Latest Odisha News

BREAKING NEWS

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଅମିତ୍ ରୋହିଦାସ୍‌, ଦେଲେ କୋଣାର୍କ ଚକ୍ର ଉପହାର

ଭୁବନେଶ୍ୱର: ପ୍ୟାରିସ୍‌ ଅଲମ୍ପିକ୍ସରେ ପଦକ ଜିତିବା ପରେ ଆଜି ଓଡିଶାରେ ପହଞ୍ଚିଛନ୍ତି ଭାରତୀୟ ପୁରୁଷ ହକି ଦଳର ଓଡିଆ ଖେଳାଳୀ ଅମିତ୍‌ ରୋହିଦାସ୍ । ଭୁବନେଶ୍ୱରରେ ପହଞ୍ଚି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଛନ୍ତି ଅମିତ୍‌ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଅମିତ୍‌ଙ୍କର ଭୂୟସୀ ପ୍ରଶଂସା କରି ତାଙ୍କୁ ଓଡିଶାର ଗର୍ବ ଓ ଗୌରବ ବୋଲି ଅଭିହିତ କରିଥିଲେ। ଅମିତ୍‌ ହେଉଛନ୍ତି ଓଡିଆ ଅସ୍ମିତାର ପ୍ରକୃତ ପରିଚୟ। ଆମ ଓଡିଆ ଅସ୍ମିତାକୁ ସେ ବିଶ୍ୱ ଦରବାରରେ ପହଞ୍ଚାଇଛନ୍ତି ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ ।

ହକିର ଗଡ ଭାବେ ପରିଚିତ ସୁନ୍ଦରଗଡର ସଉନାମରା ଗାଁରେ ଅମିତ୍ ଜନ୍ମ ଗ୍ରହଣ କରିଥିଲେ। ଗାଁ ମାଟିରୁ ପାନ୍‌ପୋଷ ହଷ୍ଟେଲ ଓ ପାନ୍‌ପୋଷ ହଷ୍ଟେଲରୁ ଭାରତୀୟ ହକି ଦଳ ପର୍ଯ୍ୟନ୍ତ ତାଙ୍କର ଯାତ୍ରା ଅତ୍ୟନ୍ତ ଗୌରବମୟ। ୨୦୧୭ରୁ ବିଭିନ୍ନ ଜାତୀୟ ଓ ଆନ୍ତର୍ଜାତିକ ହକି ପ୍ରତିଯୋଗିତାରେ ଭାରତୀୟ ଦଳର ବିଜୟରେ ସେ ପ୍ରମୁଖ ଭୂମିକା ଗ୍ରହଣ କରି ଆସୁଛନ୍ତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ସେପଟେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଭେଟିବା ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସରେ ଭେଟି ଥିଲେ ହକି ତାରକା ଅମିତ ରୋହିଦାସ । ଅମିତ ରୋହିଦାସଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ନବୀନ ପଟ୍ଟନାୟକ । ଅମିତ ରୋହିଦାସ ଓଡ଼ିଶାର ଗର୍ବ ଓ ଗୌରବ । ଆସନ୍ତା ଅଲିମ୍ପିକ୍ସରେ ଭାରତ ସୁନା ପଦକ ଜିତିବ ବୋଲି କହିଛନ୍ତି ନବୀନ ପଟ୍ଟନାୟକ ।

Comments are closed.