Latest Odisha News

କଙ୍ଗନା : କୁଇନ ଅଫ୍ କଣ୍ଟ୍ରୋଭର୍ସି

ମୁମ୍ବାଇ: ବିବାଦ ଅଭିନେତ୍ରୀ କଙ୍ଗନା ରନୌତଙ୍କ ପିଛା ଛାଡୁନାହିଁ । ବିବାଦୀୟ ବୟାନ ଦେଇ ସବୁବେଳେ ଚର୍ଚ୍ଚାରେ ରହୁଛନ୍ତି ଅଭିନେତ୍ରୀରୁ ନେତ୍ରୀ ହୋଇଥିବା ମଣ୍ଡି ସାଂସଦ । ତୁଣ୍ଡରେ ଲଗାମ ନଥିବାରୁ ବିଜେପି ବି ଅଡୁଆରେ ପଡିଛି ।  ଆପତ୍ତି ଜନକ ବୟାନ ପାଇଁ କଙ୍ଗନାକୁ ତାଗିଦ କରିଛି ବିଜେପି ।  ଏବେ ଫିଲ୍ମ ଇମର୍ଜେନସୀକୁ ନେଇ ଚର୍ଚ୍ଚାରେ ଅଛନ୍ତି କଙ୍ଗନା ।

ଇମର୍ଜେନସୀ ଫିଲ୍ମ ନେଇ ବିବାଦରେ କଙ୍ଗନା

ଅଭିନେତ୍ରୀରୁ ସାଂସଦ ହୋଇଥିବା କଙ୍ଗନା ରନୌତ ପୁଣି ଥରେ ବିବାଦୀୟ କାରଣରୁ ଚର୍ଚ୍ଚାରେ । ଏଥର ବିବାଦ ତାଙ୍କ ଫିଲ୍ମ ଇମର୍ଜେନସୀକୁ ନେଇ । କଙ୍ଗନା ରନୌତଙ୍କ ଅଭିଯୋଗ ହେଲା ଯେ, ଇମର୍ଜେନସୀ ଫିଲ୍ମର ରିଲିଜ ଉପରେ ରୋକ୍ ଲଗାଇ ଦିଆଯାଇଛି । ସେଂଟ୍ରାଲ ବୋର୍ଡ ଅଫ୍ ଫିଲ୍ମ ସାର୍ଟିଫିକେସନ ଫିଲ୍ମକୁ କ୍ଲିୟର କରିଥିଲେ ମଧ୍ୟ ପରେ ସାର୍ଟିଫିକେସନ ଉପରେ ରୋକ୍ ଲଗାଇଛି ବୋଲି କହିଛନ୍ତି କଙ୍ଗନା । ଅଚାନକ କାହିଁକି ଏମିତି ହେଲା ବୋଲି ଏକ୍ସ ଜରିଆରେ ପ୍ରଶ୍ନ କରିଛନ୍ତି କଙ୍ଗନା । ତାଙ୍କୁ ଜୀବନରେ ମାରିଦେବାକୁ ଅନେକ ଧମକ ଆସୁଛି । ସେନ୍ସର ବୋର୍ଡ ସଦସ୍ୟଙ୍କୁ ବି ଧମକ ମିଳୁଛି ବୋଲି ଅଭିଯୋଗ କରିଛନ୍ତି କଙ୍ଗନା । ଇନ୍ଦିରା ଗାନ୍ଧିଙ୍କ ହତ୍ୟା, ପଂଜାବରେ ଦଙ୍ଗା, ଭିନ୍ଦ୍ରନୱାଲେଙ୍କୁ ଫିଲ୍ମରେ ନ ଦେଖାଇବା ପାଇଁ ପ୍ରେସର ପଡୁଛି । ତେବେ, ଫିଲ୍ମରେ ଆଉ କଣ ଦେଖାଯିବ ବୋଲି କଙ୍ଗନାଙ୍କ ପ୍ରଶ୍ନ । ଏଣେ ଇମର୍ଜେନସୀ ଏବେ ଆଇନ ଝମେଲାରେ ଫସିଛି ।

