Latest Odisha News

ଡାଇମଣ୍ଡ ଲିଗ: ନୀରଜ, ଅବିନାଶଙ୍କ ଉପରେ ରହିବ ନଜର

ବ୍ରୁସେଲ୍ସ: ଏଠାରେ ହେବାକୁ ଥିବା ଡାଇମଣ୍ଡ ଲିଗ ଫାଇନାଲରେ ଭାରତର ୨ ଷ୍ଟାର ଆଥଲେଟ ନୀରଜ ଚୋପ୍ରା ଓ ଅବିନାଶ ସାବଲେ ଅଂଶଗ୍ରହଣ କରିବେ । ଜାଭେଲିନ ଥ୍ରୋରେ ନୀରଜ ଶ୍ରେଷ୍ଠ ପ୍ରଦର୍ଶନ ଜାରୀ ରଖିଥିବା ବେଳେ ୨୯ ବର୍ଷୀୟ ସାବଲେ ପ୍ରଥମ ଥର ପାଇଁ ଏଥିରେ ଅଂଶଗ୍ରହଣ କରୁଛନ୍ତି । ସାବଲେ ୩୦୦୦ ମିଟର ଷ୍ଟିପଲଚେଜ ବିଭାଗରେ ଡାଇମଣ୍ଡ ଲିଗର ୨ଟି ଆୟୋଜନରେ ଅଂଶଗ୍ରହଣ କରି ଓଭରାଲ ୧୪ତମ ସ୍ଥାନରେ ରହିଥିଲେ । ତେବେ ୪ଜଣ ଟପ ର‌୍ୟାଙ୍କିଙ୍ଗ ଆଥଲେଟ ଓହରିଯିବା ଫଳରେ ତାଙ୍କୁ ଫାଇନାଲ ଖେଳିବା ସୁଯୋଗ ମିଳିଛି । ୧୩ ଓ ୧୪ ସେପ୍ଟମ୍ବରରେ ଏହା ଆୟୋଜିତ ହେବ । ୧୩ରେ ଷ୍ଟିପଲଚେଜ ଓ ୧୪ରେ ଜାଭେଲିନ ଥ୍ରୋର ଫାଇନାଲ ମୁକାବିଲା ଆୟୋଜିତ ହେବ । ସାବଲେ ପ୍ୟାରିସ ଅଲିମ୍ପିକ୍ସ ଫାଇନାଲରେ ପ୍ରବେଶ କରିଥିଲେ ମଧ୍ୟ ସେଭଳି ପ୍ରଭାବୀ ପ୍ରଦର୍ଶନ କରିପାରି ନ ଥିଲେ । ସେ ୮:୧୪.୧୮ ମିନିଟ ସମୟ ନେଇ ୧୧ତମ ସ୍ଥାନରେ ରହିଥିଲେ ।

ଅପରପକ୍ଷରେ ଲୁସାନେ ଡାଇମଣ୍ଡ ଲିଗ ଫାଇନାଲ ପାଇଁ ଶେଷ ମୁକାବିଲା ଜ୍ୟୁରିକରେ ହୋଇଥିଲା । ୨୬ ବର୍ଷୀୟ ନୀରଜ ଏଥିରେ ଅଂଶଗ୍ରହଣ କରି ନ ଥିଲେ । ଗୋଟିଏ ଥର ଅଂଶଗ୍ରହଣ ନ କରି ମଧ୍ୟ ସେ ଫାଇନାଲରେ ପ୍ରବେଶ କରିଛନ୍ତି । ସେ ୨ଟି ଲେଗରେ ଖେଳିଥିଲେ । ୪ଟି ମୁକାବିଲାରେ ଶ୍ରେଷ୍ଠ ୬ଜଣଙ୍କୁ ଫାଇନାଲରେ ସ୍ଥାନ ମିଳିଥାଏ । ଏଥିରେ ଚାମ୍ପିୟନ ଆଥଲେଟଙ୍କୁ ୩୦୦୦୦ ଡଲାରର ପୁରସ୍କାର ରାଶି, ଡାଇମଣ୍ଡ ଟ୍ରଫି ଏବଂ ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପ ପାଇଁ ୱାଇଲ୍ଡ କାର୍ଡ ଏଂଟ୍ରି ମିଳିଥାଏ ।

Comments are closed.