Latest Odisha News

BREAKING NEWS

କ’ଣ କହିଲେ ସୁପ୍ରିମକୋର୍ଟ, କ’ଣ କହିଲେ ମମତା ?

ନୂଆଦିଲ୍ଲୀ: କୋଲକାତା ଆରଜି କର ହସପିଟାଲରେ ଟ୍ରେନି ଡାକ୍ତର ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ମାସେ ବିତିଛି । ପୀଡିତାଙ୍କୁ ନ୍ୟାୟ ଦାବିରେ ଜାରି ରହିଛି ଆନ୍ଦୋଳନ ଓ ବିକ୍ଷୋଭ । ସିବିଆଇ ତଦନ୍ତ ଜାରି ରଖିଥିବା ବେଳେ ଏକ କଡା ଦୁଷ୍କର୍ମ ନିରୋଧ ବିଲ୍ ଆଣି ଜନ ଅସନ୍ତୋଷ ଓ ରାଜନୈତିକ ବିରୋଧରୁ ବର୍ତ୍ତିବାକୁ ଚେଷ୍ଟା କରିଛନ୍ତି ମମତା ବାନାର୍ଜୀ । ସୋମବାର ଏହି ମାମଲାରେ ତୃତୀୟ ଥର ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ । ସିବିଆଇ ଓ ଜୁନିଅର ଡାକ୍ତରମାନଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଏଣେ ପୀଡିତାଙ୍କ ପରିବାର ପକ୍ଷରୁ ହୋଇଥିବା ଲାଂଚ ଅଭିଯୋଗ ନେଇ ମୁହଁ ଖୋଲିଛନ୍ତି ମମତା ବାନାର୍ଜୀ ।

କାର୍ଯ୍ୟରେ ଯୋଗ ଦେବା ପାଇଁ ଜୁନିଅର ଡାକ୍ତରଙ୍କୁ ନିର୍ଦ୍ଦେଶ

କୋଲକାତା ଆରଜି କର ହସପିଟାଲ ଜୁନିଅର ଡାକ୍ତର ଦୁଷ୍କର୍ମ ଓ ହତ୍ୟା ପ୍ରତିବାଦରେ ଆନ୍ଦୋଳନ ଚଳାଇଥିବା ଜୁନିଅର ଡାକ୍ତରମାନଙ୍କୁ କାର୍ଯ୍ୟରେ ଯୋଗ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ମଙ୍ଗଳବାର ସଂଧ୍ୟା ୫ଟା ସୁଦ୍ଧା କାର୍ଯ୍ୟରେ ଯୋଗ ଦେବାକୁ ସମୟସୀମା ଧାର୍ଯ୍ୟ କରିଛନ୍ତି ସୁପ୍ରିମକୋର୍ଟ। ଧାର୍ଯ୍ୟ ସମୟସୀମା ମଧ୍ୟରେ କାର୍ଯ୍ୟରେ ଯୋଗ ନଦେଲେ ରାଜ୍ୟ ସରକାରଙ୍କୁ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ଚେତାଇ ଦେଇଛନ୍ତି ସୁପ୍ରିମକୋର୍ଟ । ଆରଜି କର ହସପିଟାଲରେ ଜୁନିଅର ଡାକ୍ତରମାନଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁଁ ଉପଯୁକ୍ତ ଚିକିତ୍ସା ସେବା ନ ମିଳିବାରୁ ୨୩ଜଣ ରୋଗୀଙ୍କ ମୃତ୍ୟୁ ହୋଇଛି ବୋଲି ରାଜ୍ୟ ସରକାର ସୁପ୍ରିମକୋର୍ଟଙ୍କୁ ଜଣାଇଥିଲେ । ଏଥିସହ ୬ଲକ୍ଷ ରୋଗୀଙ୍କୁ ସ୍ୱାସ୍ଥ୍ୟ ସେବା ମିଳିନାହିଁ ବୋଲି ବରିଷ୍ଠ ଆଇନଜୀବୀ କପିଲ ସିବଲ ଜଣାଇବା ପରେ କାର୍ଯ୍ୟରେ ଯୋଗ ଦେବା ପାଇଁ ଜୁନିଅର ଡାକ୍ତରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । କର୍ତ୍ତବ୍ୟରେ ଅବହେଳା କରି ବିକ୍ଷୋଭ କରାଯାଇପାରିବ ନାହିଁ ବୋଲି ପ୍ରଧାନ ବିଚାରପତି ଜଷ୍ଟିସ ଡି.ୱାଇ ଚନ୍ଦ୍ରଚୂଡ କହିଛନ୍ତି । ତେବେ ଜୁନିଅର ଡାକ୍ତରମାନଙ୍କ ସୁରକ୍ଷା ଦାବି ପ୍ରତି ତୁରନ୍ତ ଦୃଷ୍ଟି ଦେବାକୁ ପଶ୍ଚିମବଙ୍ଗ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ।  ରେଷ୍ଟରୁମ୍ ନିର୍ମାଣ, ସିସିିଟିଭି କ୍ୟାମେରା ଲଗାଇବା ଓ ଅନ୍ୟ ଜରୁରୀ ଢାଂଚାଗତ ଉନ୍ନତି ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ନୂଆ ଷ୍ଟାଟସ ରିପୋର୍ଟ ଦାଖଲ ପାଇଁ ସିବିଆଇକୁ ନିର୍ଦ୍ଦେଶ
ଆରଜି କର ମାମଲାର ତଦନ୍ତ କରୁଥିବା ସିବିଆଇକୁ ଆସନ୍ତା ସପ୍ତାହ ମଧ୍ୟରେ ନୂଆ ଷ୍ଟାଟସ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ପୀଡିତାଙ୍କ ମୃତ୍ୟୁ ପରେ ଅପ୍ରାକୃତିକ ଏଂଟ୍ରି ସଂପର୍କରେ ସିବିଆଇଟୁ ସ୍ପଷ୍ଟୀକରଣ ଲୋଡିଛନ୍ତି ସିଜେଆଇ । ମାମଲାରେ କିଛି ନା କିଛି ତ ଅଭାବ ରହୁଛି ବୋଲି ସୁପ୍ରିମକୋର୍ଟ କହିବା ସହ ଶବ ବ୍ୟବଚ୍ଛେଦ ସଂପର୍କିତ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ନଥିବାରୁ ଉଦବେଗ ପ୍ରକାଶ କରିଛନ୍ତି । ଏନେଇ ତଦନ୍ତ କରିବାକୁ ସିବିଆଇକୁ କହିଛନ୍ତି ସୁପ୍ରିମକୋର୍ଟ । ସବୁ ସୋସିଆଲ ମିଡିଆରୁ ପୀଡିତାଙ୍କ ଫଟୋ ତୁରନ୍ତ ହଟାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।
ପୀଡିତାଙ୍କ ପରିବାରକୁ ପ୍ରମାଣ ମାଗିଲେ ମମତା

ପୋଲିସ ଲାଂଚ ଯାଚି ମୁହଁ ବନ୍ଦ କରିବାକୁ ଚେଷ୍ଟା କରିଥିଲା ବୋଲି ପୀଡିତାଙ୍କ ପରିବାର ଅଭିଯୋଗକୁ ଖଣ୍ଡନ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଏଥିପାଇଁ ପୀଡିତାଙ୍କ ପରିବାରଠୁ ପ୍ରମାଣ ଲୋଡିଛନ୍ତି ମମତା । ଏସବୁ ଡ୍ରାମା ଓ ପ୍ରୋପାଗଣ୍ଡା ବୋଲି ମମତା କହିଛନ୍ତି । ଜୁନିଅର ଡାକ୍ତରଙ୍କ ବିକ୍ଷୋଭ ପ୍ରଦର୍ଶନ ପଛରେ କେନ୍ଦ୍ର ସରକାର ଓ ବାମ ଦଳଙ୍କ ସଂପୃକ୍ତି ଅଛି ବୋଲି ମମତା ଅଭିଯୋଗ କରିଛନ୍ତି ।
ମାସେ ବିତିଲା ପରେ ବି ରହସ୍ୟ ଉପରୁ ପରଦା ହଟିନି

କୋଲକାତା ଆରଜି କର ଘଟଣାକୁ ମାସେ ପୂରିିଛି । ଏହି ମାମଲାରେ ମାତ୍ର ଜଣଙ୍କୁ ହିଁ ଗିରଫ କରାଯାଇଛି । କୋଲକାତା ପୋଲିସର ସିଭିକ ଭଲ୍ୟୁଟଂର ସଞ୍ଜୟ ରାୟ ଘଟଣାର ଏକମାତ୍ର ଅଭିଯୁକ୍ତ । ସିବିଆଇ ତଦନ୍ତ କରୁଥିଲେ ମଧ୍ୟ ଆଉ କାହାରିକୁ ଗିରଫ କରିପାରିନାହିଁ । ପୂର୍ବତନ ପ୍ରିନସିପାଲ ସନ୍ଦୀପ ଘୋଷଙ୍କୁ ଆର୍ଥିକ ଅନିୟମିତତା ଅଭିଯୋଗରେ ଗିରଫ କରାଯାଇଛି । ସୁପ୍ରିମକୋର୍ଟ ନିଜଆଡୁ ଘଟଣାର ସଂଜ୍ଞାନ ନେଇ ମାମଲାର ଶୁଣାଣି କରୁଛନ୍ତି ।

Comments are closed.