Latest Odisha News

ଏସିଆନ ଚାମ୍ପିଅନସ ଟ୍ରଫିରେ ପୁଣି ଚାମ୍ପିଅନ

ନୂଆଦିଲ୍ଲୀ: ଏସିଆନ ଚାମ୍ପିଅନସ ଟ୍ରଫିରେ ଭାରତର ପୁଣି ପ୍ରାଧାନ୍ୟ । ଟାଇଟଲ ବଜାୟ ରଖିବାରେ ସଫଳ ହୋଇଛି ଭାରତୀୟ ଦଳ । ଫାଇନାଲରେ ଆୟୋଜକ ଚୀନକୁ ମାତ୍ ଦେଇ ହାସଲ କରିଛି ପଂଚମ ଟାଇଟଲ୍ । ପ୍ୟାରିସ ଅଲିମ୍ପିକ୍ସ ହକିରେ ଐତିହାସିକ ବ୍ରୋଞ୍ଜ ପଦକ ଜିତିଲା ପରେ ଭାରତୀୟ ହକି ଦଳର ଏସିଆନ ଚାମ୍ପିଅନସ ଟ୍ରଫି ବିଜୟ ଦେଶର କ୍ରୀଡାପ୍ରେମୀଙ୍କୁ ଉଲ୍ଲସିତ କରିଛି । ଭାରତୀୟ ଦଳର ଅଧିନାୟକ ହରମନପ୍ରୀତ ସିଂହ ପ୍ଲେୟାର ଅଫ୍ ଦି ଟୁର୍ଣ୍ଣାମେଂଟ ହୋଇଛନ୍ତି ।

 

ଏସିଆନ ଚାମ୍ପିଅନସ ଟ୍ର୍ରଫିରେ ଭାରତକୁ ପଂଚମ ଟାଇଟଲ

 

ପ୍ୟାରିସ ଅଲିମ୍ପିକ୍ସ ହକିରେ ବ୍ରୋଞ୍ଜ ପଦକ ଜିତିଥିବା ଭାରତୀୟ ଦଳ ପାଇଁ ଆଉ ଏକ ସଫଳତା । ଏସିଆନ ଚାମ୍ପିଅନସ ଟ୍ରଫି ହକିରେ ଟାଇଟଲ ଜିତିଛି ଭାରତୀୟ ଦଳ । ଏକ ସଂଘର୍ଷପୂର୍ଣ୍ଣ ଫାଇନାଲ ମ୍ୟାଚରେ ଆୟୋଜକ ଚୀନକୁ ଏକମାତ୍ର ଗୋଲରେ ହରାଇ ପଂଚମ ଥର ପାଇଁ ଏସିଆନ ଚାମ୍ପିଅନସ ଟ୍ରଫି ହାସଲ କରିଛି ଭାରତ । ଭାରତ ପକ୍ଷରୁ ବିଜୟ ସୂଚକ ଗୋଲ୍ ସ୍କୋର କରିଥିଲେ ଯୁଗରାଜ ସିଂହ । ମ୍ୟାଚର ୫୧ତମ ମିନିଟରେ ଯୁଗରାଜଙ୍କ ଫିଲ୍ଡ ଗୋଲ୍ ଭାରତକୁ ଦେଇଛି ରେକର୍ଡ ପଂଚମ ଟାଇଟଲ୍ । ଏଥର ଟୁର୍ଣ୍ଣାମେଂଟର ଲିଗ୍ ମ୍ୟାଚରେ ମଧ୍ୟ ଚୀନକୁ ହରାଇଥିଲା ଭାରତ । ଗତ ସଂସ୍କରଣରେ ବି ଚାମ୍ପିଅନ ହୋଇଥିଲା ଭାରତ ।

 

