Latest Odisha News

BREAKING NEWS

୭ କିଲୋମିଟର ଭାରରେ ବୁହା ହେଲେ ରୋଗୀ

ନବରଙ୍ଗପୁର: ବର୍ଷା ହେଉଥିଲା ତୁହାକୁ ତୁହା । ଏଣେ ଜ୍ଵରରେ କମ୍ପୁଥିଲା ଶରୀର । ଡାକ୍ତରଖାନା ନେବା ଲାଗି ବାଟ ପାଇନଥିଲେ ପରିବାର ଲୋକେ । ଶେଷରେ ଭାର କରି ଜଙ୍ଗଲିଆ କାଦୁଅ ପଚପଚ ରାସ୍ତାରେ ୭ କିଲୋମିଟର ବୋହିଲେ ।

ପ୍ରଥମେ ମୈଦଲପୁର ପ୍ରାଥମିକ ସ୍ଵାସ୍ଥ୍ୟକେନ୍ଦ୍ର ଏବଂ ପରେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କୁ ଭର୍ତ୍ତି କରାଯାଇଛି । ରୋଗୀ ଜଣଙ୍କ ହେଲେ କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ୍ କର୍ଲାକୋଟ ଗାଁର ଅଭି ନାୟକ । କର୍ଲାକୋଟରୁ ମୈଦଲପୁର ଆଣିବା ରାସ୍ତାରେ ନାହିଁ ନଥିବା ଦୁର୍ଦ୍ଦଶା ଭୋଗିଛନ୍ତି ପରିବାର ଲୋକେ ।

ଖବର ଅନୁଯାୟୀ, ସୀମାନ୍ତ କର୍ଲାକୋଟ ଗାଁର ଅଭି ଦୀର୍ଘ ୫ ଦିନ ହେଲା ଜ୍ଵରରେ ପୀଡ଼ିତ ଥିଲେ । ରବିବାର ଅବସ୍ଥା ଅଧିକ ବିଗିଡ଼ି ଯାଇଥିଲା । କର୍ଲାକୋଟରୁ ଜୟପାଟଣା ବ୍ଲକ୍ ସଦର ମହକୁମାରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଦୂରତା ପ୍ରାୟ ୫୦ କିମି । ଏତେ ବାଟ ନେବା ପରିବର୍ତ୍ତେ କର୍ଲାକୋଟରୁ ନବରଙ୍ଗପୁର ଜିଲ୍ଲା ମୈଦଲପୁର ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିବା ଲାଗି ଚିନ୍ତା କରିଥିଲେ ପରିବାର ଲୋକେ । କାରଣ ଏଠାକୁ ଦୂରତା ଥିଲା ମାତ୍ର ୧୯ କିଲୋମିଟର । କର୍ଲାକୋଟରୁ ମୈଦଲପୁରର ଗୁଡ଼ପାଣିପଦର ପର୍ଯ୍ୟନ୍ତ ୭ କିମି ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡ଼ିଥିଲା ।

ଜଙ୍ଗଲ ଭିତରେ କାଦୁଅ ରାସ୍ତା ପାରି ହେବା ଲାଗି କୌଣସି ଗାଡ଼ିମୋଟରର ବ୍ୟବସ୍ଥା ନଥିଲା । ବାଧ୍ୟ ହୋଇ ପରିବାର ଲୋକେ ଏକ ଭାରରେ ଅଭିଙ୍କୁ ଶୁଆଇ ଦେଇଥିଲେ । କର୍ଲାକୋଟରୁ ବୋହି ବୋହି ଗୁଡ଼ପାଣିପଦର ଗାଁ ପର୍ଯ୍ୟନ୍ତ ଆଣି ଥିଲେ । ଯାହାର ଦୂରତା ଥିଲା ୭ କିଲୋମିଟର । ପରେ ଗୁଡ଼ପାଣିପଦରରୁ ଗାଦବାକାତରା ଗାଁ ପର୍ଯ୍ୟନ୍ତ ଅଟୋ ରେ ଆଣିଥିଲେ ଯାହାର ଦୂରତା ଥିଲା ୪ କିଲୋମିଟର । ତାହା ବି କାଦୁଅରେ ଭରି ରହିଥିଲା। ତଥାପି ଏକ ଅଟୋ ସାହାଯ୍ୟରେ ବଡ଼କଷ୍ଟରେ ସେଠାକୁ ନେଇଥିଲେ । ବାଟରେ କାଦୁଅରେ ଫସିଯାଇଥିଲା ଅଟୋ ସାଙ୍ଗରେ ଥିବା ଲୋକେ ଠେଲି ଠେଲି ଏହାକୁ ବାହାର କରିଥିଲେ । ତା’ପରେ ସେଠାରୁ ଗାଡ଼ି ସହାୟତାରେ ମୈଦଲପୁର ଡାକ୍ତରଖାନା ଆଣିଥିଲେ ।

ପ୍ରାଥମିକ ଚିକିତ୍ସା ପରେ ବି ରୋଗୀଙ୍କ ସ୍ଵାସ୍ଥ୍ୟବସ୍ଥାରେ ସୁଧାର ନଆସିବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଦୁଇ ଜିଲ୍ଲାର ସୀମାନ୍ତ ଅଞ୍ଚଳରେ ରାସ୍ତା ଅବସ୍ଥା ଅତ୍ୟନ୍ତ ଖରାପ ହୋଇପଡ଼ିଛି । ଉଭୟ ଜିଲ୍ଲାର ପ୍ରଶାସନ ପକ୍କା ରାସ୍ତା ନିର୍ମାଣ ଦିଗରେ କୌଣସି ପଦକ୍ଷେପ ନେଉନଥିବା ଅଭିଯୋଗ ହୋଇଛି । ଯଦ୍ୱାରା ସୀମାରେ ରହୁଥିବା ଲୋକେ ଜରୁରୀ ସମୟରେ ନାକେଦମ ହେଉଛନ୍ତି ।

Comments are closed.