Latest Odisha News

ହରିୟାଣା ବିଧାନସଭା ନିର୍ବାଚନ: କିଏ ହେବ ଆଗାମୀ ମୁଖ୍ୟମନ୍ତ୍ରୀ ସେନେଇ ବଢିଲା ଚର୍ଚ୍ଚା?

ଚଣ୍ଡିଗଡ: ହରିୟାଣାରେ ବିଧାନସଭା ନିର୍ବାଚନ ନେଇ ମାହୋଲ ସରଗରମ ରହିଛି । ଏହାରି ଭିତରେ ପୂର୍ବତନ ମନ୍ତ୍ରୀ ଅନିଲ ବିଜ ରବିବାର ଏକ ବଡ଼ ବୟାନ ଦେଇଛନ୍ତି । ଗଣମାଧ୍ୟମର ପ୍ରଶ୍ନରେ ସେ ସ୍ପଷ୍ଟ ଭାବରେ କହିଛନ୍ତି ଯେ ଯଦି ବିଜେପି ନିର୍ବାଚନରେ ​​ଜିତେ ତେବେ ସେ ନିଜେ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁଛନ୍ତି । ସେ କହିଛନ୍ତି ଯେ ସେ ଦଳର ବରିଷ୍ଠ ବିଧାୟକ ଅଟନ୍ତି ।

ଅନିଲ ବିଜଙ୍କ ବୟାନ ଏଥିପାଇଁ ଗୁରୁତ୍ୱବହନ କରିଥାଏ କାରଣ ସେ ରାଜ୍ୟ ରାଜନୀତିର ଜଣେ ବରିଷ୍ଠ ନେତା । ସେ ଛଅ ଥର ବିଧାୟକ ଏବଂ ବିଜେପି ସରକାରରେ ମନ୍ତ୍ରୀ ରହିଆସିଛନ୍ତି । ଗଣମାଧ୍ୟମରେ ଏକ ବିବୃତ୍ତି ଦେବାବେଳେ ସେ ଏହା ମଧ୍ୟ କହିଛନ୍ତି ଯେ ମୁଁ ସବୁଠୁ ବରିଷ୍ଠ ବିଧାୟକ ଏବଂ ମୁଁ ଦଳ ଠାରୁ କିଛି ମାଗି ନାହିଁ ।

ପୂର୍ବତନ ମନ୍ତ୍ରୀ କହିଛନ୍ତି ଯେ, ମୁଁ ଜନତାଙ୍କ ଚାହିଦା ଅନୁଯାୟୀ ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁଛି । ସେ ଆହୁରି କହିଛନ୍ତି ଯେ ମୁଁ ମୁଖ୍ୟମନ୍ତ୍ରୀ ହେବି କି ନାହିଁ, ତାହା ଦଳର ହାଇକମାଣ୍ଡଙ୍କ ହାତରେ ଅଛି । ସେ କହିଛନ୍ତି ଯେ ଯଦି ଦଳ ମୋତେ ମୁଖ୍ୟମନ୍ତ୍ରୀ କରେ ତେବେ ମୁଁ ହରିୟାଣାର ଚିତ୍ର ବଦଳାଇବି ।

ତେବେ ଅନିଲଙ୍କ ପୂର୍ବରୁ ଦଳ କହିସାରିଛି ଯେ, ଯଦି ହରିୟାଣାରେ ବିଜେପି ପ୍ରତ୍ୟାବର୍ତ୍ତନ କରେ, ତେବେ ନୟାବ ସିଂ ସୈନି ପୁଣିଥରେ ମୁଖ୍ୟମନ୍ତ୍ରୀ ହେବେ । ଏଭଳି ପରିସ୍ଥିତିରେ ବିରୋଧୀଙ୍କୁ ଆଉ ଏକ ପ୍ରସଙ୍ଗ ମିଳିଯାଇଛି ।

ସୂଚନାଯୋଗ୍ୟ, ଅକ୍ଟୋବର ୫ରେ ହରିୟାଣାରେ ବିଧାନସଭା ପାଇଁ ଭୋଟ୍ ପଡିବ ଏବଂ ଅକ୍ଟୋବର ୮ ରେ ଭୋଟ୍ ଗଣନା ଏଠାରେ ହେବ । ହରିୟାଣାରେ ମୋଟ ୯୦ଟି ବିଧାନସଭା ଆସନ ଅଛି ।

Comments are closed.