Latest Odisha News

ମହାକାଶରୁ ମୁହଁ ଖୋଲିଲେ ସୁନୀତା: ‘ଏତେ ଡେରି ହେବ ବୋଲି ଭାବିନଥିଲୁ’

ନୂଆଦିଲ୍ଲୀ: ମହାକାଶରେ ଫସିଥିବା ସୁନୀତା ୱିଲିୟମସ ଓ ବୁଚ୍ ୱିଲମୋର ଶେଷରେ ମୁହଁ ଖୋଲିଛନ୍ତି । ଆନ୍ତର୍ଜାତିକ ମହାକାଶ କେନ୍ଦ୍ର-ଆଇଏସଏସରୁ ଦୁଇ ମହାକାଶଚାରୀ ଲାଇଭ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରିଛନ୍ତି । ଅନେକ ପ୍ରସଙ୍ଗରେ ଆଲୋକପାତ କରିଛନ୍ତି ସୁନୀତା ୱିଲିୟମସ । ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଛନ୍ତି ଦୁଇ ମହାକାଶଚାରୀ ।

ଷ୍ଟାରଲାଇନର ଖାଲିରେ ଫେରିଥିବାରୁ ନିରାଶ

ନାସା ମହାକାଶଚାରୀ ସୁନୀତା ୱିଲିୟମସ ଓ ବୁଚ୍ ୱିଲମୋର ଶେଷରେ ମୁହଁ ଖୋଲିଛନ୍ତି । ମହାକାଶରୁ ସାମ୍ବାଦିକମାନଙ୍କ ସହ ଅନେକ ପ୍ରସଙ୍ଗରେ କଥାବାର୍ତ୍ତା କରିଛନ୍ତି ଦୁଇ ମହାକାଶଚାରୀ । ବୋଇଙ୍ଗ ନିର୍ମିତ୍ ସ୍ପେସକ୍ରାପ୍ଟ ଷ୍ଟାରଲାଇନର ସୁରକ୍ଷିତ ଭାବେ ପୃଥିବୀ ପୃଷ୍ଠକୁ ପ୍ରତ୍ୟାବର୍ତ୍ତନ କରିଥିବାରୁ ଖୁସି ପ୍ରକଟ କରିଛନ୍ତି ସୁନୀତା । ବିନା କୌଣସି ସମସ୍ୟାରେ ଷ୍ଟାରଲାଇନର ପୃଥିବୀରେ ଲ୍ୟାଣ୍ଡ୍ କରିଥିବାରୁ ସେ ଖୁସି ବୋଲି କହିଛନ୍ତି ସୁନୀତା । ଏଥିପାଇଁ ନାସା ଟିମ୍ ଧନ୍ୟବାଦର ପାତ୍ର ବୋଲି ସୁନୀତା କହିଛନ୍ତି । ଏଣେ ବୁଚ୍ ୱିଲମୋର କହିଛନ୍ତି ଯେ, ସେ ଏହି ମିଶନରୁ ଅନେକ କିଛି ଶିଖିଛନ୍ତି । ଏହି ଅନୁଭୂତି ଭବିଷ୍ୟତରେ ତାଙ୍କର କାମରେ ଆସିବ । ଷ୍ଟାରଲାଇନର କ୍ୟାପସୁଲ ଯୋଗେ ହିଁ ସୁନୀତା ଓ ୱିଲମୋର ଆଇଏସଏସକୁ ଜୁନ୍‌ରେ ଆସିଥିଲେ । ମିଶନର ଅବଧି ୮ ଦିନ ଥିଲେ ମଧ୍ୟ ଷ୍ଟାରଲାଇନରରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଫେରିପାରିନଥିଲେ ସୁନୀତା ଓ ବୁଚ୍ । ଫେବ୍ରୁଆରୀ ମାସରେ ଆଉ ଏକ ମହାକାଶ ଯାନରେ ପୃଥିବୀ ଫେରିବେ ଦୁଇ ମହାକାଶଚାରୀ ।

‘ପ୍ରାୟ ବର୍ଷେ କାଳ ରହିଯିବୁ ବୋଲି ଭାବିନଥିଲୁ’

ଷ୍ଟାରଲାଇନର ପ୍ରଥମ ଟେଷ୍ଟ ପାଇଲଟ ଭାବେ ସେମାନଙ୍କୁ ପ୍ରାୟ ବର୍ଷେ କାଳ ଯେ ମହାକାଶରେ ରହିବାକୁ ପଡିବ, ଏହା ସେମାନେ କଳ୍ପନା କରିନଥିଲେ । ସମସ୍ୟା ଥିବାରୁ ପ୍ରତ୍ୟାବର୍ତ୍ତନ ବିଳମ୍ବିତ ହେବ ବୋଲି ସେମାନେ ଅନୁମାନ କରିଥିଲେ । ହେଲେ ଏତେ ଦିନ ଡେରି ହେବ ବୋଲି ଭାବି ନଥିଲେ ବୋଲି ଦୁଇ ମହାକାଶଚାରୀ କହିଛନ୍ତି । ସ୍ପେସ ଷ୍ଟେସନରେ ଜୀବନ ସେତେ ମୁସ୍କିଲ ବି ନୁହେଁ । କାରଣ ସେ ଓ ବୁଚ୍ ଆଗରୁ ସେଠାରେ ରହିସାରିଛନ୍ତି । କିଛି ବର୍ଷ ପୂର୍ବେ ସେ ମହାକାଶରେ ଲମ୍ବା ସମୟ ଧରି ରହିଥିଲେ ବୋଲି କହିଛନ୍ତି ସୁନୀତା । କେବଳ ଷ୍ଟାରଲାଇନର ନୁହେଁ ଆଇଏସଏସ ପାଇଁ ମଧ୍ୟ ଆମେ କିଛି ବର୍ଷ ପ୍ରଶିକ୍ଷଣ ନେଇଥିଲୁ । ଏହି ପେଷାରେ ଏମିତି ହିଁ ଚାଲେ ବୋଲି କହିଛନ୍ତି ଭାରତୀୟ ବଂଶୋଦ୍ଭବ ସୁନୀତା ୱିଲିୟମସ । ମହାକାଶରେ ରହିବାକୁ ସେ ପସନ୍ଦ କରନ୍ତି । ଏହା ତାଙ୍କ ପାଇଁ ଖୁସିର ସ୍ଥାନ ବୋଲି ସୁନୀତା କହିଛନ୍ତି ।

ଅଭିଯାନ ୭୧ର ଅଂଶବିଶେଷ

ସୁନୀତା ୱିଲିୟମସ କହିଥିଲେ ଯେ, ଆମେ ଆଇଏସଏସକୁ ଆସି ଏଠାକାର କ୍ରିଉ ସହ କାମ କରି ବେଶ୍ ଖୁସି । ଆମେ ଅଭିଯାନ ୭୧ର ଅଂଶ ହୋଇ କାମ କରିବାକୁ ବେଶ ଭଲ ଲାଗୁଛି । ଏହି ଟିମରେ ସାମିଲ ହୋଇ ଯାହି କିଛି ସମ୍ଭବ, ତାହା ଆମେ କରୁଛୁ ବୋଲି ଆଇଏସଏସରୁ ସାମ୍ବାଦିକମାନଙ୍କୁ କହିଥିଲେ ।

Comments are closed.