Latest Odisha News

ମହିଳାଙ୍କୁ ସହଯୋଗର ହାତ ବଢାଇଲା ଟିପିଏସ୍ଓଡିଏଲ୍, ଖୋଲିଲା ପରିବେଶ ଅନୁକୂଳ ଧୂପକାଠି କେନ୍ଦ୍ର

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଲକରେ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ପକ୍ଷରୁ ଏକ ପରିବେଶ ଅନୁକୂଳ ଧୂପକାଠି ତିଆରି କେନ୍ଦ୍ର ଉଦଘାଟିତ ହୋଇଯାଇଛି । ଯାହାର ନାମ ମଙ୍ଗଳମ୍ ଧୂପକାଠି ସେଣ୍ଟର ରଖାଯାଇଛି । ଗ୍ରାମାଞ୍ଚଳ ମହିଳାମାନଙ୍କୁ ରୋଜଗାରକ୍ଷମ କରିବା ତଥା ସେମାନଙ୍କ ସାମାଜିକ ଓ ଆର୍ଥିକ ଜୀବନକୁ ସଶକ୍ତ କରିବା ଲକ୍ଷ୍ୟରେ ଟିପିଏସ୍ଓଡିଏଲ୍ କମ୍ପାନୀ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି । ଯାହା ଓଡ଼ିଶା ଜୀବିକା ମିଶନ ଓ ମିଶନ ଶକ୍ତି ସହଭାଗିତାରେ ପ୍ରତିଷ୍ଠା ହୋଇଛି । ଯେଉଁଠି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ପରିବେଶ ଅନୁକୂଳ ଧୂପକାଠି ପ୍ରସ୍ତୁତ କରି ନିଜେ ରୋଜଗାର କ୍ଷମ ହୋଇପାରିବେ ।

ତେବେ ମହିଳାମାନେ ସ୍ଥାନୀୟ ମନ୍ଦିରଗୁଡ଼ିକରୁ ବ୍ୟବହୃତ ଫୁଲକୁ ସଂଗ୍ରହ କରି ଏହାକୁ ପୁନଃବ୍ୟବହାର କରି ସୁଗନ୍ଧଯୁକ୍ତ ଧୂପକାଠି ପ୍ରସ୍ତୁତ କରିବେ । ପରିବେଶ ଅନୁକୂଳ ଧୂପକାଠି ପ୍ରସ୍ତୁତ ନେଇ କମ୍ପାନୀ ମହିଳାମାନଙ୍କୁ ସବିଶେଷ ତାଲିମ ଦେବା ସହିତ ଧୂପକାଠି କେନ୍ଦ୍ରରେ ଥିବା ଯନ୍ତ୍ରପାତି ଚଳାଇବା ନେଇ ମଧ୍ୟ ମହିଳାମାନଙ୍କୁ ପ୍ରଶିକ୍ଷଣ ଦେଉଛି । ବର୍ଜ୍ୟ ବସ୍ତୁ ପରିଚାଳନା ତଥା ପୁନଃବ୍ୟବହାର ପଦ୍ଧତିରେ ଧୂପକାଠି ପ୍ରସ୍ତୁତିକୁ ପ୍ରୋତ୍ସାହିତ କରି ଟିପିଏସ୍ଓଡିଏଲ୍ ପରିବେଶ ଅନୁକୂଳ ବାତାବରଣ ସୃଷ୍ଟି କରି ମହିଳାଙ୍କୁ ରୋଜଗାରର ପନ୍ଥା ଯୋଗାଇଛି ।

ଏନେଇ ଟିପିଏସ୍ଓଡିଏଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅମିତ କୁମାର ଗର୍ଗ କହିଛନ୍ତି, ଏହି ଧୂପକାଠି କେନ୍ଦ୍ର ମହିଳାମାନଙ୍କୁ ରୋଜଗାରକ୍ଷମ କରାଇବା ସହ ପରିବେଶ ଅନୁକୂଳ ବାତାବରଣ ସୃଷ୍ଟି କରିବ । ଯାହାକୁ ନେଇ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ଜନୈକ ସଦସ୍ୟା ଗୀତାଞ୍ଜଳି ପ୍ରଧାନ କହିଛନ୍ତି, ଏହି କେନ୍ଦ୍ରରେ ତାଲିମ ନେଇ କାମ କରିବାର ସୁଯୋଗ ପାଇଥିବାରୁ ମୁଁ  ବହୁତ ଖୁସି । ଆଗାମୀ ଦିନରେ ଆମେ ଆତ୍ମନିର୍ଭରଶୀଳ ହେବୁ ଓ ନିଜ ପାଇଁ ନୂଆ ପରିଚୟ ସୃଷ୍ଟି କରିବୁ।

Comments are closed.