Latest Odisha News

ୟୁପିଏସ :  ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍ ?

ନୂଆଦିଲ୍ଲୀ: ୟୁନିଫାଏଡ ପେନସନ ସ୍କିମ-ୟୁପିଏସ ଲାଗୁ ପାଇଁ ଘୋଷଣା କରିଛନ୍ତି ମୋଦି ସରକାର । ୟୁପିଏସ ଲାଗୁ ପାଇଁ ମୋଦି ସରକାରଙ୍କ ନିଷ୍ପତ୍ତି ଏକ ପଲିଟିକାଲ ମାଷ୍ଟରଷ୍ଟ୍ରୋକ୍ ବୋଲି କୁହାଯାଉଛି । ନିଷ୍ପତ୍ତିର ଟାଇମିଂକୁ ନେଇ ଚର୍ଚ୍ଚା । କିଛି ରାଜ୍ୟର ବିଧାନସଭା ନିର୍ବାଚନ ପୂର୍ବରୁ ୟୁପିଏସ ଲାଗୁ ନିଷ୍ପତ୍ତି ନେଇ ଅସନ୍ତୁଷ୍ଟ କେନ୍ଦ୍ରୀୟ ସରକାରୀ କର୍ମଚାରୀଙ୍କୁ ମନାଇବାକୁ ମୋଦି ସରକାର ଉଦ୍ୟମ କରିଥିବା ଚର୍ଚ୍ଚା ହେଉଛି ।

ୟୁପିଏସର ମୁଖ୍ୟ ବିନ୍ଦୁ

ୟୁପିଏସ ଲାଗୁ ଦ୍ୱାରା ୨୩ ଲକ୍ଷ କେନ୍ଦ୍ରୀୟ ସରକାରୀ କର୍ମଚାରୀ ଉପକୃତ ହେବେ । ଯୋଜନା ୨୦୨୫ ଏପ୍ରିଲ ପହିଲାରୁ ଲାଗୁ ହେବ । ୟୁପିଏସ ଅଧୀନରେ କର୍ମଚାରୀମାନଙ୍କୁ ଅବସର ପରେ ୫୦ ପ୍ରତିଶତ ନିଶ୍ଚିତ ଅର୍ଥ ପେନସନ ଭାବେ ଦିଆଯିବ । ଏଥିସହ ଅବସରର ଏକ ବର୍ଷ ପୂର୍ବରୁ ଥିବା ମୂଳ ଦରମାର ୫୦ ପ୍ରତିଶତ ପେନସନ ଆକାରରେ ମିଳିବ । କର୍ମଚାରୀମାନେ ୨୫ ବର୍ଷ କାମ କଲା ପରେ ଏହି ପେନସନ ପାଇବେ । ଯଦି ଜଣେ କର୍ମଚାରୀ ୨୫ ବର୍ଷରୁ କମ୍ ଓ ୧୦ ବର୍ଷରୁ ଅଧିକ ଚାକିରି କରିଥିବେ,ତାହା ହେଲେ ପ୍ରତି ମାସରେ ୧୦ ହଜାର ଟଙ୍କା ପେନସନ ଆକାରରେ ପାଇବେ । ୟୁପିଏସରେ ସରକାରଙ୍କ ଯୋଗଦାନ ସାଢେ ୧୮ ପ୍ରତିଶତ ରହିବ । ବର୍ତ୍ତମାନର ବ୍ୟବସ୍ଥାରେ ସରକାରଙ୍କ ଯୋଗଦାନଠାରୁ ଏହା ସାଢେ୪ ପ୍ରତିଶତ ଅଧିକ । ୨୦୦୪ରୁ ୨୦୨୫ ମାର୍ଚ୍ଚ ମଧ୍ୟରେ ଅବସର ନେଇଥିବା ବା ନେବାକୁ ଥିବା କର୍ମଚାରୀମାନେ ମଧ୍ୟ ୟୁପିଏସର ଲାଭ ପାଇପାରିବେ ।

