରେ ହୋଇଥିବା କେରଳ ଓ୍ବାୟନାଡ ମୃତ୍ୟୁରୂପୀ ଭୁସ୍ଖଳନରେ ପ୍ରାୟ ୨୨୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏବେ ବି ଅନେକ ନିଖୋଜ ଅଛନ୍ତି । ଏହା ମଧ୍ୟରେ ଜଣେ ଓଡିଆ ଡାକ୍ତରଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଓଡିଆ ଡାକ୍ତର ଏବେ ବି ନିଖୋଜ ଅଛନ୍ତି । ପ୍ରାୟ ୧୦ ଦିନର ସର୍ଚ୍ଚ ଅପରେସନ ଜାରି ରଖିଥିବା ଭାରତୀୟ ସେନା, ଶୁକ୍ରବାର ଓ୍ବାୟନାଡ ଉଦ୍ଧାର କାର୍ଯ୍ୟ ଶେଷ କରି ବିଦାୟ ନେଇଛନ୍ତି । ପୂର୍ବରୁ ଘଟଣାସ୍ଥଳକୁ ଯାଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ସ୍ଥିତି ପରିଦର୍ଶନ କରିବା ସହ ଏହି ପ୍ରସଙ୍ଗକୁ ସଂସଦରେ ମଧ୍ୟ ଆଲୋଚନା କରିଥିଲେ । ଏହାପରେ ଆଜି ପ୍ରଧାନମନ୍ତ୍ରୀ ମଧ୍ୟ ସ୍ଥିତି ଅନୁଧ୍ୟାନ ପାଇଁ ଓ୍ବାୟନାଡ ଗସ୍ତରେ ଯାଇଛନ୍ତି ।

Comments are closed.