ଅପରାଜେୟ ରହି ଚାମ୍ପିଅନ

ଏଥର ଟୁର୍ଣ୍ଣାମେଂଟରେ ଗୋଟିଏ ବି ମ୍ୟାଚ ନ ହାରି ଚାମ୍ପିଅନ ହୋଇଛି ଭାରତୀୟ ହକି ଦଳ । ଭାରତ ସେମିଫାଇନାଲରେ ଦକ୍ଷିଣ କୋରିଆକୁ ୪-୧ରେ ମାତ୍ ଦେଇଥିଲା । ଅନ୍ୟ ସେମିଫାଇନାଲରେ ପାକିସ୍ତାନକୁ ସୁଟଆଉଟରେ ହରାଇ ପ୍ରଥମ ଥର ପାଇଁ ଫାଇନାଲରେ ପ୍ରବେଶ କରିଥିଲା ଆୟୋଜକ ଚୀନ୍ । ବ୍ରୋଞ୍ଜ ପଦକ ପାଇଁ ଖେଳାଯାଇଥିଲା ମ୍ୟାଚରେ ପାକିସ୍ତାନ, ଦକ୍ଷିଣ କୋରିଆକୁ ୫-୨ ଗୋଲରେ ହରାଇଛି । ଏଥର ଚାମ୍ପିଅନସ ଟ୍ରଫିରେ ଦମଦାର ପ୍ରଦର୍ଶନ କରିଛି ଭାରତୀୟ ହକି ଦଳ । ରାଉଣ୍ଡ ରବିନ୍ ଲିଗ୍ ଫର୍ମାଟରେ ଖେଳାଯାଇଥିଲା ଟୁର୍ଣ୍ଣାମେଂଟ । ଭାରତ ନିଜର ପ୍ରଥମ ମ୍ୟାଚରେ ଚୀନକୁ ୩-୦ ଗୋଲରେ ହରାଇ ଆରମ୍ଭ କରିଥିଲା ଟାଇଟଲ ଡିଫେନ୍ସ ଅଭିଯାନ । ଦ୍ୱିତୀୟ ମ୍ୟାଚରେ ଜାପାନକୁ ୫-୧ ଗୋଲରେ ମାତ୍ ଦେଇଥିଲା ଭାରତୀୟ ଦଳ । ତୃତୀୟ ମ୍ୟାଚରେ ମାଲେସିଆକୁ ୮-୧ ଓ ଚତୁର୍ଥ ମ୍ୟାଚରେ ଦକ୍ଷିଣ କୋରିଆକୁ ୩-୧ ଗୋଲରେ ମାତ୍ ଦେଇଥିଲା ଭାରତ । ନିଜର ଶେଷ ରାଉଣ୍ଡ ରବିନ ଲିଗ୍ ମ୍ୟାଚରେ ପାରମ୍ପରିକ ପ୍ରତିଦ୍ୱନ୍ଦୀ ପାକିସ୍ତାନ ବିପକ୍ଷରେ ୨-୧ ଗୋଲରେ ବିଜୟ ହାସଲ କରି ଭାରତ ପଏଂଟ ଟେବୁଲର ଶୀର୍ଷରେ ରହିଥିଲା ।

 

ଟୁର୍ଣ୍ଣାମେଂଟରେ ସବୁଠୁ ସଫଳ ଦଳ

୨୦୧୧ ମସିହାରେ ଖେଳାଯାଇଥିଲା ଏସିଆନ ଚାମ୍ପିଅନସ ଟ୍ରଫିର ପ୍ରଥମ ସଂସ୍କରଣ । ଉଦଘାଟନୀ ସଂସ୍କରଣରେ ହିଁ ଭାରତ ହୋଇଥିଲା ଚାମ୍ପିଅନ । ୨୦୧୬, ୨୦୧୮, ୨୦୨୩ ସଂସ୍କରଣରେ ମଧ୍ୟ ଭାରତ ଟାଇଟଲ ହାସଲ କରିଛି । ୨୦୧୮ରେ ପାକିସ୍ତାନ ସହ ଯୁଗ୍ମ ବିଜେତା ହୋଇଥିଲା ଭାରତ । ୨୦୧୨ରେ ରନର ଅପ୍ ହୋଇଥିଲା ଭାରତୀୟ ହକି ଦଳ ।

 

ଏସୀୟ ହକିରେ ଭାରତର ପ୍ରାଧାନ୍ୟ

ଭାରତ ଗତ ହୁଆଙ୍ଗଝୁ ଏସିଆନ ଗେମ୍ସ ହକିରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲା । ଏହା ପରେ ପ୍ୟାରିସ ଅଲିମ୍ପିକ୍ସ ହକିରେ ବ୍ରୋଞ୍ଜ ଓ ଏବେ ପୁଣି ଏସିଆନ ଚାମ୍ପିଅନସ ଟ୍ରଫିରେ ଟାଇଟଲ୍ ହାସଲ କରିଛି । ଏସୀୟ ହକିରେ ବେଶ୍ କିଛି ବର୍ଷ ଧରି ବଜାୟ ରହିଛି ଭାରତୀୟ ହକିର ପ୍ରାଧାନ୍ୟ ।

 

Leave A Reply

Your email address will not be published.