Latest Odisha News

ଓଡିଶା ଆସିବେ ଆଉ ୫ ମହାବଳ ବାଘ, ୨ ଜିରାଫ

ଭୁବନେଶ୍ୱର: ଓଡିଶା ଆସିବେ ଆଉ ୫ଟି ମହାବଳ ବାଘ । ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ରରୁ ସେପ୍ଟେମ୍ବର ମାସ ଶେଷ ସୁଦ୍ଧା ଏହି ମହାବଳ ବାଘ ରାଜ୍ୟକୁ ଆସିବେ । ସେମାନଙ୍କ ମଧ୍ୟରୁ ୩ଟି ବାଘଙ୍କୁ ବରଗଡ଼ର ଡେବ୍ରିଗଡ଼ରେ ଛଡ଼ାଯିବାକୁ ଥିବାବେଳେ ଅନ୍ୟ ୨ଟିକୁ ଶିମିଳିପାଳରେ ଛଡ଼ାଯିବ । ଏନେଇ ଆଇନଗତ ପ୍ରକ୍ରିୟା ସରିଛି ବୋଲି କହିଛନ୍ତି ବନ୍ୟପ୍ରାଣୀ ପିସିସିଏଫ୍ ସୁଶାନ୍ତ ନନ୍ଦ ।

ଉଭୟ ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ର ସରକାର ଏଥିପାଇଁ ଅନୁମତି ଦେଇସାରିଛନ୍ତି । ଯେଉଁ ବାଘ ଗୁଡ଼ିକୁ ଅଣାଯିବ, ସେଗୁଡ଼ିକୁ ଚିହ୍ନଟ କରାଯାଇଛି । ମହାବଳ ବାଘ ସ୍ଥାନାନ୍ତରଣ ଉଦ୍ଦେଶ୍ୟରେ ସପ୍ତାହେ ଭିତରେ ବନ ବିଭାଗର ଦୁଇଟି ଟିମ୍ ଏହି ଦୁଇ ରାଜ୍ୟକୁ ଯିବେ ।

ଦେବ୍ରିଗଡ ଜଙ୍ଗଲରେ ବାଘ ଛଡାଯିବା ପରେ ବାଘ ଯେପରି ଆଖପାଖ ଗାଁ ଗଣ୍ଡାକୁ ଯାଇନପାରିବେ ସେନେଇ ସୋଲାର ଫେନ୍ସିଂ କରାଯାଉଛି ।

ସେହିପରି, ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଚଳିତ ମାସ ଶେଷ ସୁଦ୍ଧା ୨ଟି ଜିରାଫ ଆସିବେ । ବର୍ତ୍ତମାନ ପ୍ରାଣୀ ଉଦ୍ୟାନରେ ମାତ୍ର ଗୋଟିଏ ଜିରାଫ ରହିଛି । ଆଉ ଦୁଇଟି ଆସିବା ପରେ ଜିରାଫ ‘ଖୁସି’କୁ ମିଳିବେ ଦୁଇ ନୂଆ ବନ୍ଧୁ । ତେବେ ଏହି ହଳେ ଜେରାଫ ଆନିମଲ ଏକ୍ସଚେଞ୍ଜ ପ୍ରୋଗ୍ରାମ ଅଧୀନରେ ଆଲିପୁର ଚିଡ଼ିଆଖାନାରୁ ଆସିବେ ।

Comments are closed.