Latest Odisha News

ଜମି ଦୁର୍ନୀତି ମାମଲରେ ସିଦ୍ଧରମୈୟାଙ୍କୁ ଝଟ୍‌କା, ହାଇକୋର୍ଟରେ ଆବେଦନ ଖାରଜ

ବେଙ୍ଗାଲୁରୁ: ଜମି ଦୁର୍ନୀତି ମାମଲରେ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କୁ ହାଇକୋର୍ଟଙ୍କ ତରଫରୁ ବଡ଼ ଝଟକା। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଜମି ଦୁର୍ନୀତି ମାମଲା ଉପରେ କରିଥିବା ଆବେଦନ ହାଇକୋର୍ଟରେ ଖାରଜ ହୋଇଯାଇଛି। ଶୁଣାଣି ସମୟରେ ହାଇକୋର୍ଟ କହିଛନ୍ତି ଯେ ଆବେଦନରେ ଦର୍ଶାଯାଇଥିବା ତଥ୍ୟର ଅନୁସନ୍ଧାନ କରିବାର ଆବଶ୍ୟକତା ରହିଛି।

ସୂଚନାଯୋଗ୍ୟ, ସେପ୍ଟେମ୍ବର ୧୨ରେ ମାମଲାର ଶୁଣାଣି ଶେଷ କରିବା ପରେ ହାଇକୋର୍ଟ ଏହାର ନିଷ୍ପତ୍ତି ସଂରକ୍ଷିତ ରଖିଥିଲେ। ନିକଟରେ ଏହି ମାମଲା ଉପରେ ରାଜ୍ୟପାଳ ଥାୱର ଚାନ୍ଦ ଗେହଲଟ ସିଦ୍ଧରମୈୟାଙ୍କ ବିରୁଦ୍ଧରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ମୁଖ୍ୟମନ୍ତ୍ରୀ, ଯାହାକୁ ହାଇକୋର୍ଟ ଖାରଜ କରି ଦେଇଛନ୍ତି।

ଆଜି ହାଇକୋର୍ଟ ବିଚାରପତି ଜଷ୍ଟିସ ଏମ ନାଗପ୍ରସନ୍ନ ଏହି ମାମଲା ଉପରେ ଶୁଣାଣି କରି ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ଆବେଦନକୁ ଖାରଜ କରି କହିଛନ୍ତି, ଏ ମାମଲା ଉପରେ ନିଷ୍ପତ୍ତି ନେବାପାଇଁ ରାଜ୍ୟପାଳଙ୍କର ସାମ୍ବିଧାନିକ ଅଧିକାର ରହିଛି। ତାଙ୍କ ନିର୍ଦ୍ଦେଶ ଅନୁସାରେ, ଜମି ଦୁର୍ନୀତି ମାମଲାରେ ତଦନ୍ତ ହୋଇପାରିବ, ହାଇକୋର୍ଟ ଏଥିରେ ପ୍ରତିବନ୍ଧକ ଲଗାଇ ପାରିବେ ନାହିଁ ବୋଲି ଜଷ୍ଟିସ ନାଗପ୍ରସନ୍ନ କହିଛନ୍ତି।

ସୂଚନାଯୋଗ୍ୟ, କର୍ଣ୍ଣାଟକର ଜଣେ ଆରଟିଆଇ କାର୍ଯ୍ୟକର୍ତ୍ତା ଟି.ଜେ ଆବ୍ରାହମ ମୈସୁର ସହରାଞ୍ଚଳ ବିକାଶ ପ୍ରାଧିକରଣ (MUDA) ଜମି ଆବଣ୍ଟନରେ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ବିରୁଦ୍ଧରେ ଘୋଟାଲା ଅଭିଯୋଗ ଆଣିଥିଲେ। ଏହି ଦୁର୍ନୀତି ଉପରେ ମାମଲା ରୁଜୁ କରି ମୁଖ୍ୟମନ୍ତ୍ରୀଙ୍କ ବିରୁଦ୍ଧରେ ତଦନ୍ତ ନିର୍ଦ୍ଦେଶ ଦେବାକୁ ସେ ରାଜ୍ୟପାଳଙ୍କୁ ଅନୁରୋଧ କରିଥିଲେ। ରାଜ୍ୟପାଳ ତାଙ୍କ ଅନୁରୋଧ କ୍ରମେ ଅଗଷ୍ଟ ୧୬ରେ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ବିରୁଦ୍ଧରେ ନ୍ୟାୟିକ ପ୍ରକ୍ରିୟା କରିବାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ମୁଖ୍ୟମନ୍ତ୍ରୀ ଏହାକୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ, ବିଜେପି ଜାଣିଶୁଣି ଏପରି କରୁଥିବା ଅଭିଯୋଗ କରି ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ।

Leave A Reply

Your email address will not be published.