Latest Odisha News

BREAKING NEWS

ଅନାଥ ଅମନ : ଛତ୍ରଶାଲ ଷ୍ଟାଡିୟମରୁ ଅଲିମ୍ପିକ୍ସ ପୋଡିୟମ

ନୂଆଦିଲ୍ଲୀ: ପ୍ୟାରିସ ଅଲିମ୍ପିକ୍ସ କୁସ୍ତିରେ ଭିନେଶ ଫୋଗାଟ ଅଯୋଗ୍ୟ ଘୋଷଣା ହେବା ପରେ ନିରାଶ କ୍ରୀଡାପ୍ରେମୀଙ୍କ ମୁହଁରେ ହସ ଫୁଟାଇଛନ୍ତି ଭାରତର ରେସଲିଂ ସେନସେସନ ଅମନ ଶେରାୱତ । ନିଜର ଅଲିମ୍ପିକ୍ସ ପଦାର୍ପଣରେ ହିଁ ଜିତିଛନ୍ତି ପଦକ । ପୁଏର୍ତ୍ତୋରିକୋର ପ୍ରତିଦ୍ୱନ୍ଦୀଙ୍‌କୁ ମାତ୍ ଦେଇ ବ୍ରୋଂଜ ଜିତିଛନ୍ତି ଅମନ, ଯାହା କି ପ୍ୟାରିସ ଅଲିମ୍ପିକ୍ସ କୁସ୍ତିରେ ଭାରତର ପ୍ରଥମ ପଦକ । ଏଥିସହ ୨୧ ବର୍ଷିୟ ଶେରାୱତ ଅଲିମ୍ପିକ୍ସରେ ପଦକ ଜିତିବାରେ ସର୍ବକନିଷ୍ଠ ଭାରତୀୟ କ୍ରୀଡାବିତ୍ ହୋଇଛନ୍ତି । ପୂର୍ବରୁ ଷ୍ଟାର ସଟଲରଙ୍କ ପି.ଭି ସିନ୍ଧୁ ଥିଲେ ଅଲିମ୍ପିକ୍ସରେ ପଦକ ଜିତିବାରେ ସର୍ବକନିଷ୍ଠ ଭାରତୀୟ କ୍ରୀଡାବିତ୍ । ବ୍ରୋଞ୍ଜ ଜିତିଲା ପରେ ପଦକକୁ ବାପାମାଆ ଓ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି ଶେରାୱତ । ଶେରାୱତଙ୍କ ବାପାମାଆ ନାହାନ୍ତି । ସେମାନେ ଅଲିମ୍ପିକ୍ସ କଣ ଜାଣିନଥିଲେ । କିନ୍ତୁ ସେମାନେ ତାଙ୍କୁ ରେସଲର ଭାବେ ଦେଖିବାକୁ ଚାହୁଁଥିଲେ ବୋଲି କହିଛନ୍ତି ଅମନ ।

ମାତ୍ର ୧୧ ବର୍ଷ ବୟସରେ ଅନାଥ ହୋଇଯାଇଥିଲେ ଅମନ । ମୃତ୍ୟୁ ପୂର୍ବରୁ ବାପା ଦିଲ୍ଲୀର ଛତ୍ରଶାଲ ଷ୍ଟାଡିୟମ ସ୍ଥିତ ସମ୍ମାନଜନକ କୁସ୍ତି ପ୍ରଶିକ୍ଷଣ କେନ୍ଦ୍ରରେ ଅମନଙ୍କ ନାଁ ଲଗାଇ ଦେଇଥିଲେ । ଅନେକ କୁସ୍ତି ଚାମ୍ପିଅନ ସୃଷ୍ଟି କରିଥିବା ଛତ୍ରଶାଲ ଷ୍ଟାଡିୟମ ହିଁ ଥିଲା ଅନାଥ ଅମନଙ୍କ ପାଇଁ ସବୁ କିଛି । ବାପା ମାଆ ଚାଲିଗଲା ପରେ ଦାଦାଙ୍କ ଦ୍ୱାରା ପ୍ରତିପାଳିତ ହୋଇଥିଲେ ଅମନ । ହେଲେ ଛତ୍ରଶାଲ କୁସ୍ତି କେନ୍ଦ୍ର ହିଁ ତାଙ୍କୁ ଆଗକୁ ଯିବାର ବାଟ ଦେଖାଇଥିଲା । ସେଠାରେ ଭାରତର ଖ୍ୟାତି ସଂପନ୍ନ ରେସଲରଙ୍କ କୌଶଳରେ ପ୍ରଭାବିତ ହୋଇଥିଲେ । ପ୍ରେରଣା ପାଇଥିଲେ ଅମନ । ସୁଶୀଲ କୁମାର ଓ ରବି ଦହିୟାଙ୍କ ଦ୍ୱାରା ବେଶ୍ ପ୍ରଭାବିତ ହୋଇଛନ୍ତି ଅମନ ।

