ବେଙ୍ଗାଳୁରୁ: ରାତ୍ରୀଭୋଜନ ପାଇଁ ନିମନ୍ତ୍ରଣ, ଫୁଲ୍ ସାଉଣ୍ଡ ଦେଇ ଟିଭି ଦେଖ।। ଏସବୁ ଶୁଣିଲେ କେଉଁଠି ଉତ୍ସବ କିମ୍ବା ହସଖୁସିର ଦୃଶ୍ୟ ପରି ଲାଗୁଛି । ହେଲେ ଏହା ବେଙ୍ଗାଳୁରୁ ରାଜାଜୀନଗରର ଏକ ଭଡା ଘରେ ଘଟିଥିବା ଲୋମହର୍ଷକ ୭ଟି ହତ୍ୟାକାଣ୍ଡ ସହ ଜଡିତ ଅତ୍ୟନ୍ତ ଭୟଙ୍କର ଘଟଣାକ୍ରମର ଅଂଶ । ୭ଜଣଙ୍କୁ ହତ୍ୟା ଅଭିଯୋଗରେ ୫୨ ବର୍ଷୀୟ କାର୍ ଚାଳକ ଏ. ଇନ୍ଦୁଶେଖରକୁ ଗିରଫ କରିଛି ପୋଲିସ । ଯିଏ ୧୫ଦିନରେ ନିଜ ସ୍ତ୍ରୀ ସୁନୀତାଙ୍କ ସହ ୬ଜଣ ସମ୍ପର୍କୀୟଙ୍କୁ ହତ୍ୟା କରି ପ୍ଲାଷ୍ଟିକ୍ ଜରିରେ ପ୍ୟାକ୍ କରି ଅଖାରେ ଭର୍ତ୍ତିକରି କାର୍ରେ ନେଇ ବିଭିନ୍ନ ସ୍ଥାନରେ ଫୋପାଡିଥିବା ସୂଚନା ମିଳିଛି । ତାମିଲନାଡୁର ସଲିମ ଜିଲ୍ଲରେ ଜଙ୍ଗଲ ଅଂଚଳରୁ ସୁନୀତା ଏବଂ ତାଙ୍କ ମାଙ୍କ ମୃତଦେହ ସହ ୩ଟି ମୃତଦେହ ଅଖାରୁ ଉଦ୍ଧାର ହେବା ପରେ ପୋଲିସ ଘଟଣାର ଟେର୍ ଖୋଜୁଛି । ପରିବାରଲୋକ ମୃତଦେହ ଚିହ୍ନଟ କରିଥିଲେ । ତାପରେ ଘଟଣା ଆସିଲା ସାମ୍ନାକୁ ।
ସୂଚନା ଅନୁସାରେ ୫୨ ବର୍ଷୀୟ କ୍ୟାବ୍ ଡ୍ରାଇଭର ଇନ୍ଦୁଶେଖର ଅକ୍ଟୋବର୧୪ରେ ପତ୍ନୀ ସୁନୀତାଙ୍କୁ ହତ୍ୟା କରିଥିଲେ । ତାପର ଦିନ ୧୭ ବର୍ଷୀୟ ଝିଅ ରୁପାବତୀଙ୍କୁ ଘରକୁ ରାତ୍ରୀଭୋଜନରେ ମିଶି ମଟନ୍ ପ୍ରସ୍ତୁତ କରି ଖାଇବେ ବୋଲି କହି ଡାକିଥିଲେ । ଯେଉଁଠି ହତ୍ୟା କରାଯାଇଥିଲା ସେଠାକୁ ଯୋଜନା ଅନୁସାରେ ଝିଅକୁ ଡକାଯାଇଥିବା ତଦନ୍ତକାରୀ ଅଫିସର ସନ୍ଦେହ କରୁଛନ୍ତି । ପଚରାଉଚରା ବେଳେ ହତ୍ୟାକାରୀ ଇନ୍ଦୁଶେଖର କହିଛି ପ୍ରଥମେ ସମସ୍ତଙ୍କୁ ଘରେ ପାର୍ଟି ପାଇଁ ଡକାଯାଇଥିଲା । ଟିଭିର ଭଲ୍ୟୁମ ହଇ ଦେଇ ଏକ ଉତ୍ସବର ପରିବେଶ ସୃଷ୍ଟି କରିଥିଲେ । ସେମାନଙ୍କ ଖାଇବାରେ ନିଦ ବଟିକା ମିଶାଇଥିଲି । ଯେମିତିକି ହତ୍ୟାକଲାବେଳେ ସେମାନେ ଚିତ୍କାର ନକରନ୍ତି, ଏବଂ ପଡୋଶୀ ନଶୁଣନ୍ତି । ନିଦରେ ଶୋଇଗଲା ପରେ ଟିଭି ବନ୍ଦ କରି ପଥରରେ ନିର୍ମମ ଭାବେ ମାରିଥିଲା ବୋଲି ପୋଲିସକୁ କହିଛି ଅଭିଯୁକ୍ତ । ରକ୍ତ ବାହାରକୁ ନବାହାରିବା ପାଇଁ ମୃତଦେହକୁ ପ୍ରଥମେ ପ୍ଲାଷ୍ଟିକ୍ ଜରିରେ ଭର୍ତ୍ତି କରିବା ସହ ଅଖାରେ ପୁରେଇଥିଲେ ଉଭୟ ବାପା ଝିଅ । ତାପରେ ଅଖା ଗୁଡିକୁ କାରରେ ନେଇ ଘରଠାରୁ ଦୂରରେ ବିଭିନ୍ନ ସ୍ଥାନରେ ପକାଇଥିଲେ । ଏମିତିକି ମୃତଦେହ ନେଇଥିବା କାରରୁ ଡଜନରୁ ଅଧିକ ପରଫ୍ୟୁମ୍ ଜବତ କରିଥିଲା ପୋଲିସ । ଯାହା ଏବେ ତଦନ୍ତରେ କାମ ଦେଉଛି । ମୃତଦେହରୁ ଦୁର୍ଗନ୍ଧ ନବାହାରିବାକୁ ପରଫ୍ୟୁମ୍ ବ୍ୟବହାର ହୋଇଥିବା ପୋଲିସ କହିଛି । ମୃତ ସ୍ତ୍ରୀ ସୁନୀତା ଏବଂ ଅନ୍ୟ ୩ ମହିଳା ସମ୍ପର୍କୀୟଙ୍କୁ ହତ୍ୟା ପରେ ତାଙ୍କ ଦେହରୁ ସୁନା ଗହଣା ଖୋଲିଦେଇଥିଲେ ଇନ୍ଦୁଶେଖର । ସେସମସ୍ତ ଗହଣା କେଉଁଠାରେ ବିକ୍ରି କରିେଦେଇଥିବା ସନ୍ଦେହରେ ତଦନ୍ତ ଜାରି ରହିଛି । ମୃତକଙ୍କ ମଧ୍ୟରେ ଜଣେ ୭ ବର୍ଷୀୟ ନାବାଳକ ପୁନୀତ୍ ରହିଛି । ତାକୁ ଅକ୍ଟୋବର ୨୯ରେ ମୁଣ୍ଡରେ ୪ଥର ଶକ୍ତ ଆଘାତ ଦେଇ ହତ୍ୟା କରାଯାଇଥିବା ବ୍ୟବଛେଦ ରିପୋର୍ଟରୁ ଜଣାପଡିଛି । ତାର କପାଳ ଓ ମୁଣ୍ଡ ଉପରି ଭାଗରେ ମାଡର ଚିହ୍ନ ରହିଛି ।
୫୨ ବର୍ଷୀୟ କାର ଡ୍ରାଇଭରକୁ ବୁଧବାର ଉଲସୁରଗୋଟ୍ ନିକଟରୁ ଗିରଫ କରାଯାଇଛି । ୫୯କ୍ରସ୍, ରାଜାଜୀନଗର, ଭି-ବ୍ଲକରେ ଥିବା ଭଡା ଘରେ ସେ ତା ସ୍ତ୍ରୀ ସମେତ ୭ଜଣଙ୍କୁ ହତ୍ୟା କରିଥିବା ସନ୍ଦେହ କରୁଛି ପୋଲିସ । ଅକ୍ଟୋବର ୧୪ରୁ ୩୧ ମଧ୍ୟରେ ଏହି ହତ୍ୟାକାଣ୍ଡ ସବୁ ଘଟିଥିଲା । ମୃତକ କାର୍ ଡ୍ରାଇଭରର ସ୍ତ୍ରୀ ସମେତ ତାଙ୍କ ପରିବାରଲୋକ ଥିବା ସୂଚନା ମିଳିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ତାର ୧୭ ବର୍ଷୀ ଝିଅ ହତ୍ୟାକାରୀ ବାପାକୁ ହତ୍ୟା ଏବଂ ମୃତଦେହ ଫିଙ୍ଗିବା ପ୍ରମାଣ ନଷ୍ଟ କରିବାରେ ସହାୟତା କରିଥିବା ସନ୍ଦେହ କରୁଛି ପୋଲିସ ।
