Latest Odisha News

BREAKING NEWS

ବିଜେପିର ମମତା ଅଫର !

ଭୁବନେଶ୍ବର: ବିଜେପିର ରାଜ୍ୟସଭା ପ୍ରାର୍ଥୀ ଭାବେ ନାମାଙ୍କନ ଭରିଲେ ମମତା ମହନ୍ତ । ବିଜେଡି ସାଂସଦ ଥିଲେ ଏବେ ବିଜେପି ସାଂସଦ ହେବା ଏକପ୍ରକାର ନିଶ୍ଚିତ । ଅର୍ଥାତ ଦଳ ଛାଡିଥିଲେ ବି ସାଂସଦ ପଦ ଅପରିବର୍ତ୍ତିତ ରହିବ । କୁଡୁମୀ ନେତ୍ରୀ ମମତା ମହନ୍ତଙ୍କୁ ପୁଣି ରାଜ୍ୟସଭା ପଠାଇବା ନିଷ୍ପତ୍ତି ନେବା ସହ ବିଜେପି ଚଳାଇଛି ବଡ଼ ରାଜନୈତିକ ଗୋଟି । ଚର୍ଚ୍ଚା, ବିଜେଡିରୁ ଆହୁରି ନେତା ଆମଦାନୀ କରିପାରେ ବିଜେପି । ଆଉ କ୍ୟାମ୍ପ ବଦଳାଇବାକୁ ନେଇ ଦ୍ବନ୍ଦ୍ବରେ ରହୁଥିବା ନେତାଙ୍କ ପାଇଁ ବିଜେପି ମମତାଙ୍କ ଭଳି  ଡିଲ୍ ପାଇଁ ବି ଦେଇପାରିବ ଲୋଭନୀୟ ଅଫର ।

ମମତାଙ୍କ ପରେ କିଏ?

ମମତା ମହନ୍ତଙ୍କ ପରେ ଆଉ କେଉଁ ବିଜେଡି ନେତା ଛାଡିବେ କି ଦଳ? ମମତା ମହନ୍ତ ବିଜେଡି ଛାଡିବା ପରଠୁ ଏହାକୁ ନେଇ ଜୋରଦାର ଚର୍ଚ୍ଚା ହେଉଛି। କୁହାଯାଉଛି, ଦୁଇରୁ ତିନି ଜଣ ବିଜେଡି ସାଂସଦ ବି ବିଜେପି ସହ ଯୋଗାଯୋଗରେ ରହିଛନ୍ତି । ମମତା ମହନ୍ତଙ୍କୁ ପୁଣି ରାଜ୍ୟସଭା ପଠାଇ ଅନ୍ୟ ନେତାଙ୍କୁ ଲୋଭନୀୟ ଅଫର ଦେଇଛି ବିଜେପି । ଦଳ ଛାଡି, ପଦ ଛାଡି ବିଜେପିକୁ ଆସିଲେ ଯେ, କିଛି କ୍ଷତି ନାହିଁ, ସେନେଇ ନେତାଙ୍କୁ ବୁଝାଇବା ଆଉ ଦରକାର ନାହିଁ, କାରଣ ସେମାନଙ୍କ ସାମନାରେ ହିଁ ଉଦାହରଣ ଭାବେ ଠିଆ ହୋଇଛନ୍ତି ମମତା ମହନ୍ତ । ତେଣୁ ମମତାଙ୍କ ପରେ ଆହୁରି ଦୁଇ ତିନି ସାଂସଦ ବିଜେଡି ଛାଡି ପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ବିଜେପିକୁ ଗଲେ ଫାଇଦା ବେଶୀ !

ସାଂସଦ ଅଛନ୍ତି ସାଂସଦ ରହିବେ । ଆଞ୍ଚଳିକ ଦଳରେ ଥିଲେ ଦେଶରେ କ୍ଷମତାରେ ଥିବା ଜାତୀୟ ଦଳକୁ ଆସିବେ । ଏମିତି ଅନେକ ଆକର୍ଷଣୀୟ ଅଫରର ଲମ୍ବା ତାଲିକା ବିଜେପି ହାତରେ । ବିଜେଡି ଛାଡିବାକୁ ଦୋ ଦୋ ପାଞ୍ଚ ହେଉଥିବା ସାଂସଦଙ୍କୁ ରାଜନୈତିକ ଭବିଷ୍ୟତର ମୋଦି ଗ୍ୟାରେଣ୍ଟି ଦେଇପାରେ ବିଜେପି। ରାଜ୍ୟରେ ବିଜେପି ବଢୁଥିବା ବେଳେ ୨୦୨୯ରେ ଲଢିବାକୁ ଆଗ୍ରହୀ ନେତାଙ୍କୁ ବି ସୁଯୋଗ ମିଳିପାରେ । ଉଭୟ ଦେଶ ଓ ରାଜ୍ୟରେ କ୍ଷମତାରେ ରହିଥିବା ବିଜେପି ସହ ରହିଲେ ରାଜନୈତିକ କ୍ୟାରିୟର ଗ୍ରାଫ୍ ବି ଉପରମୁହାଁ ହେବ । କେନ୍ଦ୍ର ହେଉ କି ରାଜ୍ୟ କ୍ଷମତାଶାଳୀ ପଦ ପଦବୀ ସାଙ୍ଗକୁ ଟିକେଟ୍ ନେଇ ବି ପ୍ରତିଶ୍ରୁତି ଦେଇପାରେ ବିଜେପି । ଖାଲି ସେତିକି ନୁହେଁ କୌଣସି ଦୁର୍ନୀତି ମାମଲାରେ ନାଁ ଥିଲେ ସୁରକ୍ଷାର ଗ୍ୟାରେଣ୍ଟି ବି ମିଳିପାରେ।

ପରାଜିତ ଦଳ ସହ ରହିଲେ କ୍ଷତି !

