Latest Odisha News

ସୁଭଦ୍ରା ପାଇଁ ଅଙ୍ଗନବାଡି କର୍ମୀଙ୍କୁ ମାଡ: କଥା ହେଲେ ଉପମୁଖ୍ୟମନ୍ତ୍ରୀ

ବାଲେଶ୍ବର: ଆକ୍ରମଣର ଶିକାର ଅଙ୍ଗନବାଡି କର୍ମୀଙ୍କ ସହ କଥା ହେଲେ ଉପମୁଖ୍ୟମନ୍ତ୍ରୀ । ଭଲ ଚିକିତ୍ସା, ସୁରକ୍ଷାର ପ୍ରତିଶୃତି ଦେବା ସହ ଆବଶ୍ୟକ ପଡିଲେ ତାଙ୍କ ସହ ସିଧା କଥା ହେବା ପାଇଁ ଫୋନ ନମ୍ବର ମଧ୍ୟ ଦେଲେ ଉପମୁଖ୍ୟମନ୍ତ୍ରୀ । ତେବେ ସୁଭଦ୍ରା ଯୋଜନାରେ କାମ କରୁଥିବାରୁ ତାଙ୍କ ଉପରେ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ କରିଛନ୍ତି ଅଙ୍ଗନବାଡି କର୍ମୀ । ଅଭିଯୋଗ ଶୁଣିବା ପରେ ତୃଣମୂଳ ସ୍ତରରେ କାମ କରୁଥିବା ଲୋକମାନଙ୍କ ସହ ସରକାର ଅଛି ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ।

ସୂଚନା ଅନୁସାରେ, ବାଲେଶ୍ୱର ଜିଲ୍ଲା ସିଂଲା ଥାନା ମହାପଦା ଗ୍ରାମର ଅଙ୍ଗନବାଡି କର୍ମୀ ଉର୍ମିଳା ସାମଲଙ୍କୁ ଗତକାଲି ଗଛରେ ବାନ୍ଧି ମାଡ଼ ମରାଯାଇଥିଲା । ଗୁରୁତର ଅବସ୍ଥାରେ ଅଙ୍ଗନବାଡି କର୍ମୀଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଏନେଇ ସିଂଲା ଥାନାରେ ମାମଲା ରୁଜୁ ହେବା ପରେ ପୋଲିସ ଏହାର ତଦନ୍ତ ଆରମ୍ଭ କରିଥିଲା ।

ତେବେ ସୁଭଦ୍ରା ଯୋଜନାରେ କାମ କରିବାରୁ ଗାଁର କିଛି ଲୋକ ତାଙ୍କୁ ମାଡ ମାରିଥିଲେ ବୋଲି କହିଛନ୍ତି ପୀଡିତା ଅଙ୍ଗନବାଡି କର୍ମୀ । ତାଙ୍କ କହିବା ଅନୁସାରେ ଗାଁର କିଛି ଲୋକ ତାଙ୍କୁ ସୁଭଦ୍ରା ଯୋଜନାର କୌଣସି କାମ କରିବାକୁ ମନାକରିଥିଲେ । ମାତ୍ର ସେ କଥା ନ ମାନି ଗାଁରେ ସୁଭଦ୍ରା ଫର୍ମ ବାଣ୍ଟିବା ସହ ଗାଁରେ ସୁଭଦ୍ରା ରାଲି କରିଥିଲେ । ଯେଉଁଥିରେ ଉତ୍ୟକ୍ତ ହୋଇ ଗ୍ରାମବାସୀ ତାଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ତାଙ୍କୁ ଗଛରେ ବାନ୍ଧି ନିସ୍ତୁକ ମାଡ ମାରିଥିଲେ । ଶେଷରେ ଗୁରୁତର ଅବସ୍ଥାରେ କିଛି ସରକାରୀ କର୍ମୀ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ।

ଖବର ଜାଣିବା ପରେ ଉପମୁଖ୍ୟମନ୍ତ୍ରୀ ସିଧା ଫୋନରେ କଥା ହୋଇଥିଲେ । ଏଥିସହ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ସହ କଥା ହୋଇଥିବାର ସୂଚନା ଦେବା ସହ ତୃଣମୂଳ ସ୍ତରରେ କାମ କରୁଥିବା ଲୋକମାନଙ୍କ ସହ ସରକାର ଅଛନ୍ତି ବୋଲି ଦୃଢ଼ ପ୍ରତିଶୃତି ଦେଇଥିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ।

Leave A Reply

Your email address will not be published.