୨୦୨୨ ଥିଲା ଅମନଙ୍କ କ୍ୟାରିୟରର ଟର୍ଣ୍ଣିଂ ପଏଂଟ । ସେହିବର୍ଷ ୨୦ ବର୍ଷରୁ କମ୍ ଏସିଆନ ଚାମ୍ପିଅନସିପରେ ବ୍ରୋଂଜ ଓ ୨୩ ବର୍ଷରୁ କମ୍ ଏସିଆନ ଚାମ୍ପିଅନସିପରେ ସ୍ୱର୍ଣ୍ଣ ହାସଲ କରି ଚର୍ଚ୍ଚାକୁ ଆସିଥିେଲେ ଅମନ । ୨୦୨୨ରେ ହିଁ ଅମନ ହାସଲ କରିଥିଲେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଆନ୍ତର୍ଜାତିକ ସଫଳତା । ୨୩ ବର୍ଷରୁ କମ୍ ବିଶ୍ୱ ଚାମ୍ପିଅନସିପରେ ସ୍ୱର୍ଣ୍ଣ ଜିତିଥିଲେ ଅମନ । ଏହି ସଫଳତା ତାଙ୍କ ସିନିୟର ବଜରଙ୍ଗ ପୁନିଆ ଓ ରବି ଦହିୟା ବି ହାସଲ କରିପାରିନଥିଲେ । ୨୩ ବର୍ଷରୁ କମ୍ ବିଶ୍ୱ ଚାମ୍ପିଅନସିପରେ ସ୍ୱର୍ଣ୍ଣ ହାସଲ ପରେ ଅମନଙ୍କ ପ୍ରତିଭା ନେଇ କାହାର ସନ୍ଦେହ ରହିନଥିଲା ।

ପ୍ୟାରିସ ଅଲିମ୍ପିକ୍ସରେ ଅମନ ଥିଲେ ଭାରତର ଏକମାତ୍ର ପୁରୁଷ ରେସଲର । ନିଜର ପ୍ରଥମ ଅଲିମ୍ପିକ୍ସରେ ହିଁ ଉଲ୍ଲେଖନୀୟ ପ୍ରଦର୍ଶନ କରି ଦେଶ ପାଇଁ ପଦକ ଜିତିବା କେତେଜଣଙ୍କ ଭାଗ୍ୟରେ ଜୁଟେ ?

ଅମନଙ୍କ ପଦକ ଥିଲା ପ୍ୟାରିସରେ ଭାରତର ଷଷ୍ଠ ପଦକ । ୨୦୦୮ରୁ ପ୍ରତ୍ୟେକ ଅଲିମ୍ପିକ୍ସର କୁସ୍ତିରେ ଭାରତର ପଦକ ଜିତିବା ପରମ୍ପରାକୁ ବଜାୟ ରଖିଛନ୍ତି ହରିୟାଣାର ୨୧ ବର୍ଷିୟ ଅମନ ।

 

Comments are closed.