Latest Odisha News

‘ମୁଖ୍ୟମନ୍ତ୍ରୀ ମୁହଁ ଖୋଲୁଛନ୍ତି, ନବୀନଙ୍କ ଭଳି ଚୁପ୍ ନାହାନ୍ତି’

ଭୁବନେଶ୍ବର: ଭରତପୁର ଥାନା ଘଟଣାକୁ ନେଇ ଏବେ ସରକାରଙ୍କୁ ଘେରୁଛନ୍ତି ବିରୋଧୀ । ନୈତିକତା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ପଦ ଛାଡନ୍ତୁ ବୋଲି କଂଗ୍ରେସ ଦାବି କରିଥିବା ବେଳେ ବିଜେଡି ଘଟଣାର ନ୍ୟାୟିକ ତଦନ୍ତ ଦାବି କରିଛି । ଖାଲି ସେତିକିରେ କଥା ସରିନି ଶହେ ଦିନର ସରକାରଙ୍କୁ ପ୍ରଶ୍ନର କାଠଗଡାକୁ ଟାଣି ବନ୍ଦ ଡାକରା ଦେବ ବୋଲି ସୂଚାଇ ବି ଦେଇଛି ବିଜେଡି । ଆସନ୍ତା ୨୪ ତାରିଖ ଦିନ ୬ ଘଣ୍ଟିଆ ଭୁବନେଶ୍ବର, ସଂଲଗ୍ନ ସ୍ଥାନ ଗୁଡିକରେ ବନ୍ଦ ଡାକରା ଦେବ ବୋଲି ବିଜେହି କହିଛି । ଯାହାକୁ ନେଇ ବିଜେଡି ଉପରେ ବର୍ଷିଛନ୍ତି ବିଜେପି ମୁଖପାତ୍ର ଦିଲ୍ଲୀପ ମଲ୍ଲିକ ।

ଏନେଇ ବିଜେଡିକୁ କଡା ଉତ୍ତର ଦେଇ ଦିଲ୍ଲୀପ କହିଛନ୍ତି, ବିଜେଡି ପୁଣି ଉପସ୍ଥିତି ଜାହିର ଚାହୁଁଛି । ବିଗତ ସରକାରରେ ଆଇନଶୃଙ୍ଖଳା ପରିସ୍ଥିତି କଣ ଥିଲା ତାହା ଲୋକ ଜାଣନ୍ତି । ନବ ଦାସ ହତ୍ୟାକାଣ୍ଡ ଦିନ ଦ୍ୱିପ୍ରହରରେ ହୋଇଥିଲା । କୁନ୍ଦୁଲି, ସ୍ମିତାରାଣୀ ଓ ମମିତା ମାମଲାରେ ଦୋଷୀଙ୍କୁ ଘଣ୍ଟ ଘୋଡ଼ାଉଥିଲା ବିଜେଡି । ହେଲେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ସେତେବେଳେ ଚୁପ୍ ରହୁଥିଲେ । ଏବେ ଭରତପୁର ଘଟଣାକୁ  ଏବେ ସରକାର ଗୁରୁତର ସହ ନେଇଛନ୍ତି । ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ଥାନାରେ ନିର୍ଯାତନା ମାମଲାରେ ମୁଖ୍ୟମନ୍ତ୍ରୀ ନିଜେ ତଦାରଖ କରି ମୁହଁ ଖୋଲିଛନ୍ତି, ନବୀନଙ୍କ ଭଳି ଚୁପ୍ ନାହାନ୍ତି ବୋଲି କହି କଡା ସମାଲୋଚନା କରିଛନ୍ତି ଦିଲ୍ଲୀପ ।

ଏହି ଘଟଣାରେ ଦୋଷୀ ନିଶ୍ଚିତ ଦଣ୍ଡ ପାଇବ, କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଆରମ୍ଭ ହୋଇ ସାରିଛି । ହେଲେ ବିରୋଧୀ ଖାଲି ତିଳକୁ ତାଳ କରୁଛନ୍ତି, ତାଙ୍କ ସମୟରେ ସରକାର ଆଖି ବୁଜି ଦେଉଥିଲେ । ଏହି ଘଟଣାକୁ ରାଜନୈତିକ ପ୍ରସଙ୍ଗ କରି ବିଜେଡି ଉପସ୍ଥିତି ଜାହିର କରିବାକୁ ଚାହୁଁଛି ବୋଲି ଦିଲ୍ଲୀପ କହିଛନ୍ତି ।

Leave A Reply

Your email address will not be published.