Latest Odisha News

BREAKING NEWS

ସୁପ୍ରିମକୋର୍ଟ ନିର୍ଦ୍ଦେଶକୁ ମାନିଲେନି, ଦାବି ପୂରଣ ନହେବା ଯାଏ କାର୍ଯ୍ୟକୁ ଫେରିବେନି

କୋଲକାତା: ଆର୍‌.ଜି କର ହସ୍ପିଟାଲର ମହିଳା ଟ୍ରେନି ଡାକ୍ତର ଦୁଷ୍କର୍ମ ଓ ହତ୍ୟା ଘଟଣା ବିରୋଧର ଜୁନିଅର ଡାକ୍ତରଙ୍କ ହରତାଳ ମଙ୍ଗଳବାର ୩୧ ଦିନରେ ପହଞ୍ଚିଛି। ମଙ୍ଗଳବାର ଅପରାହ୍ନ ୫ଟା ସୁଦ୍ଧା କାର୍ଯ୍ୟରେ ଯୋଗଦେବା ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ପଶ୍ଚିମବଙ୍ଗର ଆନ୍ଦୋଳନରତ ଡାକ୍ତରମାନେ ଏହାକୁ ମାନିନାହାନ୍ତି। ସେମାନେ ସ୍ୱାସ୍ଥ୍ୟଭବନ ପର୍ଯ୍ୟନ୍ତ ରାଲି ବାହାର କରିଥିଲେ।

ଦୁଷ୍କର୍ମ ଓ ହତ୍ୟା ମାମଲାରେ ସେମାନେ କୋଲକାତା ପୋଲିସ କମିଶନର ଏବଂ ବହୁ ସ୍ବାସ୍ଥ୍ୟ ଅଧିକାରୀଙ୍କ ଇସ୍ତଫା ଦାବି କରିଛନ୍ତି। ସଲ୍ଟ ଲେକ୍‌ର ସେକ୍ଟର-୫ ସ୍ଥିତ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ମୁଖ୍ୟାଳୟକୁ ଶୋଭାଯାତ୍ରାରେ ଯାଉଥିବାବେଳେ ଜୁନିୟର ଡାକ୍ତରମାନେ ଝାଡୁ ଏବଂ ମଡେଲ ବ୍ରେନ୍‌ ପ୍ରଦର୍ଶନ କରିଥିଲେ। ଅନ୍ୟପଟେ କାର୍ଯ୍ୟକୁ ନଫେରିଲେ ଡାକ୍ତରଙ୍କ ବିରୋଧରେ ରାଜ୍ୟ ସରକାର କାର୍ଯ୍ୟାନୁଷ୍ଠାନ ନେଇପାରିବେ ବୋଲି ସୁପ୍ରିମକୋର୍ଟ ଚେତାବନୀ ଦେଇଥିଲେ।

୫ ଦଫା ଦାବି ପୂରଣ ପାଇଁ ଜୁନିୟର ଡାକ୍ତରମାନେ ଅପରାହ୍ନ ୫ଟା ପର୍ଯ୍ୟନ୍ତ ସମୟ ଦେଇଥିଲେ। ଦାବିଗୁଡ଼ିକ ମଧ୍ୟରେ ରହିଛି କୋଲକାତା ପୋଲିସ କମିଶନର, ରାଜ୍ୟ ସ୍ବାସ୍ଥ୍ୟ ସଚିବ, ସ୍ବାସ୍ଥ୍ୟ ଶିକ୍ଷା ନିର୍ଦ୍ଦେଶକ ଏବଂ ସ୍ବାସ୍ଥ୍ୟସେବା ନିର୍ଦ୍ଦେଶକଙ୍କ ଇସ୍ତଫା। ତାହା ପୂରଣ ନହେଲେ ସେମାନେ ସ୍ବାସ୍ଥ୍ୟ ଭବନ ସମ୍ମୁଖରେ ଧାରଣାରେ ବସିବେ ବୋଲି କହିଛନ୍ତି। ଅପରପକ୍ଷରେ ଆର୍‌.ଜି. କର ହସ୍ପିଟାଲ ପ୍ରସଙ୍ଗରେ ଲାଗିରହିଥିବା ଅଚଳାବସ୍ଥାର ସମାଧାନ ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଙ୍ଗଳବାର ଆନ୍ଦୋଳନରତ ଡାକ୍ତରଙ୍କୁ ଆଲୋଚନା ପାଇଁ ରାଜ୍ୟ ସଚିବାଳୟକୁ ଡାକିଥିଲେ। ଜୁନିୟର ଡାକ୍ତରମାନେ ତାଙ୍କ ଆମନ୍ତ୍ରଣକୁ ଅଗ୍ରାହ୍ୟ କରିଦେଇଛନ୍ତି।

Comments are closed.