Latest Odisha News

ଆକାଶମାର୍ଗରୁ ବାଲେଶ୍ଵରର ବିଭିନ୍ନ ବନ୍ୟାଞ୍ଚଳ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ବାଲେଶ୍ବର: ଲଘୁଚାପ ଜନିତ ଲଗାଣ ବର୍ଷା ପରେ ସୁବର୍ଣ୍ଣରେଖାରେ ପ୍ରଳୟଙ୍କରୀ ବନ୍ୟା ସୃଷ୍ଟି ହୋଇଛି । ଯାହାକୁ ନେଇ ଉତ୍ତର ବାଲେଶ୍ଵରରେ ଗମ୍ଭୀର ହୋଇଛି ବନ୍ୟା ପରିସ୍ଥିତି । ଯାହାକୁ ନେଇ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆକାଶ ମାର୍ଗରୁ ବାଲେଶ୍ଵର ଜିଲ୍ଲା ବନ୍ୟା କ୍ଷୟକ୍ଷତିର ସ୍ଥିତି ଅନୁଧ୍ୟାନ କରୁଛନ୍ତି ।

ଉତ୍ତର ବାଲେଶ୍ଵରର ୪ଟି ବ୍ଲକରେ ୬୬ଟି ପଞ୍ଚାୟତର ୨୪୧ଟି ଗାଁ ବନ୍ୟା ଦ୍ବାରା ବିଶେଷ ଭାବେ ପ୍ରଭାବିତ ହୋଇଥିବା ପ୍ରାରମ୍ଭିକ ଭାବେ ଆକଳନ କରାଯାଇଛି । ବାଲିଆପାଳ ବ୍ଲକରେ ସବୁଠାରୁ ସଙ୍ଗୀନ ସ୍ଥିତି । ବାଲିଆପାଳ ବ୍ଲକର ବିଷ୍ଣୁପୁର, ଅସ୍ତି, ଜାମକୁଣ୍ଡା, ମଧୁପୁରା ଓ ବାଲିଆପାଳ ପଞ୍ଚାୟତର ୩୦ରୁ ଉର୍ଦ୍ଧ୍ବ ଗାଁ ପାଣି ଘରରେ ରହିଛି ।

ସେହିପରି ଭୋଗରାଇ ବ୍ଲକର ଅନେକ ଅଞ୍ଚଳ ଓ ନଦୀ ତଟବର୍ତ୍ତୀ ପଞ୍ଚାୟତ ଗୁଡିକରେ ବନ୍ୟା ପରିସ୍ଥିତି ଗମ୍ଭୀର ହୋଇଛି ।

ଅନ୍ୟପଟେ ଆଜି ସକାଳ ୭ଟା ସୁଦ୍ଧା ରାଜଘାଟ ଠାରେ ସୁବର୍ଣ୍ଣରେଖା ନଦୀର ଜଳପତ୍ତନ ବିପଦ ସଙ୍କେତ ଠାରୁ ୧୧.୫୮ ମିଟରରେ ପ୍ରବାହିତ ହେଉଛି । ଏଠାରେ ନଦୀର ସତର୍କ ସଙ୍କେତ ୯.୪୫ ଓ ବିପଦ ସଙ୍କେତ ୧୦.୩୬ ମିଟର ରହିଛି । ସେହିପରି ନଦୀର ଉପର ମୁଣ୍ଡରେ ଥିବା ଜାମଶୋଳାଘାଟରେ ମଧ୍ୟ ସକାଳ ୭ଟାରେ ନଦୀର ଜଳପତ୍ତନ ୫୦.୮୦୦ ମିଟର ରହିଛି । ଏଠାରେ ବିପଦ ସଂଙ୍କେତ ୪୯.୧୬୦ ମିଟର ରହିଛି ।

ଅନ୍ୟପଟେ ରାଜଘାଟରେ ଜଳସ୍ତର ବଢୁଥିବାରୁ ନଦୀର ନିମ୍ନ ଅବବାହିକା ଅଞ୍ଚଳ ଜଳେଶ୍ଵର, ଭୋଗରାଇ, ବାଲିଆପାଳ ଓ ବସ୍ତା ବ୍ଲକରେ ଦୟନୀୟ ସ୍ଥିତି । ବନ୍ୟା ପାଣି ନଦୀ ବନ୍ଧ ନଥିବା ସ୍ଥାନରେ ଓ ନଦୀର ବିଭିନ୍ନ ଶାଖା ନାଳ ଦେଇ ନଦୀ ପାଖ ଗାଁ ମଧ୍ୟକୁ ପ୍ରଖର ସ୍ରୋତରେ ପ୍ରବେଶ କରୁଛି ।

Leave A Reply

Your email address will not be published.