Latest Odisha News

BREAKING NEWS

ଐତିହାସିକ ବାଲିଯାତ୍ରାର ପ୍ରଥମ ସନ୍ଧ୍ୟା…

କଟକ: ଉଦଘାଟିତ ହେଲା ଐତିହ୍ୟ ଓ ପରମ୍ପରାର ପ୍ରତୀକ କଟକର ଐତିହାସିକ ବାଲିଯାତ୍ରା । ମଙ୍ଗଳବାର ସନ୍ଧ୍ୟାରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଉତ୍କଳର ପ୍ରାଚୀନ ନୌବାଣିଜ୍ୟ ପରମ୍ପରାର ସ୍ମୃତି ଏହି ବାଲିଯାତ୍ରାକୁ ଉଦ୍‌ଘାଟନ କରିଛନ୍ତି।

ମହାନଦୀ ପଠାରେ ଆୟୋଜିତ ଏହି ଯାତ୍ରା ଆଗାମୀ ଆଠ ଦିନ ଯାଏଁ ଚାଲିବାକୁ ଥିବା ବାଲିଯାତ୍ରାରେ ଇଣ୍ଡୋନେସିଆର ରାଷ୍ଟ୍ରଦୂତ ସିଦ୍ଧାର୍ଥୋ ରେଜା ସୂର୍ଯ୍ୟୋଦିପୁର ଯୋଗ ଦେଇଥିବା ବେଳେ, ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ପ୍ରତାପ ଜେନା, ସାଂସଦ ଭର୍ତ୍ତୃହରି ମହତାବ,କଟକର ସମସ୍ତ ବିଧାୟକ ସମୂହ ଏଠାରେ ଉପସ୍ଥିତ ଅଛନ୍ତି।

ଏଥର ପ୍ରାୟ ୧୭୦୦ରୁ ଉର୍ଦ୍ଧ୍ଵ ଷ୍ଟଲ ଲାଗିଛି। ଏଥର ତଳ ପଡ଼ିଆରେ ଓରମାସ ସମେତ କେତୋଟି ସରକାରୀ ଷ୍ଟଲ ମଧ୍ୟ ରହିଛି। ବାଲିଯାତ୍ରାକୁ ସରସସୁନ୍ଦର କରିବା ଲାଗି ପ୍ରଶାସନ ପକ୍ଷରୁ ଅନେକ ନୂତନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଚଳିତ ବର୍ଷ ପ୍ରଥମ ଥର ପାଇଁ ବାଲିଯାତ୍ରାରେ ପଥୋତ୍ସବ ଆୟୋଜନ କରାଯାଇଛି।

ବାଲିଯାତ୍ରାର ପ୍ରଥମ ଦିନରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେଉଛି। ପ୍ରଥମ ଦିନରେ ଓଡ଼ିଆ ଝିଅ ତଥା ଚର୍ଚ୍ଚିତ ବଲିଉଡ ଗାୟିକା ସୋନା ମହାପାତ୍ର ଓ ଋତୁରାଜ ମହାନ୍ତିଙ୍କ ଧମାକା ଦେଖିବାକୁ ମିଳିବ।

ଆଗାମୀ ଦିନ ଗୁଡିକର ସାଂସ୍କୃତିକ କାର୍ଯ୍ୟକ୍ରମରେ ଦଲେର ମେହେନ୍ଦୀ, କେକେ, ଇରା ମହାନ୍ତି, ଅସୀମା ପଣ୍ଡା, ହ୍ୟୁମାନ ସାଗର, ଗୁଡୁଲି ରଥ, ଶୀତଲ ପାତ୍ର, ଗୁରୁ ରତିକାନ୍ତ ମହାପାତ୍ର ପ୍ରଭୃତି କଳାକାର ନିଜ କଳାର ଯଦୁଗରୀ ଦେଖାଇବା ନେଇ ଜଣା ପଡ଼ିଛି।

ବାଲିଯାତ୍ରାର ପ୍ରଥମ ଦିନରେ ପଡ଼ିଆରେ ଖଚାଖଚ ଭିଡ଼ ପରିଲିକ୍ଷିତ ହୋଇଛି । ପ୍ରବଳ ଜନସମାଗମକୁ ଲକ୍ଷ୍ୟରେ ରଖି ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.