Latest Odisha News

ଆସୁଛି ଗଣପର୍ବ ନୁଆଖାଇ: ଚଳଚଞ୍ଚଳ ପଶ୍ଚିମ ଓଡ଼ିଶା

ବରଗଡ: ଆଉ ଦିନକ ପରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୁଆଖାଇ ତିହାର । ସେଥିପାଇଁ ପଶ୍ଚିମ ଓଡିଶାରେ ପ୍ରସ୍ତୁତି ଏବେ ଶେଷ ପର୍ଯ୍ୟାୟରେ । ନୁଆଖାଇ ପାଇଁ ବରଗଡ଼ ସହର ହୋଇଉଠିଛି ଉତ୍ସବ ମୁଖର । ଦୋକାନ ବଜାର ସବୁଆଡ଼େ ଲାଗିଛି ଲୋକଙ୍କ ଭିଡ଼ । ସେପଟେ ନୂଆଖାଇ ପାଇଁ ପନିପରିବା ଦର ଆକାଶ ଛୁଆଁ । କୃଷି ଭିତ୍ତିକ ଏହି ଗଣପର୍ବରେ କୃଶକ ମାନେ ନୂତନ ଉତ୍ପାଦିତ ଶସ୍ୟ  ଓ ପନିପରିବା ବିକ୍ରି କରି ଭଲ ଦୁଇପଇସା ରୋଜଗାର କରିଥାନ୍ତି । ଅନ୍ୟପଟେ ନୂଆଖାଇ ପର୍ବରେ ସମସ୍ତେ ସମ୍ବଲପୁରୀ ବସ୍ତ୍ର ପରିଧାନ କରିବାର ନୂତନ ପରମ୍ପରା ଏବେ କିଛି ବର୍ଷ ହେଲାଣି ସମ୍ବଲପୁରୀ କପଡା ବୁଣୁଥିବା ଏଠାକାର ବୁଣାକାର ଭାଇ ମାନଙ୍କ ପାଇଁ ଏକ ରୋଜଗାରର ବାଟ ଫିଟାଇଛି ।

ନୂଆଖାଇ ପୂର୍ବରୁ ବରଗଡ ଜିଲ୍ଲାର ସମସ୍ତ ବୁଣାକାର ଭାଇ ମାନେ ପ୍ରସ୍ତୁତ ହୋଇଯାନ୍ତି ବିଭିନ୍ନ ପ୍ରକାରର ବସ୍ତ୍ର ତିଆରି କରିବାରେ । ନୂଆଖାଇରେ ସମ୍ବଲପୁରୀ କପଡାର ଚାହିଦା ବ୍ୟାପକ ରହିଥିବାବେଳେ ବୁଣାକାର ମାନେ ମଧ୍ୟ ଭଲ ଦୁଇପଇସା ରୋଜଗାର କରିଥାନ୍ତି । ତେବେ ପଶ୍ଚିମ ଓଡିଶାର କୃଷି ଭିତ୍ତିକ ଗଣପର୍ବ ନୂଆଖାଇ ପର୍ବଟି ଏଠାକାର କୃଶକ ମାନଙ୍କ ସହିତ ହଜାର ହଜାର ବୁଣାକାର ପରିବାର ମାନଙ୍କୁ ଭଲ ରୋଜଗାର ପ୍ରଦାନ କରିବାରେ ସହାୟ ହୋଇପାରିଛି ।

ସମଗ୍ର ପଶ୍ଚିମ ଓଡ଼ିଶାରେ ଗୋଟେ ଦିନରେ ନୂଆଖାଇ ପର୍ବ ପାଳନ କରାଯାଉଥିବାରୁ ପ୍ରତ୍ୟେକ ଘରେ ପନିପରିବା ଓ ନୂତନ ଦ୍ରବ୍ୟର ଚାହିଦା ରହିଥାଏ । କମ ଦ୍ରବ୍ୟକୁ ଅଧିକ ଗ୍ରାହକ ଯୋଗୁଁ ବ୍ୟାପାରି ମାନେ ଏହାର ସୁଯୋଗ ଉଠାଇଥାନ୍ତି ଏବଂ ଭଲ ଦୁଇ ପଇସା ରୋଜଗାର କରିଥାନ୍ତି । ବଡ଼ ତିହାର ନୂଆଖାଇ ପାଳନ କରିବାପାଇଁ ପନିପରିବା ଯେତେ ଅଧିକ ଦାମ ହେଲେ ସୁଦ୍ଧା ଗରିବ ଓ ଧନୀ ସବୁ ବର୍ଗର ଲୋକେ  କିଣିବାକୁ ବାଧ୍ୟ ହୋଇ କିଣିଥାନ୍ତି ।

କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ଏକ ଏପରି ପରମ୍ପରା ଯାହା ଯୁଗଯୁଗରୁ ଚାଲିଆସିଛି ଯେଉଁଥିରେ ସମସ୍ତ ବର୍ଗର ଲୋକେ ନିଜ ବୃତ୍ତିରେ ଲାଭବାନ ହୋଇଥାନ୍ତି । ନୂଆଁଖାଇରେ ବୁଣାକାର, ଚାଷୀ , ବାଉଁଶ କାରିଗରଙ୍କ ସହ ଦିନମଜୁରିଆ ଠୁଁ ଆରମ୍ଭ କରି ବ୍ୟାପାରି ପର୍ଯ୍ୟନ୍ତ ସମସ୍ତଙ୍କର ରୋଜଗାରର ବାଟ ଫିଟିଥାଏ ।

Comments are closed.