Latest Odisha News

BREAKING NEWS

ସିନେମା ହଲରେ ଦିବ୍ୟାଙ୍ଗଙ୍କ ପାଇଁ ରହିବ ସ୍ବତନ୍ତ୍ର ବ୍ୟବସ୍ଥା

କଟକ: ଏଣିକି ସବୁ ସିନେମା ହଲରେ ଦିବ୍ୟାଙ୍ଗଙ୍କ ପାଇଁ ସ୍ପତନ୍ତ୍ର ବ୍ୟବସ୍ଥା ରହିବ । ଏନେଇ ଭାରତ ସରକାରଙ୍କ ସୁଗମ୍ୟ ଭାରତ ଅଭିଯାନରେ ଦିବ୍ୟାଙ୍ଗଙ୍କ ପାଇଁ ସିନେମା ହଲରେ ସିନେମା ପ୍ରଦର୍ଶନର ମାର୍ଗଦର୍ଶିକା ଜାରି କରାଯାଇଛି । ଏହାକୁ ନେଇ କେନ୍ଦ୍ରୀୟ ଚଳଚ୍ଚିତ୍ର ପ୍ରମାଣ ବୋର୍ଡ ପକ୍ଷରୁ କଟକ ଆଞ୍ଚଳିକ ଅଧିକାରୀ ତଥା ପିଆଇବି ଓ ସିବିସିର ନିର୍ଦ୍ଦେଶକ ଡକ୍ଟର ଗିରିଶ ଚନ୍ଦ୍ର ଦାଶଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।

ତେବେ ଭାରତ ସ୍ବାକ୍ଷର କରିଥିବା ମିଳିତ ଜାତିସଂଘ ଦିବ୍ୟାଙ୍ଗଜନ ଅଧିକାର ସନନ୍ଦ ଅନୁଯାୟୀ, ସିନେମା ପ୍ରଦର୍ଶନରେ ମଧ୍ୟ ଦିବ୍ୟାଙ୍ଗଙ୍କ ପାଇଁ ସ୍ବତନ୍ତ୍ର ଓ ସହଜ ବ୍ୟବସ୍ଥା ସୃଷ୍ଟି କରିବା ବାଧ୍ୟତାମୂଳକ । ବିଶେଷ କରି ଦୃଷ୍ଟି ବାଧିତ ଓ ଶ୍ରବଣ ବାଧିତ ବ୍ୟକ୍ତିଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିବା ଆବଶ୍ୟକ ।

ଏହି ମାର୍ଗଦର୍ଶିକା ପ୍ରାରମ୍ଭିକ ପର୍ଯ୍ୟାୟରେ ଏକାଧିକ ଭାଷାରେ ନିର୍ମିତ ସିନେମାଗୁଡ଼ିକ ପାଇଁ ୧୫ ସେପ୍ଟେମ୍ବରରୁ ଲାଗୁ ହେବ। ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ଚଳଚ୍ଚିତ୍ର ମହୋତ୍ସବରେ ଅଂଶଗ୍ରହଣ କରୁଥିବା ଫିଚର ଫିଲ୍ମଗୁଡିକ ୧ ଜାନୁଆରି ୨୦୨୫ରୁ ଭିନ୍ନକ୍ଷମ ସୁଗମତା ମାନକ ହାସଲ କରିବାକୁ ବାଧ୍ୟ । ଏହାବ୍ୟତୀତ ୨୦୨୬, ମାର୍ଚ୍ଚ ୧୫ ତାରିଖ ସୁଦ୍ଧା ପ୍ରେକ୍ଷାଳୟରେ ପ୍ରଦର୍ଶିତ ହେବାକୁ ଥିବା ସମସ୍ତ ଚଳଚ୍ଚିତ୍ର, ଟିଜର ଓ ଟ୍ରେଲର୍‌ଗୁଡିକରେ ଶ୍ରବଣ ଓ ଦୃଷ୍ଟିବାଧିତଙ୍କ ପାଇଁ ସ୍ବତନ୍ତ୍ର ସୁବିଧା କରିବା ବାଧ୍ୟତାମୂଳକ । କେନ୍ଦ୍ରୀୟ ଚଳଚ୍ଚିତ୍ର ପ୍ରମାଣ ବୋର୍ଡ (ସିବିଏଫସି) ଦ୍ୱାରା ପ୍ରମାଣିତ ଚଳଚ୍ଚିତ୍ରଗୁଡ଼ିକ ପାଇଁ ମଧ୍ୟ ଏହି ନିର୍ଦ୍ଦେଶାବଳୀ ଲାଗୁ ହେବ ବୋଲି ସୂଚନା ଦିଆଯାଇଛି।

Comments are closed.