ଏତେସବୁ ହତ୍ୟା ପରେ ବି ହତ୍ୟାକାରୀ କାର୍ ଡ୍ରାଇଭରର ମନ ମାନିନଥିଲା । ସମ୍ପର୍କୀୟଙ୍କ ୧୦ ବର୍ଷୀୟ ନାବାଳକ ପୁଅକୁ ହତ୍ୟା କରିବାକୁ ଯୋଜନା ବେଳେ ଧରିଛି ପୋଲିସ । କାରରୁ ନାବାଳକକୁ ପୋଲିସ ଉଦ୍ଧାର କରିବା ସହ ଇନ୍ଦୁଶେଖରକୁ ଗିରଫ କରିଛି । ପରିବାରଲୋକ ତୀର୍ଥ ଯାଇଥିବା କହି ପିଲାକୁ ଘରୁ ଆଣିଥିଲା ଇନ୍ଦୁଶେଖର । ବାପା-ଝିଅ ସହ ବହୁଦିନ କାଟିଥିଲା ପିଲାଟି । ହେଲେ ତା ବାପା ମା ମରିଯାଇଥିବା ଜାଣିନଥିଲା । ଅଭିଯୁକ୍ତ ପିଲାଟିକୁ ହତ୍ୟା କରିବା ସୁଯୋଗ ଅପେକ୍ଷାରେ ଥିଲା । ପୋଲିସ ହସ୍ତକ୍ଷେପରୁ ପିଲାଟିର ଜୀବନ ବଂଚିଯାଇଛି ।
ତେବେ ହତ୍ୟା ପଛରେ ସ୍ୱାମୀ –ସ୍ତ୍ରୀଙ୍କ ମଧ୍ୟରେ ଦୀର୍ଘ୨୦ ବର୍ଷ ଧରି ଚାଲିଥିବା ବୈବାହିକ ବିବାଦ ହିଁ ମୁଖ୍ୟ କାରଣ ବୋଲି ପୋଲିସ କହିଛି । ତେବେ ପରିବାର ମଧ୍ୟ ସ୍ତ୍ରୀକୁ ସହାୟତା କରୁଥିବା ସମସ୍ତଙ୍କୁ ମାରିଥିବା ପୋଲିସ କହିଛି । ତେବେ ସମ୍ପତ୍ତି ଆଙ୍ଗେଲରୁ ମଧ୍ୟ ତଦନ୍ତ କରୁଛି ପୋଲିସ । ୩କୋଟିର ସମ୍ପତ୍ତି ପାଇଁ ବିବାଦ ଚାଲିଥିବା ଅନ୍ୟ ପରିବାର ସଦସ୍ୟ କହିଛନ୍ତି । ତେଣୁ ହତ୍ୟା ପଛର ପ୍ରକୃତ କାରଣ ଖୋଜିବାକୁ ଚେଷ୍ଟା କରୁଛି ପୋଲିସ । ଯେତେବେଳେ ପରିବାରର ଅଧିଂକାଶ ସଦସ୍ୟ ନିଖୋଜ ହୋଇଗଲେ, ସେତେବେଳେ ଘଟଣା ସମ୍ନାକୁ ଆସିଲା । ଏମିତିକି ସୁନୀତାଙ୍କ ଫୋନରୁ ମେସେଜ୍ ପରିବାର ଲୋକ ଦେଖିଥିଲେ ହେଲେ ଫୋନ୍ କରିବାରୁ ଉଠାଉନଥିଲେ କେହି । ତେଣୁ ସ୍ତ୍ରୀକୁ ହତ୍ୟା ପରେ ସ୍ତ୍ରୀର ଫୋନରେ ସମସ୍ତ ସମ୍ପର୍କୀୟଙ୍କୁ ସୁନିତାଙ୍କ ଫୋନରେ ମେସେଜ୍ କରି ଘରକୁ ଡାକି ହତ୍ୟା କରିଥିବା ପୋଲିସ ସୂଚନା ଦେଇଛି । ତେବେ ଏହି ୭ ମର୍ଡର ମିଷ୍ଟ୍ରୀର ଖୁଲାସା ପାଇଁ ପୋଲିସ ତଦନ୍ତ ଜାରି ରହିଛି । ସୁନା ଗହଣା କାହାକୁ ବିକ୍ରି ହୋଇଛି ଏବଂ ଘଟଣାରେ ଝିଅର ଭୂମିକା ନେଇ ତଦନ୍ତ କରୁଛି ପୋଲିସ ।