ସରକାରୀ କର୍ମଚାରୀଙ୍କୁ ସନ୍ତୁଷ୍ଟ ପାଇଁ ଉଦ୍ୟମ

ନୂଆ ୟୁନିଫାଏଡ ପେନସନ ସ୍କିମ ଦ୍ୱାରା ବିଜେପି ସେହି ଭୋଟରମାନଙ୍କୁ ପୁଣି ନିଜ ଆଡକୁ ଟାଣିବାକୁ ଉଦ୍ୟମ କରିଛି ଯେଉଁମାନେ କି କଂଗ୍ରେସ ଆଡକୁ ଢଳିଛନ୍ତି । କଂଗ୍ରେସ ପୁରୁଣା ପେନସନ ସ୍କିମ-ଓପିଏସ ସପକ୍ଷରେ ଯୁକ୍ତି ଉପସ୍ଥାପନ କରି ସରକାରୀ କର୍ମଚାରୀଙ୍କୁ ନିଜ ଆଡକୁ ଆକର୍ଷିତ କରିଥିଲା । ଲୋକସଭା ନିର୍ବାଚନରେ ତାହା ପ୍ରତିଫଳିତ ହୋଇଛି । ଓପିଏସ ଅନୁସାରେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସେମାନଙ୍କର ଶେଷ ମାସିକ ବେତନର ୫୦ ପ୍ରତିଶତ ଅର୍ଥ ପେନସନ ବାବଦରେ ପାଉଥିଲେ । ତେବେ ବିଭିନ୍ନ ସମୟରେ ମହଙ୍ଗା ଭତ୍ତା ବୃଦ୍ଧି ପାଉଥିବାରୁ ସେମାନଙ୍କର ପେନସନ ଅର୍ଥ ମଧ୍ୟ ବୃଦ୍ଧି ପାଉଥିଲା । ଅଣ ବିଜେପି ଶାସିତ କିଛି ରାଜ୍ୟ ପୁରୁଣା ପେନସନ ସ୍କିମ୍ କାର୍ଯ୍ୟକାରୀ କରିବାକୁ ଘୋଷଣା ମଧ୍ୟ କରିଥିଲେ । ବିଜେପିକୁ ହରାଇବା ପାଇଁ ପୁରୁଣା ପେନସନ ସ୍କିମକୁ ଏକ ପ୍ରସଙ୍ଗ ଭାବେ ବ୍ୟବହାର କରିଥିଲେ ବିରୋଧୀ । ହିମାଚଳ ପ୍ରଦେଶରେ ଏହି ପ୍ରସଙ୍ଗ ଉଠାଇ ନିର୍ବାଚନୀ ଲାଭ ପାଇଛି କଂଗ୍ରେସ । ଆଗକୁ ହରିୟାଣା, ଜାମ୍ମୁ ଓ କାଶ୍ମୀର, ମହାରାଷ୍ଟ୍ର ଓ ଝାଡଖଣ୍ଡରେ ବିଧାନସଭା ନିର୍ବାଚନ । ବିରୋଧୀଙ୍କୁ ଚେକ୍ ଦେବା ପାଇଁ ବିଚଳିତ ମୋଦି ସରକାର ନ୍ୟାସନାଲ ପେନସନ ସ୍କିମରେ ସଂସ୍କାର ଆଣି ୟୁନିଫାଏଡ ପେନସନ ସ୍କିମ୍ ଘୋଷଣା କରିଛନ୍ତି ।

ବିରୋଧୀଙ୍କ କଟାକ୍ଷ

ନୂଆ ୟୁପିଏସ ଲାଗୁ ପାଇଁ ମୋଦି ସରକାରଙ୍କ ନିଷ୍ପତ୍ତିକୁ ତାତ୍ସଲ୍ୟ କରିଛନ୍ତି ବିରୋଧୀ । ୟୁପିଏସରେ ୟୁ ର ଅର୍ଥ ମୋଦି ସରକାରଙ୍କ ୟୁ ଟର୍ଣ୍ଣ । କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି ଯେ, ଜୁନ୍ ଚାରି ପରେ କ୍ଷମତା ଅହଙ୍କାର ଉପରେ ଲୋକଶକ୍ତି ଭାରି ପଡିଛି । ଆମ୍ ଆଦମୀ ପାର୍ଟି ମଧ୍ୟ ୟୁପିଏସ ନେଇ ସରକାରଙ୍କ ଉପରେ ବ୍ୟଙ୍ଗାତ୍ମକ ଟିପ୍ପଣୀ କରିଛି । ବିଜେପି ଶେଷରେ କିଛି ବୁଦ୍ଧି ଶିଖିଲା ବୋଲି ଦଳର ନେତା ସୌରଭ ଭରଦ୍ୱାଜ କହିଛନ୍ତି । ଆରଜେଡିର ପ୍ରତିକ୍ରିୟା ହେଲା ଯେ, ମୋଦି ସରକାର ଚାପରେ ଆସି ୟୁପିଏସ ଲାଗୁ ନିଷ୍ପତ୍ତି ନେଇଛନ୍ତି । କିନ୍ତୁ ୟୁପିଏସରେ ନୂଆ କିଛି ନାହିଁ ବୋଲି ଆରଜେଡି କହିଛି ।

Comments are closed.