Latest Odisha News

ମୋଦିଙ୍କ ଜନ୍ମଦିନ, ସାରା ଓଡ଼ିଶାର ମହିଳା ଖୁସ୍

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନରେ ମିଳିବ ସୁଭଦ୍ରା ଭେଟି। ମଙ୍ଗଳବାର ଜନତା ମଇଦାନରେ ଆୟୋଜିତ ମେଗା ସୋ’ରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୁଇଚ ଚିପିବା ମାତ୍ରେ ପର୍ଯ୍ୟାୟକ୍ରମେ ହିତାଧିକାରୀଙ୍କ ଆକାଉଣ୍ଟକୁ ପ୍ରଥମ କିସ୍ତି ଟଙ୍କା ଯିବ। ସୋମବାର ଯାଏ ପ୍ରାୟ ୭୨ ଲକ୍ଷ ମହିଳା ଆବେଦନ କରିଛନ୍ତି। ମାତ୍ର ପ୍ରଥମ ଦଫାରେ ପ୍ରାୟ ୬୦ ଲକ୍ଷରୁ ଅଧିକ ମହିଳାଙ୍କ ଆକାଉଣ୍ଟକୁ ସୁଭଦ୍ରା କିସ୍ତି ଯିବ ବୋଲି ସରକାରୀ ସୂତ୍ରରୁ ସୂଚନା ମିଳିଛି।

ସୁଭଦ୍ରା ଯୋଜନାର ଶୁଭାରମ୍ଭ ସହ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଭୁବନେଶ୍ୱର ଆସୁଛନ୍ତି। ଏଥିପାଇଁ ରାଜଧାନୀରେ ବିପୁଳ ଜନସମାଗମ ହେବାର ଆଶଙ୍କା ଥିବାରୁ ଏହାକୁ ଦୃଷ୍ଟିରେ ରଖି କମିଶନରେଟ୍‌ ପୋଲିସ ପକ୍ଷରୁ ସୋମବାର ଯାତାୟାତ କଟକଣା ଜାରି ହୋଇଛି। ସକାଳ ୭ଟା ୩୦ରୁ ଅପରାହ୍ନ ୩ଟା ଯାଏ ଏହା ବଳବତ୍ତର ରହିବ ବୋଲି ସୂଚନା ଦିଆଯାଇଛି। ମୋଦିଙ୍କ ସୁରକ୍ଷା ପାଇଁ ୮୧ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି।

ରାଜ୍ୟରେ ବିଜେପି ସରକାର ଗଠନ ପରେ ଏହା ହେଉଛି ମୋଦିଙ୍କ ଦ୍ବିତୀୟ ଓଡ଼ିଶା ଗସ୍ତ। ପ୍ରଧାନମନ୍ତ୍ରୀ ଦିନ ୧୧ଟାରେ ଭୁବନେଶ୍ୱର ପହଞ୍ଚିବେ। ସେଠାରୁ ସିଧା ଚନ୍ଦ୍ରଶେଖରପୁର ଅଞ୍ଚଳରେ ଥିବା ଗାଡକଣ ବସ୍ତିକୁ ଯିବେ। ବସ୍ତିର ଶବର ସାହିକୁ ଯାଇ ପ୍ରଧାନମନ୍ତ୍ରୀ ଆବାସ ଗୃହ ଉଦଘାଟନ କରିବେ। ପିଏମ ଆବାସ ହିତାଧିକାରୀ ଅନ୍ତର୍ଯ୍ୟାମୀ ନାୟକଙ୍କ ଆବାସ ଗୃହ ଉଦଘାଟନ କରିବା ସହ ପିଏମ ଆବାସ ପାଇଥିବା ୨୦ ଜଣ ହିତାଧିକାରୀଙ୍କ ସହ ଆଲୋଚନା କରିବେ। ପାଖରେ ଥିବା ୫ଟି ଆବାସ ଗୃହ ବୁଲି ଦେଖିବା ସହ ହିତାଧିକାରୀଙ୍କୁ ଘରର ଚାବି ହସ୍ତାନ୍ତର କରିବେ।

Comments are closed.