Latest Odisha News

ବିମୁଦ୍ରିକରଣ ବେଳେ ଲୁଚେଇଥିଲେ, ଏବେ ମିଳିଲା ୩୮ ଲକ୍ଷ ଟଙ୍କା

ମାଲକାନଗିରି: ମାଟିତଳୁ ମିଳିଲା ନକ୍ସଲ ଲୁଚାଇଥିବା ୩୮ ଲକ୍ଷ ଟଙ୍କା । ଛତିଶଗଡ଼ ଗରିଆବନ୍ଦ ଗୋବରା ଓ ପେଣ୍ଡ୍ରା ଜଙ୍ଗଲର ମାଟି ତଳୁ ମିଳିଲା ଟଙ୍କା । ୧୦ ଫୁଟର ଗାତ ଖୋଳି ଟଙ୍କା ଲୁଚାଇ ରଖିଥିଲେ ନକ୍ସଲ । ମିଳିଥିବା ୩୮ ଲକ୍ଷ ଟଙ୍କା ମଧ୍ୟରେ ୬ ବଣ୍ଡଲ ୨ ହଜାର ଟଙ୍କିଆ ନୋଟ୍‌ ରହିଥିବା ସୂଚନା ମିଳିଛି । ତେବେ ବିମୁଦ୍ରିକରଣ ବେଳେ ନକ୍ସଲ ଟଙ୍କା ବଦଳାଇ ପାରିନଥିବାରୁ ଏପରି ମାଟି ଖୋଳି ଲୁଚେଇଥିବା ଅନୁମାନ କରାଯାଉଛି ।

ସୂଚନା ଅନୁସାରେ, ଛତିଶଗଡର ଗୋବରା ଓ ପେଣ୍ଡ୍ରା ଜଙ୍ଗଲରେ ନକ୍ସଲ ରହିଥିବା ନେଇ ବିଶେଷ ସୁତ୍ରରୁ ଖବର ପାଇ ସିଆର୍‌ପିଏଫ୍‌ ଯବାନ ଓ ଛତିଶଗଡ଼ ପୁଲିସ୍‌ ମିଳିତ ଭାବେ ସର୍ଚ୍ଚ ଅପରେସନ୍‌ ଆରମ୍ଭ କରିଥିଲେ । ସେହି ସମୟରେ ମେଟାଲ୍‌ ଡିଟେକ୍ଟରରେ ସିଗ୍‌ନାଲ୍ ଅନୁଯାୟୀ ପ୍ରାୟ ୧୦ ଫୁଟ୍‌ ଗାତ ଖୋଳି ଦେଖିବା ବେଳକୁ ପ୍ରାୟ ୩୮ ଲକ୍ଷ ଟଙ୍କା ସହ ମାରଣାସ୍ତ୍ର ପାଇଥିଲେ ସୁରକ୍ଷାକର୍ମୀ । ଜବତ ହୋଇଥିବା ଟଙ୍କା ଧନନ୍ତରୀ-ଗରିଆବନ୍ଦ-ନୂଆପଡା ଡିଭିଜନର ଓଡ଼ିଶା ରାଜ୍ୟ କମିଟିର ନକ୍ସଲମାନେ ଲୁଚାଇ ରଖିଥିବା ଜଣାପଡ଼ିଛି।

ତେବେ ମାଟି ତଳୁ ୬ ବଣ୍ଡଲ୍‌ ୨୦୦୦ ଟଙ୍କିଆ ପୁରୁଣା ନୋଟ, ୫୨ଟି ନୂଆ ୫୦୦ ଟଙ୍କିଆ ନୋଟ, ୨୩ଟି ବିଜିଏଲ୍‌, ୨ଟି ଟିଫିନ୍‌ ବୋମା, ୧୩ଟି ଡିଟୋନେଟର, ଗୋଟିଏ ବଣ୍ଡଲ ଫ୍ୟୁଜ ତାର, ଦୁଇ କିଲୋ ଖୋଲା ବାରୁଦ, ସେନ୍‌ସର ରିମୋଟ, ବିଦ୍ୟୁତ ତାର, ନକ୍ସଲ ପୋଷାକ, କଳା ପୋଷାକ ସହ ବୋମା ତିଆରି ସାମଗ୍ରୀ ମଧ୍ୟ ଜବତ କରିଛନ୍ତି ସୁରକ୍ଷାକର୍ମୀ ।

 

Comments are closed.