ଇମର୍ଜେନସୀକୁ ଶିଖ୍ ସଂପ୍ରଦାୟର ବିରୋଧ

କଙ୍ଗନାଙ୍କ ଇମର୍ଜେନସୀ ଫିଲ୍ମ ଉପରେ ଆପତ୍ତି ଉଠାଇଛନ୍ତି ଶିଖ୍ ସଂପ୍ରଦାୟ । ଶିଖ୍ ସଂପ୍ରଦାୟକୁ ଫିଲ୍ମରେ ଭୁଲ ଭାବେ ଚିତ୍ରଣ କରାଯାଇଥିବା ଅଭିଯୋଗ ହୋଇଛି । ଦେଶର କିଛି ସ୍ଥାନରେ ଫିଲ୍ମ ବିରୋଧରେ ରାସ୍ତାକୁ ଓହ୍ଲାଇଛନ୍ତି ଶିଖ୍ ସଂଗଠନ । ଇମର୍ଜେନସୀକୁ ବ୍ୟାନ ପାଇଁ ସ୍ୱର ଉଠିଛି । ଶିରୋମଣି ଅକାଳୀ ଦଳ ମଧ୍ୟ ଶିଖ୍ ସଂପ୍ରଦାୟର ନକାରାତ୍ମକ ଉପସ୍ଥାପନାକୁ ବିରୋଧ କରି ଇମର୍ଜେନସୀକୁ ବ୍ୟାନ କରିବାକୁ ଦାବି କରିଛି । କଙ୍ଗନା ପଞ୍ଜାବରେ ଚାଷୀ ଆନ୍ଦୋଳନ ନେଇ ବିବାଦୀୟ ବୟାନ ଦେଇଥିଲେ ଯେଉଁଥିପାଇଁ ତାଙ୍କୁ ବିଜେପି କଡା ତାଗିଦ କରିଥିଲା । ପଂଜାବରେ ଚାଷୀ ଆନ୍ଦୋଳନ ନାଁରେ ହିଂସା ସୃଷ୍ଟି କରାଯାଉଥିଲା । ସେଠାରେ ଦୁଷ୍କର୍ମ ଓ ହତ୍ୟା ହେଉଥିଲା ବୋଲି କଙ୍ଗନା କହିଥିଲେ । ଏହି ମନ୍ତବ୍ୟ ପରେ ପଞ୍ଜାବରେ  ଆକ୍ରୋଶ ସୃଷ୍ଟି ହୋଇଛି । ଯଦି କେନ୍ଦ୍ରରେ ଦୃଢ ସରକାର ନଥାଅନ୍ତା,ତାହା ହେଲେ ପଞ୍ଜାବ ବାଂଲାଦେଶରେ ପରିଣତରେ ହୋଇଥାଆନ୍ତା । କଙ୍ଗନାଙ୍କ ଏହି ବିବାଦୀୟ ମନ୍ତବ୍ୟ ପାଇଁ ବିଜେପିକୁ ସ୍ପଷ୍ଟୀକରଣ ଦେବାକୁ ପଡିଥିଲା । ତାଙ୍କ ମନ୍ତବ୍ୟରୁ ନିଜକୁ ଦୁରେଇ ରଖିଥିଲା ବିଜେପି ।

ବିରୋଧୀ ଦଳର ଟାହିଟାପରା

କଙ୍ଗନାଙ୍କ ବିବାଦୀୟ ମନ୍ତବ୍ୟ ନେଇ ବିଜେପି ତାଗିଦ କରିଥିବା ବେଳେ ବିରୋଧୀ ଦଳ ନେତାମାନେ ଅଭିନେତ୍ରୀଙ୍କୁ କଡା ସମାଲୋଚନା କରିଛନ୍ତି । ରାହୁଲ ଗାନ୍ଧି କହିଛନ୍ତି ଯେ, ବିଜେପି ସାଂସଦ କଙ୍ଗନାଙ୍କ ବୟାନ ତାଙ୍କର ଚାଷୀ ବିରୋଧୀ ନୀତିକୁ ଦର୍ଶାଉଛି । କଂଗ୍ରେସ ସାଧାରଣ ସଂପାଦକ ପ୍ରିୟଙ୍କା ଗାନ୍ଧିଙ୍କ ପତି ରବର୍ଟ ଭଦ୍ରା ପଂଜାବରେ ଚାଷୀ ଆନ୍ଦୋଳନ ବେଳେ ରେପ୍ ସଂପର୍କିତ ବୟାନକୁ ନିନ୍ଦା କରିଛନ୍ତି । କଙ୍ଗନା ସାଂସଦ ହେବାକୁ ଯୋଗ୍ୟ ନୁହନ୍ତି ବୋଲି ଭଦ୍ରା କହିଛନ୍ତି । କଙ୍ଗନା ଶିକ୍ଷିତ ନୁହନ୍ତି ବୋଲି ସେ କହିଛନ୍ତି । ପୂର୍ବତନ ସାଂସଦ ସିମରନଜିତ ସିଂହ ମାନ୍ କଙ୍ଗନାଙ୍କ ରେପ୍ ସଂପର୍କିତ ବୟାନରେ ଆପତ୍ତିଜନକ ଟିପ୍ପଣୀ କରିଛନ୍ତି ।

ଅଭିନେତ୍ରୀ ଭାବେ କଙ୍ଗନା ବଲିଉଡରେ ପ୍ରିୟାପ୍ରୀତି ତୋଷଣ, ଅନୁଗ୍ରହ ପ୍ରଦର୍ଶନ ଭଳି ପ୍ରସଙ୍ଗ ଉଠାଇଥିଲେ । ଏଥିପାଇଁ ତାଙ୍କୁ ସମର୍ଥନ ବି ମିଳିଛି । କିନ୍ତୁ ଅନେକ ସମୟରେ ବିବାଦୀୟ ଓ ଦାୟିତ୍ୱହୀନ ବୟାନ ଯୋଗୁଁ ତାଙ୍କୁ ଆକ୍ରୋଶର ସାମନା କରିବାକୁ ପଡିଛି ।

 

Comments are closed.