ବିଜେଡି ୨୪ବର୍ଷ ଧରି ଶାସନରେ ରହିଲା, ସେତେବେଳେ ରାଜ୍ୟସଭା ଯାଇଥିଲେ । ଏବେ ବିଜେଡିର ପରିଚୟ ହୋଇଛି ବିରୋଧୀ। ଧୀରେ ଧୀରେ ଗ୍ରାଉଣ୍ଡରେ ବି ବିଜେଡିର ପଞ୍ଝା ଦୁର୍ବଳ କରିବାକୁ ଲାଗିଛି ବିଜେପି। ଭିକେ ପାଣ୍ଡିଆନଙ୍କୁ ଦଳ ଓ ଦଳ ବାହାରେ ପ୍ରବଳ ବିରୋଧ ସତ୍ତ୍ବେ ତାଙ୍କର ପ୍ରଭାବ ଦଳୀୟ ନିଷ୍ପତ୍ତି ଉପରେ ରହୁଥିବା ଚର୍ଚ୍ଚା ହେଉଛି । ତେଣୁ ଦଳର ଭବିଷ୍ୟତକୁ ନେଇ ବି ଅନେକ ନେତା ସନ୍ଦେହରେ । ରାଜ୍ୟରେ ବିଜେଡି ବିରୋଧୀ ଆସନରେ ବସିଥିବା ବେଳେ ଲୋକସଭାରେ ସଂଖ୍ୟା ଶୂନ । ରାଜ୍ୟସଭାରେ ବି ୮ ସାଂସଦ। ତେଣୁ ବିରୋଧୀ ହୋଇ ସ୍ବର ଉଠାଇବା ଅପେକ୍ଷା ସରକାରରେ ଥିବା ବିଜେପିର ହାତ ଧରି ସୁବିଧାରେ ବାଟ ଚାଲିବାକୁ ପସନ୍ଦ କରିପାରନ୍ତି କିଛି ବିଜେଡି ସାଂସଦ ।

ରାଜ୍ୟସଭା ସାପ ଶିଡ଼ି

ଲୋକସଭାରେ ବହୁମତ ସହ ସରକାର ଗଢିଥିବା ଏନଡିଏ ରାଜ୍ୟସଭାରେ ଅଳ୍ପମତ । ରାଜ୍ୟସଭାରେ ଏବେ ୨୨୫ଜଣ ସଦସ୍ୟ ରହିଥିବା ବେଳେ ବହୁମତ ପାଇଁ ୧୧୩ଜଣ ସାଂସଦଙ୍କ ସମର୍ଥନ ଆବଶ୍ୟକ । ବିଜେପିର ୮୬ ସଦସ୍ୟ ରହିଥିବା ବେଳେ ଏନଡିଏ ସହଯୋଗୀଙ୍କ ସହ ସଂଖ୍ୟା ରହିଛି ୧୦୧ । ସ୍ବାଧୀନ ଓ ଅନ୍ୟ ସାଂସଦଙ୍କ ସମର୍ଥନ ସହ ସଂଖ୍ୟା ହେଉଛି ୧୦୯ । ଆହୁରି ୪ଜଣ ସାଂସଦ ଆବଶ୍ୟକ ହେଉଥିବା ବେଳେ ମମତା ମହନ୍ତ ରାଜ୍ୟସଭାକୁ ଯିବା ଏକପ୍ରକାର ନିଶ୍ଚିତ । ବାକି ୩ ଯୋଗାଡ଼ରେ ବିଜେପି ଲାଗିଥିବା ଚର୍ଚ୍ଚା ହେଉଛି । ବିଜେଡିରୁ ହିଁ ଦୁଇ ତିନି ଜଣଙ୍କ ସହ ମୂଲଚାଲ ଚାଲିଥିବା ଚର୍ଚ୍ଚା। ଟଙ୍କା ହେଉ ବା ରାଜନୈତିକ ପଦ ପଦବୀ ପ୍ରତିଶ୍ରୁତି, ସରକାରରେ ଥିବା ବିଜେପି ହାତରେ ଅଫର ହିଁ ଅଫର । ତେଣୁ ମମତା ମହନ୍ତଙ୍କୁ ପୁଣି ରାଜ୍ୟସଭା ପଠାଇ ଅନ୍ୟ ସାଂସଦଙ୍କ ପାଇଁ ବିଜେପି ବାଟ ଖୋଲିଥିବା ଚର୍ଚ୍ଚା ହେଉଛି ।

Comments are closed.