Latest Odisha News

BREAKING NEWS

ଓଡ଼ିଶାର ଡିଜିପି ହେଲେ ବରିଷ୍ଠ ଆଇପିଏସ ଓ୍ୱାଇ ବି ଖୁରାନିଆ

ଭୁବନେଶ୍ୱର: ବରିଷ୍ଠ ଆଇପିଏସ୍ ଅଫିସର ୱାଇବି ଖୁରାନିଆଙ୍କୁ ଓଡ଼ିଶାର ପରବର୍ତ୍ତୀ ପୁଲିସ ମହାନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଛି। ୧୯୯୦ ବ୍ୟାଚର ଏହି ଆଇପିଏସ୍ ଅଫିସରଙ୍କୁ ନିକଟରେ କେନ୍ଦ୍ର ସରକାର ତାଙ୍କ ମୂଳ କ୍ୟାଡର ଓଡ଼ିଶାକୁ ଫେରାଇ ଦେଇଥିଲେ। ଏହାପରେ ସେ ଡିଜିପି ହେବା ନେଇ ଚର୍ଚ୍ଚା ହେଉଥିଲା। ଏବେ ଆଇପିଏସ ଅରୁଣ ଷଡ଼ଙ୍ଗୀ ଅତିରିକ୍ତ ଡିଜିପି ଭାବେ ଅବସ୍ଥାପିତ । ନବୀନ ପଟ୍ଟନାୟକଙ୍କ ସରକାର ସମୟରେ ତାଙ୍କୁ ଏହି ନିଯୁକ୍ତି ମିଳିଥିଲା କିନ୍ତୁ ରାଜ୍ୟର ଏତେ ବଡ଼ ପଦବୀରେ ପୂର୍ଣ୍ଣକାଳୀନ ଡିଜିପି ନହେବା ନେଇ ବିଭିନ୍ନ ପ୍ରଶ୍ନ ଉଠିଥିଲା।

ନିକଟରେ ୟୁପିଏସସିକୁ କିଛି ବରିଷ୍ଠ ଆଇପିଏସସିଙ୍କ ତାଲିକା ଦେଇଥିଲେ ସରକାର। ଏହାପରେ ଦିଲ୍ଲୀରେ ୟୁପିଏସସିର ଏକ ବୈଠକ ବସିଥିଲା। ଯେଉଁଥିରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ମଧ୍ୟ ଉପସ୍ଥିତ ଥିଲେ। ସେହିପରି ନିକଟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଯେତେବେଳେ ଦିଲ୍ଲୀ ଗସ୍ତରେ ଥିଲେ ସେତେବେଳେ ତାଙ୍କୁ ଖୁରାନିଆ ଭେଟିଥିବାର ମଧ୍ୟ ସୂଚନା ରହିଥିଲା। ତେଣୁ ଖୁରାନିଆ ଡିଜିପି ହେବା ନେଇ ଏକ ପ୍ରକାର ସ୍ପଷ୍ଟ ସଙ୍କେତ ମିଳି ସାରିଥିଲା କିନ୍ତୁ ଘୋଷଣାକୁ ଅପେକ୍ଷା ଥିଲା।

ଖୁରାନିଆ ଏହାପୂର୍ବରୁ ବିଏସଏଫ ମୁଖ୍ୟାଳୟର ସ୍ୱତନ୍ତ୍ର ଡିଜି ଭାବେ ଅବସ୍ଥାପିତ ହୋଇଥିଲେ। ବିଏସଏଫର ସ୍ୱତନ୍ତ୍ର ଡିଜି ୱାଇବି ଖୁରାନିଆଙ୍କୁ ତୁରନ୍ତ ତାଙ୍କ ମୂଳ କ୍ୟାଡରକୁ ଫେରାଇ ଆଣିବା ପାଇଁ ଗୃହ ମନ୍ତ୍ରଣାଳୟର ପ୍ରସ୍ତାବକୁ କ୍ୟାବିନେଟର ନିଯୁକ୍ତି କମିଟି ଅନୁମୋଦନ ଦେଇଥିଲା।

ତେବେ ଖୁରାନିଆ ଡିଜିପି ଭାବେ ନିଯୁକ୍ତ ହେବା ପୂର୍ବରୁ ଓଡ଼ିଶାରେ ଥିବା ୧୯୮୯ ବ୍ୟାଚର ଆଇପିଏସ ଅଧିକାରୀ ଅମୃତ ମୋହନ ପ୍ରସାଦଙ୍କୁ ସିଆରପିଏଫ ଡିଜିପି ଭାବେ ନିଯୁକ୍ତ ଦେଇଥିଲେ। ତେଣୁ ଖୁରାନିଆ ଡିଜିପି ହେବା ପାଇଁ ସମସ୍ତ ବାଟ ଫିଟିଯାଇଥିଲା।

କେନ୍ଦ୍ରୀୟ ଡେପୁଟେସନରେ ଯିବା ପୂର୍ବରୁ ଏହି ବରିଷ୍ଠ ଆଇପିଏସ୍ ଅଧିକାରୀ ଓଡ଼ିଶାରେ ଅତିରିକ୍ତ ଡିଜିପି ଭାବେ କାର୍ଯ୍ୟ କରୁଥିଲେ। ଓ୍ୱାଇ ବି ଖୁରାନିଆ କେନ୍ଦ୍ରୀୟ ଡେପୁଟେସନରେ ଯିବା ପୂର୍ବରୁ ଓଡ଼ିଶାରେ ସେ ନୟାଗଡ଼, ଯାଜପୁର, ରାଉରକେଲା, ମୟୂରଭଞ୍ଜ ଓ ଗଞ୍ଜାମ ଜିଲ୍ଲାର ଆରକ୍ଷୀ ଅଧୀକ୍ଷକ ବା ଏସପି ଭାବେ କାର୍ଯ୍ୟ କରିଥିଲେ। ଏହାବାଦ ସେ ଦକ୍ଷିଣ ରେଞ୍ଜ ଏବଂ ଉତ୍ତର ରେଞ୍ଜ ଡିଆଇଜି, ଅତିରିକ୍ତ ପୋଲିସ କମିଶନର ଏବଂ ପରେ ପୋଲିସ କମିଶନର ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ।

ଉଲ୍ଲେଖଯୋଗ୍ୟ, ରାଜ୍ୟରେ ବିଜେପି ସରକାରକୁ ଆସିବା ପରେ ପାଓ୍ୱାର କରି଼ଡରରେ ଗୋଟିଏ ବଡ ଅଦଳ ବଦଳ ହୋଇଛି। ନବୀନ ସରକାରଙ୍କର ଅନୁଗତ ବା ପସନ୍ଦର ଆଇଏଏସ, ଆଇପିଏସଙ୍କର ଏକ ପ୍ରକାର ପକ୍ଷ ଛେଦନ କରାଯାଇ ନୂଆ ଟିମ୍ ଗଢିଥିବା କୁହାଯାଉଛି।

Comments are closed.